Odisha news

ମିଳିଲାନି ମହାପ୍ରଣୟ କି ଆମ୍ବୁଲାନ୍ସ ; ଶବକୁ କାନ୍ଧରେ ନେଇ ରାଜରାସ୍ତାରେ ଚାଲିଲେ ପରିବାର

0

ବାରିପଦା : ଶବକୁ ଅସମ୍ମାନ, ମିଳିଲାନି ମହାପ୍ରଣୟ କିମ୍ବା ଆମ୍ବୁଲାନ୍ସ, ସମସ୍ତଙ୍କୁ ପୋଲିସ ମନା କରିଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ବାଧ୍ୟ ହୋଇ ପୋଷ୍ଟମୋର୍ଟମ୍ ପରେ ମୃତଦେହକୁ କାନ୍ଧରେ ବହିବହି ନେଲେ ପରିବାର । ଅଧାବାଟରେ ମୃତଦେହକୁ ଛଡ଼ାଇନେଇ ଚାଲିଗଲା ପୋଲିସ । ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରର ରାଜରାସ୍ତାରେ । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକଙ୍କ ଅଭିଯୋଗ । ପ୍ରେମିକାଙ୍କ ଘରେ ପ୍ରେମିକର ମୃତଦେହ ଉଦ୍ଧାର ହେବାପରେ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର । ମୃତକ ଜଣଙ୍କ ହେଉଛନ୍ତି ବାରିପଦା ସଦର ଥାନା ଅଧିନସ୍ଥ ଦାମଦୋରପୁର ଅଞ୍ଚଳର ପ୍ରକାଶ ବିନ୍ଧାଣି(୧୯) । ସୂଚନା ମୁତାବକ ଗତ ୬ତାରିଖ ବୁଧବର ଦିନ ପ୍ରକାଶଙ୍କ ମୃତ ଦେହକୁ ନିଜ ଗାଁରେ ଥିବା ପ୍ରେମିକାଙ୍କ ଘରୁ ସନେ୍ଦହଜନକ ଭାବେ ଉଦ୍ଧାର ହେବାପରେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ପୋଲିସ ଗତକାଲି ମୃତଦେହ ଜବତ୍ କରି ଆଜି ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ପୋଷ୍ଟମୋର୍ଟମ୍ କରିବାପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲେ । ହେଲେ କୌଣସି ସରକାରୀ ଓ ବେସରକାରୀ ଗାଡି କିମ୍ବା ଆମ୍ବୁଲାନ୍ସ ମୃତଦେହକୁ ନେବାକୁ ମନା କରିଦେବାରୁ ଶବକୁ ନିଜ କାନ୍ଧରେ ବହି ନେଉଥିଲେ ସମ୍ପର୍କୀୟ । ତେବେ ଶବକୁ ଏଭଳି ରାସ୍ତାରେ ବହି ବହି ନେବାର ଖବର ପ୍ରଚାରିତ ହେବା ପରେ ବାରିପଦା ସହରର ପାଲବଣି ଗୋଲେଇ ନିକଟରୁ ପୋଲିସ ଜୋର ଜବରଦସ୍ତ ମୃତଦେହ ପରିବାର ଲୋକଙ୍କ ଠାରୁ ଛଡ଼ାଇ ନେଇ ନିଜ ଗାଡ଼ିରେ ନେଇଯାଇଛି । ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିବା ସହ ନ୍ୟାୟ ଦାବୀରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ମାନେ ସଦର ଥାନାରେ ପହଞ୍ଚି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ । ପର ମୁହୂର୍ତ୍ତରେ ବାରିପଦା ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଉକ୍ତ ଘଟଣାରେ ସଦର ଥାନାରେ ଅପମୃତୁ୍ୟ ଓ ହତ୍ୟା ଘଟଣାର ଦୁଇଟି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।

Leave A Reply