Odisha news

୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ

0
ବାଲିଗୁଡ଼ା, ୦୯/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି। ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ କରିଥିବାରୁ ଏହି ପଦକୁ ନେଇ ନିର୍ବାଚନୀ ଉତ୍କଣ୍ଠା ବଢ଼ିଛି।
ଶୁକ୍ରବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ଦିନ ୧ଟାରେ ଶେଷ ହୋଇଥିଲା। ପରେ ଅପରାହ୍ନ ୨ଟାରୁ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଦୀର୍ଘଦିନ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି। ନିର୍ବାଚନ କାର୍ଯ୍ୟକ୍ରମ ଅନୁଯାୟୀ, ଆସନ୍ତାକାଲି ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ଅକ୍ଟୋବର ୧୪ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ୧୫ ତାରିଖରେ ଭୋଟଗ୍ରହଣ କରାଯିବ। ଅକ୍ଟୋବର ୧୬ରେ ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ଏହି ନିର୍ବାଚନ ଛାତ୍ରଛାତ୍ରୀଙ୍କୁ ନିଜର ମତାମତ ଓ ନେତୃତ୍ୱ ପ୍ରତିଷ୍ଠା କରିବାର ସୁଯୋଗ ଦେବ ବୋଲି ଆଶା କରାଯାଉଛି। ନିର୍ବାଚନକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନାମାଙ୍କନ ସମୟରେ ମାଜିଷ୍ଟ୍ରେଟ୍‌ ଭାବେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଉପସ୍ଥିତ ଥିଲେ। ଏଥିସହ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ଓ ଛାତ୍ର ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବା ବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ରହିଛନ୍ତି l ନାମାଙ୍କନ ପର୍ଯ୍ୟାୟ ଶେଷ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଆଗାମୀ ଭୋଟଗ୍ରହଣ ଉପରେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ନିର୍ବାଚନ କଲେଜରେ ଛାତ୍ର ନେତୃତ୍ୱର ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା ପ୍ରକାଶ ପାଇଛି।
Ad2
Leave A Reply