ଡ଼ଃ.ଅରୁନ୍ଧତୀ ଦେବୀ : ସଙ୍ଗୀତ ଯେ ଭାଷା ନୁହେଁ ଭାବର କଥା ଏହାର ଶ୍ରେଷ୍ଠ ଉଦାହରଣ ପାଲଟିଥିଲେ । ଗୋଟିଏ କି ଦୁଇଟି ଭାଷାରେ ନୁହେଁ ୧୬ଟି ଭାରତୀୟ ଭାଷାରେ ସେ ନିଜ ସଙ୍ଗୀତର ଯାଦୁ ସାରା ଭାରତ ବର୍ଷରେ ବିଚ୍ଛୁରିତ କରିଛନ୍ତି । ତାମିଲ, ତେଲୁଗୁ, କନ୍ନଡ଼, ହିନ୍ଦୀ ଓ ମାଲାୟଲମ୍ ସଙ୍ଗୀତ ଜଗତରେ ନିଜ ସଫଳତାର ଧ୍ୱଜା ଲହରାଇବା ସହ ଏହିସବୁ ଚଳଚ୍ଚିତ୍ର ଜଗତକୁ ନିଜ ଅନନ୍ୟ ଦାନରେ ଚିର ଋଣୀ କରିଯାଇଛନ୍ତି । ପିଲାଦିନେ କୁନି ମନରେ ଦେଖିଥିବା ସ୍ୱପ୍ନକୁ ସଙ୍ଗୀତ ସାହାଯ୍ୟରେ ଜୀବନସାରା ଜିଇଁଛନ୍ତି ।
“ମୈନେ ପ୍ୟାର୍ କିୟା’ ଚଳଚ୍ଚିତ୍ରର ଦିଲ୍ ଦିୱାନା… ସଙ୍ଗୀତ ହେଉ କି “ହମ୍ ଆପ୍ କେ ହୈ କୌନ୍’ ଚଳଚ୍ଚିତ୍ରର ଲତା ମଙ୍ଗେସକରଙ୍କ ସହ ଡୁଏଟ ଗୀତ “ଦିଦି ତେରା ଦେୱର ଦିୱାନା’ ସଙ୍ଗୀତ ଆଜି ବି ବଲିଉଡର କଲ୍ଟ ସଙ୍ଗୀତରେ ପରିଗଣିତ । ପ୍ରାୟ ୩୦ ବର୍ଷ ପରେ ଆଜି ବି ଲୋକେ ଏହି ସଙ୍ଗୀତ ଗୁଣୁ ଗୁଣାଉଥିବା ଶୁଣିବାକୁ ମିଳେ । ଆଜି କରୋନା ମହାମାରୀ ଏହି ସୁନାମଧନ୍ୟ ବହୁଭାଷୀ ସଙ୍ଗୀତଜ୍ଞଙ୍କୁ ଆମ ନିକଟରୁ ଛଡ଼ାଇ ଦେଇଛି ସତ କିନ୍ତୁ ତାଙ୍କ ସଙ୍ଗୀତର ସୁରରେ ସେ ଆମ ନିକଟରେ ଚିରବିଦ୍ୟମାନ ରହିବେ ।
ବାଲ ସୁବ୍ରମଣ୍ୟମ୍ଙ୍କ ଲୋକପ୍ରିୟ ସଙ୍ଗୀତ ଗୁଡ଼ିକ ହେଉଛି ୧୯୮୯ର ସିନେମା ମୈନେ ପ୍ୟାର କିୟାର “ମେରେ ରଙ୍ଗମେ ରଙ୍ଗନେ ୱାଲି’, ୧୯୯୪ର ସିନେମା ହମ୍ ଆପ୍ କେ ହୈ କୌନ “ପେହ୍ଲା ପେହଲା ପ୍ୟାର୍ ହୈ’, ୧୯୯୪ର ସିନେମା ହମ୍ ଆପ୍ କେ ହୈ କୌନ୍ର “ମୁଝସେ ଯୁଦା ହୋକର’, ୧୯୯୧ର ସିନେମା ସାଜନ୍ “ଦେଖା ହୈ ପେହଲି ବାର୍’, “ବହତ୍ ପ୍ୟାର୍ କର୍ତେ ହେଁ ତୁମ୍କୋ ସନମ୍’, ୧୯୮୯ର ସିନେମା ମୈନେ ପ୍ୟାର କିୟା “ଆଜା ସାମ୍ ହୋନେ ଆଇ’, “କବୁତର ଜା ଜା ଜା….’, ୧୯୯୧ର ସିନେମା ଲଭ୍ “ସାଥିୟା ତୁନେ କ୍ୟା କିୟା…’, ୨୦୧୩ର ସିନେମା ଚେନ୍ନାଇ ଏକ୍ସପ୍ରେସ୍ “ଚେନ୍ନାଇ ଆଇ ଆଇ ଆଇ….’ । ସବୁଠାରୁ ଅଧିକ ସଙ୍ଗୀତ ରେକର୍ଡ଼ିଂ କରାଯାଇଥିବା ସଙ୍ଗୀତଜ୍ଞ ଭାବେ ସେ ଗ୍ରୀନିସ୍ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନିତ ହୋଇଛନ୍ତି । ୧୬ଟି ଭାରତୀୟ ଭାଷାରେ ୪୦ ହଜାର ସଙ୍ଗୀତରେ କଣ୍ଠଦାନ କରିଛନ୍ତି ।
୧୯୬୬ ମସିହା ଡିସେମ୍ବର ୧୫ ତାରିଖରେ ନିଜ ମେଣ୍ଟର ସଙ୍ଗୀତ ନିଦେ୍ର୍ଦଶକ ଏସ୍ପି କୋଡନ୍ଦା ପାଣିଙ୍କ ଚଳଚ୍ଚିତ୍ର ଶ୍ରୀ ଶ୍ରୀ ମର୍ଯ୍ୟାଦା ରମନ ଜରିଆରେ ଚଳଚ୍ଚିତ୍ର ଜଗତରେ ସେ ପାଦ ଥାପିଥିଲେ । ନିଜର ସ୍ୱତନ୍ତ୍ର ଢ଼ଙ୍ଗ, ଟେକନିକ୍, ଅଦ୍ୱିତ୍ୟ ସ୍ୱରର ଶ୍ରେଣୀ, ଗୁରୁ ଗମ୍ଭୀର ସ୍ୱର ଓ ସ୍ୱର ନିୟନ୍ତ୍ରଣ ସମସ୍ତ କଣ୍ଠଶିଳ୍ପୀଙ୍କ ଠାରୁ ତାଙ୍କୁ ଅଲଗା କରିଥିଲା । ବାର ଘଣ୍ଟାରେ ୨୧ଟି ସଙ୍ଗୀତ ରେକର୍ଡ଼ିଂ କରି ସେ ଏକ ଅଲୋଡ଼ା କୀର୍ତ୍ତି ମଧ୍ୟ ରଖିଛନ୍ତି ନିଜ ନାମରେ । ଦକ୍ଷିଣର ସମସ୍ତ ସୁପର ଷ୍ଟାରଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି । ତାଙ୍କୁ କୁହାଯାଏ ସେ ପ୍ରଖ୍ୟାତ ସୁପରଷ୍ଟାର କମଲ ହାସନ ଓ ସଲମାନଙ୍କ ସ୍ୱରର ଅବିକଳ ଗୀତ ଗାଉଥିଲେ । ୧୯୬୪ ମସିହାରେ ଚେନ୍ନାଇର ଏକ ତେଲୁଗୁ ସାଂସ୍କୃତିକ ଅନୁଷ୍ଠାନରେ ପ୍ରଥମ ପୁରସ୍କାର ପାଇଥିଲେ । ଏହାପରେ ତାଙ୍କର ସଙ୍ଗୀତ ଜଗତକୁ ବିଧିବଦ୍ଧ ଭାବେ ପ୍ରବେଶ ହୋଇଥିଲା ।
୧୯୮୦ ମସିହାରେ ତେଲୁଗୁ ଚଳଚ୍ଚିତ୍ର “ଶଙ୍କର ବରଣମ’ ଜରିଆରେ ସେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ । ୧୯୮୧ରେ ହିନ୍ଦୀ ଚଳଚ୍ଚିତ୍ର “ଏକ ଦୁଜେ କେ ଲିଏ’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଏବଂ ଏହା ପାଇଁ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ମଧ୍ୟ ପାଇଥିଲେ । ସେ ଛଅଟି ଜାତୀୟ ପୁରସ୍କାର ସହ ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୧ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ତକ୍ରାଳୀନ ମାଡ୍ରାସ ପ୍ରେସିଡେନ୍ସି ଯାହାକି ବର୍ତ୍ତମାନର ଆନ୍ଧ୍ରର ନେଲୋର ଜିଲ୍ଲାର କୋନେଟାମ୍ମାପେଟା ଗ୍ରାମରେ ୧୯୪୬ ମସିହା ଜୁନ୍ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଏସ୍ପି ଶାମ୍ବାମୂର୍ତ୍ତି ହରିକଥାର ଜଣେ ଲୋକପ୍ରିୟ କଳାକାର ଥିଲେ ।
ଏହି ବିଶିଷ୍ଟ ସ୍ୱର ସମ୍ରାଟଙ୍କ ଅକ୍ଷୟ ସଙ୍ଗୀତର କୀର୍ତ୍ତି ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହୋଇଛି । ତାଙ୍କପରି ଜଣେ କଣ୍ଠଶିଳ୍ପୀ ହୁଏତ ଭାରତରେ ଆଉ ଜନ୍ମ ନ ହୋଇପାରନ୍ତି । ଆଧ୍ୟାତ୍ମିକ ସଙ୍ଗୀତ ହେଉ ବା ଶିଶୁ ସଙ୍ଗୀତ, ବିରହ ସଙ୍ଗୀତ ହେଉ ବା ପ୍ରେମ ସଙ୍ଗୀତ ସବୁଥିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା । ଏପରି ଜଣେ ଈଶ୍ୱରଙ୍କ ସୃଷ୍ଟ ସଙ୍ଗୀତର ମହାନାୟକ ମହାପ୍ରୟାଣରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରୁଛି ।