ଭକ୍ତିମୟ ପରିବେଶରେ ମା’ ପାଟଖଣ୍ଡାଙ୍କ ଦୁର୍ଗାପୂଜା ଆରମ୍ଭ : ନବରାତ୍ର ର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ପୂଜା ପାଉଛନ୍ତି ମା’
ବାଲିଗୁଡ଼ା, ୧୨/୧୦ : (ସଞ୍ଜୟ କୁମାର ପାଣିଗ୍ରାହୀ): ଶଙ୍ଖଧ୍ୱନି, ଘଣ୍ଟଘଣ୍ଟାର ନାଦ ଓ ମନ୍ତ୍ରପାଠରେ ମୁଖରିତ ହୋଇଉଠିଛି ବାଲିଗୁଡ଼ା ସହରର ଆଧ୍ୟାତ୍ମିକ ପରିବେଶ। ଶାରଦୀୟ ନବରାତ୍ର ଅବସରରେ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ରବିବାର ଠାରୁ ମା’ଙ୍କ ଦୁର୍ଗାପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତି, ବୈଦିକ ମନ୍ତ୍ରୋଚ୍ଚାରଣ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପୂଜାର ପ୍ରଥମ ଦିନରୁ ମଣ୍ଡପରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ପୂଜାର ଶୁଭାରମ୍ଭ ଅବସରରେ ମା’ ପାଟଖଣ୍ଡା ମନ୍ଦିରରୁ ଶତାଧିକ ମହିଳା ଏକ ବିରାଟ କଳସଯାତ୍ରାରେ ବାହାରି ଖଡ଼ଗ ନଦୀ ଅଭିମୁଖେ ଯାଇଥିଲେ। ସେଠାରୁ ପବିତ୍ର ଜଳ ସଂଗ୍ରହ କରି ଶୋଭାଯାତ୍ରାରେ ପୂଜାମଣ୍ଡପକୁ ଫେରିଥିଲେ। ଏହି ଧାର୍ମିକ ଶୋଭାଯାତ୍ରା ମଧ୍ୟରେ ଭକ୍ତି ଓ ଆସ୍ଥାର ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ଏହାପରେ ବିଧି ଅନୁଯାୟୀ କଳସ ସ୍ଥାପନ, ମଣ୍ଡଳକରଣ, ଦେବତା ଆବାହନ ଓ ଷୋଡ଼ଶୋପଚାର ପୂଜା ସମ୍ପନ୍ନ ହେବା ସହ ନବରାତ୍ର ପୂଜା ଆରମ୍ଭ ହୋଇଥିଲା। ପ୍ରତ୍ୟହ ସୂର୍ଯ୍ୟପୂଜା, ମା’ଙ୍କ ଷୋଡ଼ଶୋପଚାର ପୂଜା, ଚଣ୍ଡୀପାଠ ଓ ହୋମଯଜ୍ଞ ଆଦି ଧାର୍ମିକ କାର୍ଯ୍ୟ ଅଭିଜ୍ଞ ପୁରୋହିତଙ୍କ ଦ୍ୱାରା ସମ୍ପାଦିତ ହେଉଛି। ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି। ସେହିପରି ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ନବରାତ୍ରର ଦ୍ୱିତୀୟ ଦିନ ସୋମବାର ମା’ ଦୁର୍ଗା ବ୍ରହ୍ମଚାରିଣୀ ରୂପରେ ପୂଜା ପାଉଛନ୍ତି। ଏହି ଅବସରରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦିନତମାମ ମଣ୍ଡପରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ନବରାତ୍ରର ପ୍ରତ୍ୟେକ ଦିନ ମା’ଙ୍କ ଭିନ୍ନ ଭିନ୍ନ ସ୍ୱରୂପର ପୂଜା ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆଧ୍ୟାତ୍ମିକ ଉଦ୍ଦୀପନା ପରିଲକ୍ଷିତ ହେଉଛି। ପୂଜାମଣ୍ଡପରେ ଚାଲିଥିବା ଏହି ଧାର୍ମିକ ଆୟୋଜନ ବାଲିଗୁଡ଼ା ସହରରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗ ଓ ଉଦ୍ୟମରେ ପୂଜାକାର୍ଯ୍ୟ ସୁଚାରୁରୂପେ ଚାଲୁ ରହିଛି। ଆଗାମୀ ଦିନଗୁଡ଼ିକରେ ମା’ଙ୍କ ବିଭିନ୍ନ ବେଶ, ପୂଜାବିଧି ଓ ଧାର୍ମିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି।
