Odisha news

ରାଜ୍ୟର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଶିଳ୍ପ ଅନୁଷ୍ଠାନର ୯୩ତମ ପ୍ରତିଷ୍ଠା ଦିବସ ପାଳିତ

0

ବାରିପଦା : ମୟୂରଭଞ୍ଜ ଗଡଜାତ ଶାସନ ଅମଳରେ ୧୯୩୧ମସିହା ଫେବୃଆରୀ ୯ତାରିଖରେ ସ୍ଥାନୀୟ ଷ୍ଟେସନ ବଜାର ଠାରେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜ ଏବଂ ବିହାର ଓଡିଶା ଗଭର୍ଣ୍ଣର ସାର୍ ଜେମସ୍ ଡେଭିଡ୍ ସିଫ୍ଟନ୍ଙ୍କ ଶିଳାନ୍ୟାସ ପରେ ଓଡିଶାରେ ପ୍ରଥମ ବୈଷୟିକ ଶିକ୍ଷାଦାନ ଉଦେ୍ଦଶ୍ୟରେ ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା । ଏହି ଐତିହାସିକ ଅନୁଷ୍ଠାନର ୯୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ଅଧିକ୍ଷକ ପ୍ରଭୁଦତ୍ତ ରାଉତ୍ ସଭାପତିତ୍ତ୍ୱରେ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ସିଟିଜେନ୍ ଫୋରମ୍ ଆନୁକୁଲ୍ୟରେ ପାଳିତ ଏହି ପ୍ରତିଷ୍ଠା ଦିବସରେ ଫୋରମ୍ର ସଂଯୋଜକ ସାମ୍ବାଦିକ ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଏମ୍ପିସି କଲେଜର ଆଲମୁନି ସଭାପତି ତଥା ବର୍ଷିୟାନ୍ ସାମ୍ବାଦିକ ଡଃ ବିଜୟ କୁମାର ଅଗରୱାଲା ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ ଅନୁଷ୍ଠାନର ନାମକୁ ସାର୍ଥକ କରି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଇତିହାସ ରଚି ଏକାଧାରରେ ଏହି ଅନୁଷ୍ଠାନରେ ପ୍ରଥମ ମେଟ୍ରିକ ପାଶ୍ ଛାତ୍ର ଭାବେ ନାମ ଲେଖା ଏବଂ ତାଲିମ୍ ପରେ ପ୍ରଥମ ମେଟ୍ରିକୁ୍ୟଲେଟ୍ ହେବା ସହିତ ପ୍ରଶିକ୍ଷକ ଚାକିରୀ, ଅଣଯାନ୍ତ୍ରିକ ବିଭାଗୀୟ ହୋଇବି ପ୍ରଥମ ଅଧୀକ୍ଷକ ପଦବୀ ମଣ୍ଡନ, ଓଡିଶାରେ ବୈଷୟିକ ବିଭାଗୀୟ ପ୍ରଥମ ପାଠ୍ୟ ପୁସ୍ତକ ରଚନା ଯାହାକି ଉକôଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତ, ଜିଲ୍ଲାରେ ଶୈକ୍ଷିକ ବିକାଶର ଉନ୍ମାୟକ, ସମଗ୍ର ରାଜ୍ୟରେ ମାନବ ଧର୍ମର ପ୍ରଥମ ପ୍ରବର୍ତ୍ତକ ଆଦି ତାଙ୍କର ଅଗ୍ରଗଣ୍ୟ ପାରଦର୍ଶିତା ପାଇଁ ସେ ବହୁ ଜାତୀୟ ଏବଂ ରାଜ୍ୟସ୍ତରୀୟ ଉପାଧି ପ୍ରାପ୍ତି ସହିତ ନିକଟରେ ସନ୍ଥମୂର୍ତ୍ତି ଉପାଧି ପାଇଥିବାରୁ ସମଗ୍ର ଜିଲ୍ଲା ତାଙ୍କ ପାଇଁ ଗର୍ବିତ କହି ତାଙ୍କ ପ୍ରେରଣାର ଉତ୍ସ ଏହି ଅନୁଷ୍ଠାନର ପ୍ରତିଷ୍ଠା ଦିବସରେ ତାଙ୍କୁ ସେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉତ୍ସବର ଆକର୍ଷଣ ସନ୍ଥମୂର୍ତ୍ତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଜନ୍ମଗତ ପରିଚୟ ଭୁଲି ତଳୁ ଉପରକୁ ଉଠିବାକୁ ହେଲେ ଛାତ୍ରଛାତ୍ରୀମାନେ ପାଠପଢ଼ି ଶ୍ରେଣୀରେ ସାଙ୍ଗସାଥିଙ୍କୁ ପଢ଼ାଇବାର ସାହସ ରଖିଲେ, ଯେକୌଣସି ଦୁଃଖ ଦକ୍ଷ କରିପାରେ ଶୈଳୀ ଶିଖି ଜାଣିଲେ ଏବଂ ପରହିତ ଲାଗି ସ୍ମରଣୀୟ ଅବଦାନ ଦେଇ ଅନ୍ନଦାତା ହେବା କ୍ଷେତ୍ରରେ ପଥର ପଡିଲେ ବି ସହି ପାରିଲେ କ୍ଷତ ଖ୍ୟାତିରେ ପରିଣତ ହୁଏ ବୋଲି ସ୍ୱାନୁଭୂତି ରଖି ନିଜେ ତାର ଉଦାହରଣ ବୋଲି ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ଅତିଥିଗଣ ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଫୋରମ୍ର ସମ୍ପାଦକ ଆଇନଜୀବୀ ବିପ୍ଳବ କୁମାର ବାରିକ ସ୍ୱାଗତ ଅଭିଭାଷଣ ସହ ଫୋରମ୍ର ଆଭିମୁଖ୍ୟ କଥନ ପ୍ରଦାନ କରିଥିଲେ । ଫୋରମ୍ ତରଫରୁ ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ପ୍ରତ୍ୟେକ ବର୍ଷ ପ୍ରତିଷ୍ଠା ଦିବସକୁ ବାର୍ଷିକ ଉତ୍ସବ ରୂପେ ପାଳନ କରିବାକୁ ପରାମର୍ଶ ଦେଇ ତାହା ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ପ୍ରତି ପୂଜ୍ୟପୂଜା ହେବ ବୋଲି ସଂଯୋଜକ ମତବ୍ୟକ୍ତ କରିଥିଲେ । ପ୍ରତିବର୍ଷ ପ୍ରତିଷ୍ଠା ଦିବସରେ ଅନୁଷ୍ଠାନର କୃତି ବିଦ୍ୟାର୍ଥୀଙ୍କୁ ସିଟିଜେନ ଫୋରମ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା । ଶେଷରେ ଅନୁଷ୍ଠାନର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ବ୍ରଜକିଶୋର ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅବସରପ୍ରାପ୍ତ ଓ ବର୍ତ୍ତମାନର ପ୍ରଶିକ୍ଷକ ଓ କର୍ମଚାରୀ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply