ବାରିପଦା, : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ ସମୟରେ ତିନିଜଣ ଛାତ୍ରଙ୍କୁ ଆଣ୍ଠେଇ ଦେବାକୁ ନେଇ ବିବାଦ ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ, ନବମଶ୍ରେଣୀର ତିନିଜଣ ଛାତ୍ରଙ୍କୁ ପ୍ରାର୍ଥନା କ୍ଲାସରେ ଆଣ୍ଠେଇ ଦେବାର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ଭିନ୍ନ ମୋଡ ନେଇଛି । ଏହି ଘଟଣାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ନବମଶ୍ରେଣୀ ଜଣେ ଛାତ୍ରଙ୍କର ବାପା ଜଗତ ଜୀବନ ସାହୁ ତାଙ୍କ ପିଲାଙ୍କୁ ବିନା ଦୋଷରେ ଆଣ୍ଠେଇ ଦେଇ ପ୍ରଧାନଶିକ୍ଷୟିତ୍ରୀ ମସ୍ତବଡ ଭୁଲ କରିବା ସହ ବିଦ୍ୟାଳୟର ସମସ୍ତ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ଅଭିଯୋଗ କରିବା ସହ ଏହି ଘଟଣାକୁ ନେଇ ତାଙ୍କ ପିଲା ଉପରେ ମାନସିକ ଚାପ ପଡୁଥିବାର ଅଭିଯୋଗ କରିଛନ୍ତି । ଏଥିସହ ବିଦ୍ୟାଳୟରେ ଛାତ୍ରଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେବାର ନିୟମ ନଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ କିପରି ଦଣ୍ଡ ଦେଳେ ବୋଲି ପ୍ରଶ୍ନ କରିବା ସହ ଏନେଇ ସେ ଏହି ଘଟଣା ସମ୍ବନ୍ଧରେ ଟାଉନଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଜେନା ଏହି ଛାତ୍ରମାନେ ବିଭିନ୍ନ ସମୟରେ ସ୍କୁଲକୁ ନଆସିବା, ଭଲ ଆଚରଣ ପ୍ରଦର୍ଶନ ନକରିବା, ବିଶୃଙ୍ଖଳା ଆଚରଣ କରିବା ତଥା ଚୁଟି ଠିକ୍ ଭାବରେ କାଟି ନଥିବାରୁ ସେମାନଙ୍କୁ ଆଣ୍ଠେଇ ଦେଇଥିବା କଥା ସ୍ୱୀକାର କରିବା ସହ କେବଳ ସେମାନଙ୍କ ଆଚରଣ ଭଲ କରନ୍ତୁ ବୋଲି ସେ ଚାହୁଁଥିଲେ ଏବଂ ଅନ୍ୟ ସମସ୍ତ ଅଭିଯୋଗ ଉଦେ୍ଦଶ୍ୟପ୍ରଣିତ ବୋଲି ସଫେଇ ଦେଇଛନ୍ତି । ଅପରପକ୍ଷରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଏକ ପ୍ରତିଷ୍ଠିତ ବିଦ୍ୟାଳୟ ସହ ଶତାୟୁ ବିଦ୍ୟାଳୟ ଭାବେ ପରିଚିତ ଥିବାବେଳେ ଏହାର ଗାରିମା ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।