ବାରଙ୍ଗ : ୬୩ ବର୍ଷ ରେ ପାଦ ଥାପିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଆଜି ଥିଲା ଜନ୍ମଦିନ । ଏହି ଅବସରର ଶିଶୁ ପ୍ରାର୍ଯ୍ୟଟକ ଙ୍କ ପାଇଁ ଉପହାର ସ୍ୱରୂପ ପୁଣି ଖୋଲିଲା ଶିଶୁ ଉଦ୍ୟାନ । ଖାଲି ଶିଶୁ ଉଦ୍ୟାନ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପ୍ରାର୍ଯ୍ୟଟକ ଙ୍କ ଆକୃଷ୍ଟ କରିବା ପାଇଁ କର୍ଣ୍ଣାଟକ ମହୀଶୂର ଚିଡ଼ିଆଖାନାରୁ ଆସିଥିବା ୪ ମିରକାଟ ଏବଂ ୫ କଳା ହଂସଙ୍କୁ ଖୁଆଡ ରେ ଛଡାଯାଇଛି । ଏବଂ ଖୁବ୍ ଶୀଘ୍ର ରୋପେୱେ ଚାଲିବ ସହିତ ନିସଂଗ ଜୀବନ ବିତାଉଥିବା ଜିରାଫ ଖୁସି ପାଇଁ ଏକ ସାଥୀ ଆସିବ ବୋଲି ନିର୍ଦେଶକ ମନୋଜ ଭି ନାୟାର କହିଛନ୍ତି ।
ଦେଶ ବିଦେଶ ରେ ନିଜର ଖ୍ୟାତି ଅର୍ଜନ କରିଥିବା ରାଜ୍ୟର ସର୍ବ ବୃହତ ଚିଡ଼ିଆଖାନା ଭାବେ ପରିଚିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ୧୯୬୦ ଡିସେମ୍ବର ୨୯ରେ ପ୍ରତିଷ୍ଠା କରାଯାଇଥିଲା । ଗୁରୁବାର ତାର ୬୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ,ପିସିସିଏଫ (ବନ୍ୟପ୍ରାଣୀ) ତଥା ମୂଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶୀଲ କୁମାର ପୋଲପି,ପିସିସିଏଫ ଦେବିଦତ୍ତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ଵାରା ୨୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ଉନ୍ନତିକରଣ ହୋଇଥିବା ଶିଶୁ ଉଦ୍ୟାନ ଉଦଘାଟିତ ହୋଇଥିଲା।
ଏହି ଶିଶୁ ଉଦ୍ୟାନରେ ଶିଶୁ ମାନଙ୍କ ଲାଗି ଖସଡ଼ା,ଦୋଳି,ଶିଡ଼ି,ଝୁଲା,ଚକ୍ରି ଦୋଳି ଆଦି ରହିଛି।ଏଥିସହ କୁନି କୁନି ପିଲାଙ୍କୁ ଆକର୍ଷିତ କରିବା ପାଇଁ କିଛି ଛୋଟ ଛୋଟ ପକ୍ଷୀଙ୍କୁ ଭିତରେ ଥିବା ଖୁଆଡ ମଧ୍ୟରେ ଛଡ଼ା ଯାଇଛି।ଏହା ସହ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ନିର୍ମିତ ମା ଛେଉଣ୍ଡ ହୋଇ ଏଠାକୁ ଆସୁଥିବା ଜିବଜନ୍ତୁ ଙ୍କ ପାଇଁ ଲାଳନପାଳନ କେନ୍ଦ୍ର,ନବ ନିର୍ମିତ ଶଲ୍ୟ ଚିକିତ୍ସା ଗୃହ ଆଦି ମୁଖ୍ୟଅତିଥି ଉଦଘାଟନ କରିଛନ୍ତି।ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ମହୀଶୂର ଚିଡ଼ିଆଖାନାରୁ ଆସିଥିବା ୪ ମିରକାଟ ଏବଂ ୫ କଳା ହଂସଙ୍କୁ ମନ୍ତ୍ରୀଙ୍କ ଉପସ୍ଥିତିରେ ଖୁଆଡ ମଧ୍ୟକୁ ଛଡ଼ା ଯାଇଥିଲା।ପରେ ନନ୍ଦନକାନନର ବାର୍ଷିକ ପୁସ୍ତିକା,କ୍ୟାଲେଣ୍ଡର ଅନ୍ୟ ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା।ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବିଶେଷ ଅବଦାନ ଥିବା କେତକ କର୍ମଚାରୀଙ୍କୁ ସମ୍ମାନିତ ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ବହୁ ଅବସରପ୍ରାପ୍ତ ଅଧିକାରୀ,ନନ୍ଦନକାନନର ରେଞ୍ଜ ଅଫିସର,ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ପ୍ରାଣୀଉଦ୍ୟାନର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ।ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଦେଶକ ଡ଼ ସଞ୍ଜିତ କୁମାର ଧନ୍ୟବାଦ ପ୍ରଦାନ କରିଥିଲେ।