Odisha news

୧୦ମ ମୟୂରଭଞ୍ଜ ପୁସ୍ତକମେଳା ଉଦ୍ୟାପିତ

0

ବାରିପଦା  : ନଅଦିନ ଧରି ସାରସ୍ୱତ, ସାଂସ୍କୃତିକ ଏବଂ ସ୍କୁଲ ତଥା କଲେଜ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ସଂଗୀତ ନୃତ୍ୟ ଆଦିର ପ୍ରତିଯୋଗିତା ପରେ ପବିତ୍ର ବଡଦିନ ପର୍ବର ପୂର୍ବସନ୍ଧ୍ୟା ୧୦ମ ମୟୂରଭଞ୍ଜ ପୁସ୍ତକମେଳା ଉଦ୍ୟାପିତ ହୋଇଯାଇଛି । ମେଳାର ନବମ ଦିବସ ଅନୁଷ୍ଠାନ ଆନୁକୂଲ୍ୟରେ କବି ଓ କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ର, ଗୋପାଳ ଚନ୍ଦ୍ର ସାଓ ଏବଂ ସ୍ନେହାଶିଷ ମହାନ୍ତିଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତାପାଠରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା ଅନୁନ୍ୟ ପ୍ରାୟ ୨୨ଜଣ କବି ସ୍ୱରଚିତ କବିତାମାନ ପାଠ କରିଥିବାବେଳେ ମାଆମାନଙ୍କର ଆକର୍ଷଣୀୟ ପିଠା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସାନ୍ଧ୍ୟ ସାରସ୍ୱତ ଆସରରେ ବିରଜା ଦେବୀଙ୍କ ପୌରୋହିତ୍ୟରେ ବକ୍ତବ୍ୟ ରଖିଥିଲେ ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଏବଂ ଯୁବ ସମାଜସେବୀ ଇଂ ଅରୁଣ କୁମାର ସରକାର । ପୁସ୍ତକମେଳାର ଅନ୍ତିମ ଦିବସ ତଥା ଉଦ୍ୟାପନ ଉତ୍ସବର ସାରସ୍ୱତ ମଞ୍ଚରେ ପ୍ରଖ୍ୟାତ ଭାଷାବିତ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତା, ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ଦମୟନ୍ତୀ ବେଶ୍ରା ମୁଖ୍ୟଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍ବୋଧନ ଦେଇ କହିଥିଲେ, “ସମାଜକୁ ପୁସ୍ତକ ଶୃଙ୍ଖଳିତ କରେ ଏବଂ ବହିରୁ ଆମେ ପ୍ରେରଣା ପାଉ’ । ସଭାରେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଉତ୍ତର ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା ସୁରକ୍ଷାର ଅନ୍ୟତମ ସଂଗ୍ରାମୀ ଡାଃ ଦୀନେଶ କୁମାର ଷଡଙ୍ଗୀ ଓ ବାରିପଦା ପୌରପାଳିକାର ଉପନଗରପାଳ ସୀମା ଦାସ ଯଥାକ୍ରମେ ମୁଖ୍ୟବକ୍ତା ଏବଂ ବିଶେଷ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅଧୁନା ସମୟରେ ପୁସ୍ତକମେଳାର ଉପାଦେୟତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସଭାରେ ପୌରୋହିତ୍ୟ କରିଥିଲେ ପୁସ୍ତକମେଳାର ସଭାପତି ପଦ୍ମନାଭ ସାହୁ । ସମାରୋହରେ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ହୋଇଥିବା ବେଳେ ଅନୁଷ୍ଠାନ ତରଫରୁ ଅଭୟ କୁମାର ଦାସ, ସିଦେ୍ଧଶ୍ୱର ପଣ୍ଡା ଓ କୁମାରେଶ ନାୟକଙ୍କୁ ମାନପତ୍ର, ଉତ୍ତରୀୟ ତଥା ପୁଷ୍ପଗୁଛ ଦେଇ ଚଳିତବର୍ଷ ପାଇଁ ସମ୍ମାନଜନକ ‘ପୁସ୍ତକ ମେଳା ସମ୍ମାନ’, ‘କବିତା ସମ୍ମାନ’ ଓ ‘ଯୁବପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା । ମଞ୍ଚ ଆମନ୍ତ୍ରଣ ଏବଂ ଅତିଥି ପ୍ରଦାନ କରିଥିଲେ ସହ ସମ୍ପାଦକ ବିଶେଶ୍ୱର ଦ୍ୱିବେଦୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଇଂ ମନୋଜ କୁମାର ଦଳବେହେରା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଦସ୍ୟ ସର୍ବଶ୍ରୀ ଅଜିତ କୁମାର ପାଣିଗ୍ରାହୀ, ଅଜିତ କୁମାର କବାଟ, ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ, ଜଗନ୍ନାଥ ସାହୁ, ଶିଉଲାଲ ମହାନ୍ତ, କୈବଲ୍ୟ ପ୍ରସାଦ ମହାପାତ୍ର, ସମରେନ୍ଦ୍ର କୁମାର ବଶା, ପାର୍ବତୀ ବାରିକ, ଦୀପ୍ତି ମିଶ୍ର, ସୁଶ୍ରୀ ବସୁନ୍ଧରା ଭୋଇ, ଜ୍ୟୋତିର୍ମୟୀ କବାଟ ଓ ଜୟନ୍ତ କୁମାର ଦ୍ୱାରା ପ୍ରମୁଖ ।

Govt
Leave A Reply