Odisha news

ଭୁବନେଶ୍ୱର କ୍ୟାପିଟାଲ ରିଜଅନ ରିଙ୍ଗ ରୋଡ୍ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ , ‘ପୂର୍ବଦୋୟ’ ମିଶନରେ ୮,୩୦୭ କୋଟି ଟଙ୍କା ବ୍ୟୟର ପ୍ରକଳ୍ପ ଓଡ଼ିଶାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଗେମ୍ ଚେଞ୍ଜର ହେବ : ଧର୍ମେନ୍ଦ୍ର ପ୍ରଧାନ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ
୨୦୧୭ ମସିହାରୁ ଭୁବନେଶ୍ୱର କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ ନିର୍ମାଣର ଅଗ୍ରଗତି ନେଇ ବାରମ୍ବାର ଉଦ୍ୟମ କରିଆସୁଥିଲେ କେନ୍ଦ୍ରମନ୍ତ୍ରୀ
ବିଗତ ଦିନ ମାନଙ୍କରେ ଯେଉଁ ମାନଙ୍କ ହାତରେ ଦାୟିତ୍ୱ ଥିଲା, ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ହେଉ ବୋଲି ସେମାନେ ଚାହୁଁନଥିଲେ
ଦ୍ୱୈତ ସହରରେ ପ୍ରାୟ ୧୧୧ କିଲୋମିଟର ବିଶିଷ୍ଟ ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ
ରାମେଶ୍ୱରରୁ ବିଲିପଡା, ବିଲିପଡ଼ାରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ତିନୋଟି ପ୍ୟାକେଜରେ ନିର୍ମାଣ ହେବାର ପ୍ରସ୍ତାବ
ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଆର୍ଥିକ ସମ୍ଭାବନାକୁ ଉପଯୋଗ କରିବାର ମାର୍ଗ ଫିଟିବ  
ମୋଦୀ ସରକାରଙ୍କ ଖଣି ସଂସ୍କାର କାରଣରୁ ଓଡ଼ିଶା ଅଧିକ ଲାଭବାନ ହୋଇଛି
କୋଟା-ବୁନ୍ଦିରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀକୁ ସ୍ୱାଗତ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୯ –  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ ୮,୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାର ସଡ଼କ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗେମ୍ ଚେଞ୍ଜର ହେବ । ଏହା ହାଇବ୍ରିଡ୍‌ ଆନୁଇଟି ମୋଡ୍‌ ବା ଏଚଏଏମ ମାଧ୍ୟମରେ ନିର୍ମାଣ କରାଯିବ । ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳକୁ ସଂଯୋଗ କରିବାକୁ ଥିବା ଏହି ରାଜପଥ ରାମେଶ୍ୱରରୁ ବିଲିପଡା, ବିଲିପଡ଼ାରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ତିନୋଟି ପ୍ୟାକେଜରେ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ଦ୍ୱୈତ ସହରରେ ପ୍ରାୟ ୧୧୧ କିଲୋମିଟର ବିଶିଷ୍ଟ ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ । ନୂତନ ରାଜମାର୍ଗ ପ୍ରକଳ୍ପକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ପ୍ରମୁଖ ଜାତୀୟ ରାଜପଥ ଯଥା ଏନଏଚ୍ ୧୬(ଚେନ୍ନାଇ -କୋଲକାତା), ଏନଏଚ୍-୫୫ (କଟକ–ସମ୍ବଲପୁର), ଏନଏଚ-୫୭(ଖୋର୍ଦ୍ଧା-ବଲାଙ୍ଗୀର) ଏବଂ ଏନଏଚ-୬୫୫ (କ୍ରିଷ୍ଣାଶ୍ୟାମପୁର-ଅନୁଗୋଳ)କୁ ସଂଯୋଗ କରିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ଜାତୀୟ ରାଜପଥ ପ୍ରକଳ୍ପ ପ୍ରମୁଖ ଅର୍ଥନୈତିକ ହଟସ୍ପଟ୍ ମଧ୍ୟରେ ସଂଯୋଗୀକରଣକୁ ସୁଗମ କରିବ । ବାଣିଜ୍ୟ ଏବଂ ଶିଳ୍ପର ବିକାଶ ପାଇଁ ନୂତନ ରାସ୍ତା ଖୋଲିବ । ପରବହନ ଓ ଯାତାୟତ ସହଜ ହେବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହ ରୋଜଗାରର ନୂଆ ସୁଯୋଗ ତିଆରି କରିବ । ଏହି ସ୍ଥାନୀୟ ଅଞ୍ଚଳର ଆର୍ଥିକ ସମ୍ଭାବନାକୁ ଉପଯୋଗ କରିବାର ମାର୍ଗ ପ୍ରଶସ୍ତ କରିବ । ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହେବ । ଭୁବନେଶ୍ୱର ବାଇପାସ୍ ସମୃଦ୍ଧିର ରାଜପଥ ଭାବରେ ଉଭା ହେବ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଏହି ପ୍ରକଳ୍ପ ଓଡ଼ିଶାକୁ ଅଭିବୃଦ୍ଧିର ପ୍ରଥମ ସୋପାନରେ ପହଞ୍ଚାଇବ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବରୁ ଏହି କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଅନେକ ଥର ଆଲୋଚନା କରିଛନ୍ତି । ୨୦୧୭ ମସିହାରୁ ଶ୍ରୀ ପ୍ରଧାନ ଭୁବନେଶ୍ୱର କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ ନିର୍ମାଣର ଅଗ୍ରଗତି ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଅନୁରୋଧ କରି ଆସୁଥିଲେ । ଏନଏଚଏଆଇ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏହା ଉପରେ ସେ କହିଛନ୍ତି ଯେ ପୂର୍ବ ସରକାରରେ ଏହି କାମ ଆଗେଇ ପାରୁନଥିଲା । ରାଜ୍ୟରେ ବିଜେପି ସରକାର ହେବା ପରେ ଏହି କାମ ଆଗେଇଛି, ଆଜିର କ୍ୟାବିନେଟ୍ ନିଷ୍ପତି ସେ ଦିଗରେ ପ୍ରତିଫଳନ ।  ଓଡ଼ିଶାର ବିକାଶକୁ ସର୍ବଦା ପ୍ରାଥମିକତା ଦେବା ପାଇଁ ଶ୍ରୀ ପ୍ରଧାନ ଡବଲ ଇଞ୍ଜିନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ମୋଦୀ ସରକାରଙ୍କ ପ୍ରାଥମିକତାରେ ଓଡ଼ିଶା ରହିଛି । ମୋଦୀ ସରକାରଙ୍କ ଖଣି ସଂସ୍କାର କାରଣରୁ ଓଡ଼ିଶା ଅଧିକ ଲାଭବାନ ହୋଇଛି । ବିଗତ ବର୍ଷରେ ଓଡ଼ିଶାର ସଡକପଥ, ରେଳ, ବିମାନବନ୍ଦର ଓ ବନ୍ଦର ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ହୋଇଛି । ମୋଦୀ ସରକାରରେ ପାରାଦୀପ ବିଶୋଧନାଗାରର ପୂର୍ଣ୍ଣାଙ୍ଗ ସହ ୭୫,୦୦୦ କୋଟି ଟଙ୍କା ବ୍ୟୟରେ ପେଟ୍ରୋକେମିକାଲ କମ୍ପଲେକ୍ସ ଓ ଆନୁଷଙ୍ଗିକ ଶିଳ୍ପ ବିକାଶ ହୋଇଛି । ଭଦ୍ରକରେ ଟେକ୍ସଟାଇଲ ପାର୍କ, ବିରଳ ମୃତ୍ତିକାରେ ସଂସ୍କାର, ପିଏମ ଆବାସ ୨.୦ ଯୋଜନାରେ ଓଡ଼ିଶା ହିଁ ବିଶେଷ ଲାଭବାନ ହେବ । ତେବେ ବିଗତ ଦିନ ମାନଙ୍କରେ ଯେଉଁ ମାନଙ୍କ ହାତରେ ଦାୟିତ୍ୱ ଥିଲା, ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ହେଉ ବୋଲି ସେମାନେ ଚାହୁଁନଥିଲେ । ଆଜି ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହୋଇଛି । ବିକାଶର ଗତି ଦୁଇ ଗୁଣା ହେଉଛି ବୋଲି ସେ କହିଥିଲେ ।
ଅପରପକ୍ଷରେ କୋଟା-ବୁନ୍ଦିରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ରାଜସ୍ଥାନବାସୀଙ୍କ ପାଇଁ ଖୁସିର ଖବର । ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଆଗାମୀ ଦିନରେ ରାଜସ୍ଥାନରେ ବିମାନ ଯାତ୍ରାର ବର୍ଦ୍ଧିତ ଚାହିଦା ପୂରଣ କରିବ ସହ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବ ବୋଲି କହିଛନ୍ତି ।

Leave A Reply