Odisha news

‘ଜାତୀୟ ହସ୍ତତନ୍ତ ଦିବସ’ରେ ଓଡ଼ିଶାର ପାରମ୍ପରିକ ବସ୍ତ୍ର ପିନ୍ଧିଲେ କେନ୍ଦ୍ରମନ୍ତ୍ରୀ , ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ଯ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ – ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶାର ସାଂସଦମାନଙ୍କ ସହ ଜାତୀୟ ହସ୍ତତନ୍ତ ଦିବସ ପାଳନ କଲେ, ଶୁଭେଚ୍ଛା ଜଣାଇଲେ
ଆମର ବିବିଧ ହସ୍ତତନ୍ତ ଐତିହ୍ୟ ଉପରେ ଗର୍ବ କରିବା ସହ ବୁଣାକାରମାନଙ୍କୁ ସଶକ୍ତ କରିବା
ପ୍ରତ୍ୟେକ ବୟନ ପରମ୍ପରା ; ସାଂସ୍କୃତିକ ଐତିହ୍ୟ, କାରିଗରୀ ଏବଂ କଳାକୃତିର ସମାହାର
ସମ୍ବଲପୁରୀରୁ ଇକତ ; ଓଡ଼ିଶାର ହସ୍ତତନ୍ତ ପରମ୍ପରା ଏବଂ କାରିଗରୀର ଏକ ଭଣ୍ଡାର
ହସ୍ତତନ୍ତ ପରମ୍ପରାକୁ ଜୀବିତ ରଖିବା ପାଇଁ କାମ କରୁଥିବା କାରିଗର ଏବଂ ବୁଣାକାରଙ୍କୁ ଧନ୍ୟବାଦ
ନୂଆଦିଲ୍ଲୀ, ଅଗଷ୍ଟ ୦୭ –  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ଯ୍ୟରେ ସାମିଲ ହୋଇ ଖୁସିପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ ସହିତ ଗର୍ବର ସହ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରିବା ସହ ଓଡ଼ିଶା ସମେତ ବିବିଧ ହସ୍ତତନ୍ତ ଐତିହ୍ୟ ଉପରେ ଗର୍ବ କରିବା ସହ ବୁଣାକାରମାନଙ୍କୁ ସଶକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
‘ଜାତୀୟ ହସ୍ତତନ୍ତ ଦିବସ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ପ୍ରତିପାଦିତ କରୁଛି । ଏଗୁଡ଼ିକ କେବଳ ପୋଷାକ ନୁହେଁ ବରଂ ଓଡ଼ିଶାର ଭାବାବେଗର ଏକ ଅଂଶବିଶେଷ । ଆଜି ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ସହଯୋଗୀ ତଥା ଦଳୀୟ ସାଂସଦମାନଙ୍କ ସହ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ଗର୍ବର ସହିତ ପାଳନ କରି ଆନନ୍ଦିତ । ପ୍ରତ୍ୟେକ ବୟନ ପରମ୍ପରା ; ସାଂସ୍କୃତିକ ଐତିହ୍ୟ, କାରିଗରୀ ଏବଂ କଳାକୃତିର ସମାହାର । ଆମର ବୁଣାକାରମାନେ ଦେଶର ବୟନ ଐତିହ୍ୟକୁ ସଂରକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ଏବଂ ନବସୃଜନ ଆଧାରରେ ବୟନ କ୍ଷେତ୍ରକୁ ପରିବର୍ତ୍ତନ କରୁଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତ ହେଉଛି  ବିବିଧ ହସ୍ତତନ୍ତ ପରମ୍ପରାର ଗନ୍ତାଘର । କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କିବିଥୁ ପର୍ଯ୍ୟନ୍ତ ଆମର ପ୍ରତ୍ୟେକ ପୋଷାକ ଆମର ସାଂସ୍କୃତିକ ଐତିହ୍ୟ, ନୀତି ଏବଂ ବିବିଧତାର ଏକ ଜୀବନ୍ତ ପ୍ରମାଣ । ସମ୍ବଲପୁରୀରୁ ଇକତ ; ଓଡ଼ିଶାର ହସ୍ତତନ୍ତ ପରମ୍ପରା ଏବଂ କାରିଗରୀର ଏକ ଭଣ୍ଡାର।  ଆମର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ଜୀବିତ ରଖିବା ପାଇଁ କାମ କରୁଥିବା କାରିଗର, କଳାକାର ଏବଂ ବୁଣାକାରମାନଙ୍କୁ ଧନ୍ୟବାଦ । ଆମେ ଆଜି ଏବଂ ପ୍ରତିଦିନ ଗର୍ବର ସହିତ ସର୍ବଦା ହସ୍ତତନ୍ତ ପିନ୍ଧିବା ଏବଂ ପ୍ରତ୍ୟେକ ସୂତାରେ ଜୀବନ ଦେଉଥିବା କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Leave A Reply