ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବା ସହ ବିଶେଷ କରି ବାରିପଦାରେ କରୋନା ସଂଖ୍ୟାକୁ ନେଇ ଚିନ୍ତାରେ ସହରବାସୀ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ଓ ବୃଦ୍ଧିଜିବୀଙ୍କ ପକ୍ଷରୁ ଜିଲ୍ଲାକୁ କିଛିଦିନ ପାଇଁ ସଟ୍ଡାଉନ୍ କରିବାପାଇଁ ମତପ୍ରକାଶ ପାଇଛି । ଅପରପକ୍ଷରେ ବାରିପଦା ସହରରେ କରୋନା ଆକ୍ରାନ୍ତଙ୍କ ସହ ଅନେକ ଲୋକଙ୍କ ମୃତୁ୍ୟବରଣ କରୁଥିବାରୁ ଚିନ୍ତା ପ୍ରକାଶ କରିଛି ବାରିପଦା ନାଗରିକ କ୍ରିୟାନୁଷ୍ଠାନ କମିଟି ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାରିପଦା କ୍ରିୟାନୁଷ୍ଠାନ କମିଟି ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ନିଜର ମତ ଜଣାଇଥିଲେ । କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି କ୍ରମେ ୨୫ତାରିଖ ଶୁକ୍ରୁବାର ଠାରୁ ୭ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆସନ୍ତା ଅକ୍ଟୋବର ମାସ ୧ତାରିଖ ଗୁରୁବାର ପର୍ଯ୍ୟନ୍ତ ବାରିପଦା ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ଦୋକାନ ବଜାର ଓ ବ୍ୟବସାୟୀ ପ୍ରତିଷ୍ଠାନକୁ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।
ଏହି ବନ୍ଦର ପରିସରରୁ ଅତ୍ୟାବଶ୍ୟକୀୟ ସେବାଗୁଡିକ ବାଦ୍ ରହିବ ବୋଲି ଜିଲ୍ଲା ଓକିଲ ସଂଘ, ମୟୂରଭଞ୍ଜ ବ୍ୟବସାୟୀ ସଂଘ, ବ୍ୟବସାୟୀ ସଂଘ ବାରିପଦା, ପ୍ରେସ ସଂଘ ବାରିପଦା, ଭଞ୍ଜସେନା ବାରିପଦା, ବୈପ୍ଲବୀ ଯୁବଛାତ୍ର ସଂଗଠନ ଓ ଯୁବସମାଜ ବାରିପଦା ପକ୍ଷରୁ ମିଳିତ ଭାବେ ବାରିପଦା ସହରବାସୀଙ୍କୁ ନିବେଦନ କରାଯାଇଛି ବୋଲି ଦଲିତ ଆଦିବାସୀ ମହାସଂଘ ସଭାପତି ଓ ଭଞ୍ଜସେନା କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେହିପରି ଜିଲ୍ଲା ଓକିଲ ସଂଘ ପକ୍ଷରୁ କରୋନାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ଚଳିତମାସ ୨୮ତାରିଖ ପର୍ଯ୍ୟନ୍ତ ଓକିଲମାନଙ୍କୁ ବାରିପଦା କୋର୍ଟ ଯିବାକୁ ବାରଣ କରାଯାଇଛି । ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ୧୭୪ଜଣ ନୂଆ କରୋନା ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୬୯୩୩ରେ ପହଞ୍ଚିଛି