Odisha news

ଭୁବନେଶ୍ୱରରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ , ଆଗକୁ ବଢିବାକୁ ହେଲେ ଇତିହାସକୁ ପଢ଼ିବା ଏବଂ ବୁଝିବା ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ
ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଏକ ସଚେତନ ସମାଜ ଇତିହାସର ବିନା ଶିକ୍ଷାରେ ଆଗକୁ ବଢିପାରିବ ନାହିଁ
୧୯୪୭ ମସିହା ଅଗଷ୍ଟ ୧୪, ଆମ ଜାତିର ଇତିହାସରେ ଏକ ଗଭୀର ଯନ୍ତ୍ରଣା ଓ କ୍ଷତିର ଦିନ
ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ
ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକ ଲୋକଙ୍କୁ ମର୍ମାହତ କରୁଛି
ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ, ୧ ନମ୍ବର ମାର୍କେଟ୍, ନରୁଲା କ୍ଲଥଷ୍ଟୋର୍, ହଂସ ପରିବାରର ସୁନା ଦୋକାନର ଇତିହାସ ଜାଣିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ଅଗଷ୍ଟ ୧୪, ୨୦୨୫ –  ଇତିହାସ ଦର୍ପଣ ସଦୃଶ । ଭବିଷ୍ୟତର ପଥ ପ୍ରଦର୍ଶିକା । ଏକ ସଚେତନ ସମାଜ ଇତିହାସର ବିନା ଶିକ୍ଷାରେ ଆଗକୁ ବଢିପାରିବ ନାହିଁ । ଇତିହାସରୁ ଆମେ ଶିକ୍ଷା ନେବା ଉଚିତ୍ । ଆମେ ଆମର ଇତିହାସକୁ ପଢ଼ିବା ଓ ବୁଝିବା ସହ କେବେ ବି ଭୁଲିବା ଉଚିତ୍ ନୁହେଁ ବୋଲି ଗୁରୁବାର ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ୧୯୪୭ ମସିହା ଅଗଷ୍ଟ ୧୪ରେ ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ସେ ସମୟର ରାଜନୀତି ଓ କୁଟନୀତିର କାରଣରୁ ଏଭଳି ଅଭାବନୀୟ ଘଟଣା ହୋଇଥିଲା ।  ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକ ଲୋକଙ୍କୁ ମର୍ମାହତ କରୁଛି । ତାହାର ପରିଣାମ ଆଜି ମଧ୍ୟ ଆମେ ଭୋଗୁଛୁ । ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ଅନୁଭବ କରିବା ପାଇଁ ଚେଷ୍ଟା କରିଛି । ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି, ଆମେ ଯେତେବେଳେ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ, ଏହି ଦିନକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ତଥା କ୍ଷତି ସହିଥିବା ପୂର୍ବଜମାନଙ୍କୁ ମନେ ପକାଇବା ଉଚିତ୍ । ଆମର ଏହି ବିଭାଜନ ବିଭୀଷିକା ସ୍ମୃତିର ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ; ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଭାରତର ପ୍ରତିଟି ନାଗରିକମାନେ ଏହି ବିଭାଜନ କଥାକୁ ଭୁଲିବା ଉଚିତ୍ ନୁହେଁ । ଏହା ଉପରେ ଶିକ୍ଷା ଆହରଣ କରିବା ସହ ଭାରତ ଉପରେ ତା’ର ପ୍ରଭାବ କ’ଣ ପଡିଥିଲା, ସେହି ବିଷୟକୁ ପାଥେୟ କରି ଇତିହାସକୁ ବୁଝି ଆଗକୁ ବଢିଲେ ହିଁ ଆମ ଦେଶର ସ୍ୱତନ୍ତ୍ରତା ସ୍ଥାୟୀ ହୋଇ ରହିବ । ବିକଶିତ ଭାରତର ମାର୍ଗ ମଧ୍ୟ ପ୍ରଶସ୍ତ କରିପାରିବା ବୋଲି ସେ କହିଛନ୍ତି ।  
ଶ୍ରୀ ପ୍ରଧାନ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ, ୧ ନମ୍ବର ମାର୍କେଟ୍, ନରୁଲା କ୍ଲଥଷ୍ଟୋର୍, ହଂସ ପରିବାରର ସୁନା ଦୋକାନର ଇତିହାସ ଜାଣିବା ପାଇଁ ମଧ୍ୟ ଯୁବ ସମାଜକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦେଶରେ ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିବିଶେଷମାନଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । 

Leave A Reply