ବାରିପଦା ସହର ସ୍ୱଚ୍ଛତାରେ ଏକ କଦମ୍ ; ଯନ୍ତ୍ର ଚାଳିତ ସଫେଇ ମେସିନ୍ ହେଲା ଲୋକାର୍ପିତ
ରାଜ୍ୟର ତୃତୀୟ ପୌରପାଳିକା ଭାବେ ବାରିପଦାରେ ସେବା ଆରମ୍ଭ
ବାରିପଦା : ବାରିପଦା ପୌରପରିଷଦ ପକ୍ଷରୁ ବାରିପଦା ସହରକୁ ସବୁଜ ସୁନ୍ଦର ସହର ଭାବେ ଗଢି ତୋଳିବା ସହ ବାରିପଦା ସହରକୁ ସ୍ୱଚ୍ଛତା ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଶନିବାର ପୁଣି ସ୍ୱଚ୍ଛତା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଛି । ସ୍ୱଚ୍ଛତାକୁ ବଜାଇ ରଖିବା ପାଇଁ ଆଉ ଏକ କଦମ୍ ଆଗେଇଛି ବାରିପଦା ପୌରପରିଷଦ । ବାରିପଦା ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟଙ୍କ ଉପସ୍ଥିତରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ସ୍ୱଚ୍ଛତା ପାଇଁ ବାରିପଦା ସହରରେ ପ୍ରଥମଥର ପାଇଁ ଯନ୍ତ୍ର ଚାଳିତ ସଫେଇ ମେସିନ ଉଦ୍ଘାଟିତ ହେବା ସହ ଏହାର ଟ୍ରାଇଲ୍ ରନ୍ କରାଯାଇଛି । ଏହି ସେବା ବାରିପଦାରେ ପ୍ରଥମଥର ପାଇଁ ଲୋକାର୍ପିତ ହୋଇଥିବାବେଳେ ରାଜ୍ୟର ତୃତୀୟ ପୌରପାଳିକା ଭାବେ ବାରିପଦା ପୌରପରିଷଦ ଏହି ସେବା ଦେବାର ଗୌରବ ଅର୍ଜନ କରିଛି । ବର୍ତ୍ତମାନ ଉକ୍ତ ମେସିନ୍ ଦ୍ୱାରା ଖୁବ୍ କମ୍ ସମୟ ମଧ୍ୟରେ ସହଜରେ ସଫେଇ କାର୍ଯ୍ୟ କରିହେବ । ଏନେଇ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଯୋଜନାରେ ବାରିପଦା ପୌରପରିଷଦ ପକ୍ଷରୁ ୧କୋଟି ୫୦ଲକ୍ଷଟଙ୍କା ବ୍ୟୟରେ ଦୁଇଗୋଟି ଯନ୍ତ୍ରଚାଳିତ ସଫେଇ ମେସିନ୍ ବ୍ୟବସ୍ଥା କରାଯାଇଛି । ବାରିପଦା ସହରର ମୁଖ୍ୟ ରାସ୍ତାଗୁଡିକ ଉକ୍ତ ମେସିନ ଜରିଆରେ ପ୍ରତିଦିନ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ଅନୁଷ୍ଠିତ ହେବ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ବେତନଟୀକୁ ନୂତନ ଏନଏସି ଭାବେ ଓ କରଞ୍ଜିଆ ଏନ୍ଏସିକୁ ପୌରପରିଷଦ ଭାବେ ଘୋଷଣା କରାଯାଇଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନ୍ସିଲର, ସ୍ୱଚ୍ଛ ସାଥି, ସଫେଇ ସୁପରଭାଇଜର, ସଫେଇ କର୍ମଚାରୀ ଓ ବାରିପଦା ପୌରପାଳିକାର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ବାରିପଦା ସହରକୁ ସ୍ୱଚ୍ଛତା ରଖିବାରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଏପରି ବଳିଷ୍ଠ ପଦକ୍ଷେପକୁ ସବୁରୀ ମହଲରେ ପ୍ରଶଂସା କରାଯାଇଛି ।