ବାରିପଦା : ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧିନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୨୬ଲକ୍ଷ ଟଙ୍କାର ୧୩ହଜାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି । ଶନିବାର ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ମୟୂରଭଞ୍ଜ ଏସପି ଏସ.ସୁଶ୍ରୀଙ୍କ ନିଦେ୍ର୍ଦଶ କ୍ରମେ ମିଳିତ ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ ଯଶିପୁର ତହସିଲଦାରଙ୍କ ନେତୃତ୍ୱରେ କରଞ୍ଜିଆ ଏସଡିପିଓ, ଯଶିପୁର ଆଇଆଇସି, ଅବକାରୀ ଓ ବନବିଭାଗ ସହିତ ମିଳିତ ଭାବେ ସଦଳବଳେ ଚଢାଉ କରିଥିଲେ । ସେହିପରି ପଡାଗଡ ପଞ୍ଚାୟତର ବୁନେ୍ଦଇପୋଷି ଗ୍ରାମରେ ପହଞ୍ଚି ୭ଡେସିମିଲ ଜମିରେ ୩ହଜାର ଅଫିମ ଗଛ ପୋଡି ନଷ୍ଟ କରିଛନ୍ତି । ଯାହାର ବଜାର ମୂଲ୍ୟ ୬ଲକ୍ଷ ଟଙ୍କା ହେବ । ସେହିପରି ଧଳାବଣି ପଞ୍ଚାୟତର ଠାକୁରଗୋଡା ଗ୍ରାମରେ ପହଞ୍ଚି୨୧ଡେସିମିଲ ଜମିରେ ୧୦ହଜାର ଅଫିମ ଗଛ ପୋଡି ନଷ୍ଟ କରିଛନ୍ତି । ଯାହାର ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଯଶିପୁର ପୁଲିସ ପକ୍ଷରୁ ଏନଡିପିଏସ ଆକ୍ଟରେ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିରୋସିନି ଢାଳି ନିଅାଁ ଲଗାଇ ନଷ୍ଟ କରାଯାଇଛି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟାଳୟ ଡିଏସପି ସୂଚନା ଦେଇଛନ୍ତି । ତେବେ ଶିକାର ଓ ଶିକାରୀଙ୍କ ଉପରେ ଅଙ୍କୁଶ ଆଣିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ନିୟୋଜିତ ସହିତ ବ୍ୟାପକ ଧରପଗଡ ପରେ ରେକର୍ଡ ସଂଖକ ବନ୍ଧୁକ ଜବତ କରାଯାଉଥିବାବେଳେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଅଫିମ ଚାଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।