ମୟୁରଭଞ୍ଜ : ପୁଣି ଖଟିଆରେ ବୁହା ହେଲା ରୋଗୀ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନା କୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବାଉତିବେଡା ପଞ୍ଚାୟତରେ । ବାଉତିବେଡା ପଞ୍ଚାୟତ ଅନ୍ତର୍ଗତ ବଡ଼ବାଲିଚୁଆ ଗ୍ରାମ ସ୍ଥିତ ଢ଼ିପାସାହି ରେ ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ୩୫ ରୁ ଉର୍ଦ୍ଧ୍ବ ପରିବାରର ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ମୁଖ୍ୟ ରାସ୍ତାରୁ ଏହି ଗ୍ରାମକୁ ସଂଯୋଗ ହୋଇଥିବା ପ୍ରାୟ ଦେଢ଼ କିଲୋମିଟର ବିଶିଷ୍ଟ ରାସ୍ତାଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାରୁ ଏହି ସାହିବାସିନ୍ଦା ର ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହୋଉଛନ୍ତି।
ଏହି ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ସାମାନ୍ୟ ବର୍ଷାରେ ଏହି ରାସ୍ତାର ଅବସ୍ଥା ନ କହିବା ଭଲ । ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ପାଣି ଜମିଯିବାରୁ ଏହି ଗ୍ରାମ ମଧ୍ୟକୁ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗ କିମ୍ବା ଆମ୍ବୁଲାନ୍ସ ପ୍ରବେଶ କରି ପାରେନାହିଁ। ଫଳରେ ରୋଗୀ ମାନଙ୍କୁ ଦୀର୍ଘ ଦେଢ କିଲୋମିଟର ଧରି ଖଟିଆ ରେ ବୁହା ହୋଇଥାଏ। ତେବେ ଏ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ପାଇ ପାରିନାହାନ୍ତି