ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦଯାପିତ , ରାଜସ୍ୱ ବିଭାଗ କୁ ଏକ ମେଡେଲ ବିଭାଗ ରେ ପରିଣତ କରାଯିବ : ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ
ଭୁବନେଶ୍ଵର(Suvendra Pattanaik) : ରାଜସ୍ୱ ଆଇନ କେତେଦୂର ଠିକ ଭାବରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସମୀକ୍ଷା କରିବା ଦରକାର । ଯଦି ହେଉନାହିଁ ତାର କାରଣ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି । ଆମକୁ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ । ରାଜସ୍ୱ ସେବା ରାଜ୍ୟରୁ ଆରମ୍ଭ କରି ଗ୍ରାମସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମକୁ ନିରନ୍ତର ଭାବରେ କାର୍ଯ୍ୟ କରିବାକୁ ପଡିବ । ନିଜର ବିଚାର ଓ ବିବେକ ଅନୁଯାୟୀ ସାଧାରଣ ଲୋକଟିକୁ ନ୍ୟାୟ ଦେବାକୁ ପଡିବ । ଆମେ ଜନସାଧାରଣଙ୍କ ସେବକ । ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ତୁରନ୍ତ ସେବା ଓ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ସଚେତନ ରହି କାର୍ଯ୍ୟ କରିବାକୁ ପଡିବ । ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜନସାଧାରଣଙ୍କୁ ସଠିକ ଭାବରେ ରାଜସ୍ୱ ସେବା ଯୋଗାଇ ଦେବା ସହ ସମାଜର ମଙ୍ଗଳ ଓ ସମାଜକୁ ଆଗକୁ ନେବାକୁ ରାଜସ୍ୱ ଅଧିକାରୀମାନେ ନିରନ୍ତର କାର୍ଯ୍ୟ ଜାରି ରଖନ୍ତୁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ଵର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ (ରୋଟି) ଠାରେ ଆୟୋଜିତ ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀର ଉଦଯାପନୀ ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ , ହାଇଟେକ ସର୍ଭେକୁ ନିର୍ଭୁଲ ଭାବରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ପଡିବ । ତାହେଲେ ଜମିଜମା ବ୍ୟବସ୍ଥା ଓ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ଓ ଜନସାଧାରଣ ଏହାର ସୁଫଳ ପାଇପାରିବେ । ସରକାର ପ୍ରତ୍ୟେକ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଥିବାବେଳେ ସମସ୍ତ ପ୍ରକାରର ଭିତ୍ତିଭୂମିର ଉନ୍ନତି କରାଯିବ । ଖାଲିଥିବା ପଦ ପଦବୀ ପୂରଣ କରାଯିବା ସହ ଆଧୁନିକରଣ ଦିଗରେ କାର୍ଯ୍ୟ କରାଯିବ । ଓଡିଶା ରାଜସ୍ୱ ବିଭାଗକୁ ଏକ ମଡେଲ ବିଭାଗରେ ପରିଣତ କରିବାକୁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ ବୋଲି ଉପସ୍ଥିତ ରାଜସ୍ୱ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୂହା ପୁନମ ତାପସ କୁମାର କହିଲେ ଯେ ରାଜସ୍ୱ ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଗୁଡିକ ସହ ନିୟମିତ ସମ୍ପର୍କ ଓ ସମ୍ମନ୍ଵୟ ରକ୍ଷା କରି ତୃଣମୂଳସ୍ତରରେ ରାଜସ୍ୱ ସେବା ଯୋଗାଇ ଦେବା କ୍ଷେତ୍ରରେ ଆମକୁ ଯତ୍ନବାନ ହେବାକୁ ପଡିବ ।
ଏହି ଅବସରରେ ଉପସ୍ଥିତ ରହି ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ରୋଟିର ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାହୁ କହିଲେ ଯେ ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଆମର ପ୍ରଥମ କର୍ତ୍ତବ୍ୟ । ଏଥିରୁ ଯେମିତି କେହି ବାଦ ନ ପଡିବେ ସେଥିପ୍ରତି ଆମକୁ ସଚେତନ ହେବାକୁ ପଡିବ ।
ଏଠାରେ ସୂଚନା ଯୋଗ୍ୟ , ଦୁଇ ଦିନ ଧରି ଚାଲିଥିବା କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଆଜି ଉଦଯାପିତ ହୋଇଛି । ଏଥିରେ ୯ ଜଣ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ୧୬ ଜଣ ଉପଜିଲ୍ଲାପାଳ , ୧୧୨ ଜଣ ତହସିଲଦାର , ୧୦ ଜଣ ଜିଲ୍ଲା ନିବନ୍ଧକ , ୬୨ ଜଣ ସହକାରୀ ନିବନ୍ଧକ , ୪ ଜଣ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିବା ବେଳେ ଏହି ସମ୍ମିଳନୀରେ ସରକାରୀ ଜମିର ସୁରକ୍ଷା , ଜମିଜମା ମୋକଦମା ସମ୍ପର୍କିତ ତ୍ୱରିତ ନ୍ୟାୟ ପ୍ରଦାନ , ସହରାଞ୍ଚଳ ଜମି ପରିଚାଳନା , ରାଜସ୍ୱ ପ୍ରଶାସନରେ ଆଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ , ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାର ଓ ହାଇଟେକ ସର୍ଭେ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ସେମାନଙ୍କ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବ ଶ୍ରୀ ନିହାର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
