ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିବା ସହ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାବାସୀ ଚିନ୍ତିତ ହୋଇପଡିଛନ୍ତି । ସୋମବାର ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୭୨୧କୁ ଛୁଇଁଛି । ସୋମବାର ମୋଟ୍ ୨୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ସ୍ଥାନୀୟ ଅଞ୍ଚଳ ଏବଂ ଜଣେ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବାରିପଦା, ବଡସାହି, ରାଇରଙ୍ଗପୁର ଓ ବିଜାତଳା ବ୍ଲକରୁ ଜଣେ ଲେଖାଏଁ, ବାରିପଦା ପୌରାଞ୍ଚଳ, ଯଶିପୁର, ଶୁକୃଳି, ମୋରଡା ଓ କପ୍ତିପଦା ବ୍ଲକରୁ ଦୁଇଜଣ ଲେଖାଏଁ, କରଞ୍ଜିଆ ଏନଏସସି ଓ ରରୁଆଁ ବ୍ଲକରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକି୍ରୟା ଆରମ୍ଭ ହୋଇଯାଇଛି । କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି ।
