Odisha news

ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ; ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଆମର ଲକ୍ଷ୍ୟ : ମନ୍ତ୍ରୀ

0

ଭୁବନେଶ୍ୱର(Suvendra Pattanaik) : ଆଜି ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ସ୍ଥାନୀୟ କୃଷି ଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ବୈଠକରେ ଅଧ୍ୟକ୍ଷତା କରି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା @୨୦୩୬ ସ୍ଵପ୍ନକୁ ସାକାର କରିବା ପାଇଁ ଆମକୁ ଆତ୍ମନିର୍ଭରଶୀଳ ସହ ମାଛ, ମାଂସ, କ୍ଷୀର, ଅଣ୍ଡା ବିଦେଶକୁ ରପ୍ତାନୀ କରି ଆର୍ଥିକ ଭାବେ ସଶକ୍ତ ହେବା ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ଵାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟାଦେଶପତ୍ର ବଣ୍ଟନ ଓ ସେଗୁଡିକର ସ୍ଥିତି ଉପରେ ବିଷଦ ଭାବେ ସମୀକ୍ଷା ହୋଇଥିଲା । ଏହି ଯୋଜନାର ସହାୟତା ଯଥା ସମୟରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ଆମ ରାଜ୍ୟରେ ଦୈନିକ ପ୍ରାୟ ୭୨ ଲକ୍ଷ ଳିଟର ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଏହାକୁ ଦୁଇ ଗଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ପର୍ଯ୍ୟନ୍ତ ୬୪,୦୦୦ ରୁ ଉର୍ଦ୍ଧ୍ଵ ଆବେଦନ ଗ୍ରହଣ କରାଯାଇଛି ।

ରାଜ୍ୟର ପ୍ରାଣିପାଳକମାନଙ୍କ ଆୟ ବୃଦ୍ଧି ପାଇଁ ବିଭାଗ ତରଫରୁ କୁକୁଡ଼ା ପାଳନ, ଗୋ-ପାଳନ ଓ ଦୁଗ୍ଧ ଉତ୍ପାଦନ, ଛେଳି ପାଳନ, ଘୁଷୁରୀ ପାଳନ, ଘାସ ଚାଷ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ଏହି ସବୁ କାର୍ଯ୍ୟକ୍ରମରେ ଚାଷୀଙ୍କୁ ଠିକ ସମୟରେ ଉଚିତ ପରିମାଣର ରିହାତି ଯୋଗାଇ ଦେଇ ଯୋଜନାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ତତ୍ପର ହେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହା ସହ ପ୍ରାଣୀମାନଙ୍କ ଟୀକାକରଣ, କୃତ୍ରିମ ପ୍ରଜନନ, ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରୀ ପାଇବା ପାଇଁ ଲିଙ୍ଗ ନିରୂପିତ ଶୁକ୍ର ମାଧ୍ୟମରେ କୃତ୍ରିମ ପ୍ରଜନନ, କୁକୁଡ଼ା ପାଳନ, ଛେଳି ପାଳନ, ଗୋ-ପାଳନ, ବୁଲା ଓ ଅସହାୟ ପ୍ରାଣୀଙ୍କୁ ଜରୁରୀକାଳୀନ ଚିକିତ୍ସା ଆଦି କାର୍ଯ୍ୟକ୍ରମ ବିଷୟରେ ମାନ୍ୟବର ମନ୍ତ୍ରୀ ସମୀକ୍ଷା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଗୋପାଳକ ଓ ପ୍ରାଣିପାଳକଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

୨୦୨୪-୨୫ ଆର୍ଥିକ ବର୍ଷରେ ୧.୫ କୋଟି ପ୍ରାଣିଙ୍କ ଚିକିତ୍ସା କରାଯାଇଥିବା ବେଳେ ୫ କୋଟିରୁ ଉର୍ଦ୍ଧ୍ଵ ଟୀକାକରଣ କରାଯାଇଛି । ପ୍ରାଣିସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସେବା ଯୋଗାଇଦେବା ପାଇଁ ରାଜ୍ୟରେ ୫୪୧ ପ୍ରାଣିଚିକିତ୍ସାଳୟ, ୩୧୪ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ, ୩୨୩୯ ପ୍ରାଣିସମ୍ପଦ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି । ଗାଁ ଗାଁ ବୁଲି ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ ଦ୍ଵାରା ଲୋକଙ୍କ ନିକଟରେ ପ୍ରାଣୀ ସେବା ପହଞ୍ଚାଇବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ପ୍ରାଣିପାଳକମାନଙ୍କ ଆୟ ବୃଦ୍ଧି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ କହିଥିଲେ ।

ବୁଲା ଓ ଅସହାୟ ପ୍ରାଣୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟରେ ୧୪ ଗୋଟି ପ୍ରାଣୀ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଏ ଦିଗରେ ୨୪ ଘଣ୍ଟିଆ ଆନିମଲ ହେଲ୍ପ ଲାଇନ କାର୍ଯ୍ୟ କରୁଛି । ଏହାକୁ ଆହୁରି ବ୍ୟାପକ କରି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳରେ ପ୍ରାଣୀ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଲକ୍ଷ୍ୟ ରହିଛି ।

ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ରୀନା ମହାପାତ୍ର, ଏପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ସିୱାର ନିର୍ଦ୍ଦେଶକ ମୃଦୁଳା ଦେବୀ, ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଗତକାଲି ମଙ୍ଗଳବାର, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply