Odisha news

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ବିଳମ୍ବିତ ମୌସୁମୀ ବଢ଼ାଇଲା ଚିନ୍ତା : ପାରମ୍ପରିକ କୃଷି ବ୍ୟବସ୍ଥା ପ୍ରଭାବିତ

0
ବାଲିଗୁଡା, ତା, ୧୭/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖରିଫ ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ଜିଲ୍ଲାରେ ଦୀର୍ଘ ଦିନ ଧରି ଓଡ଼ିଶାର ବୃଷ୍ଟି ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଆସିଛି। ବିଶେଷକରି ଖରିଫ ଋତୁରେ ଏଠାରେ ବହୁଳ ପରିମାଣରେ ଧାନ ଚାଷ ହେଉଛି । କିନ୍ତୁ ଗତ କିଛି ବର୍ଷ ଧରି ବଦଳୁ ଥିବା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହି ପାରମ୍ପରିକ କୃଷି ବ୍ୟବସ୍ଥା ପ୍ରଭାବିତ କରିଛି । ଖରିଫ ଚାଷ ଆରମ୍ଭ ହେବାର ସମୟ ଧୀରେ ଧୀରେ ପଛକୁ ଘୁଞ୍ଚୁଥ‌ିବା ବେଳେ ଚାଷୀଙ୍କ ମଧ୍ୟରେ ଅନିଶ୍ଚିତତା ଓ ଚିନ୍ତା ବଢ଼ିବାରେ ଲାଗିଛି। ପୂର୍ବରୁ ଅକ୍ଷୟ ତୃତୀୟା ପରେ ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ବୁଣା କାମ ଆରମ୍ଭ ହେଉଥିଲା ଚାଷୀମାନେ ଧାନ ବିହନ ବୁଣୁଥିଲେ । କିଛି ସପ୍ତାହ ପରେ ମୌସୁମା ବର୍ଷାର ଆଗମନ ସହ ଜିଲ୍ଲାରେ ଧାନ ରୁଆ ହେଉଥିଲା। ବାପା- ଜେଜେଙ୍କ ଅମଳରୁ ଚଳି ଆସୁଥିବା ଏହି ପାରମ୍ପରିକ କୃଷି କ୍ୟାଲେଣ୍ଡର ପ୍ରାୟ ଅପରିବର୍ତିତ ଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ମୌସୁମା ଦର୍ଶାଇ ଆଗମନରେ ବିଳମ୍ବ ଓ ବର୍ଷାର ଅନିୟମିତତା ଚାଷାଙ୍କ ଯୋଜନାକୁ ବିପର୍ଯ୍ୟସ୍ତ କରିଛି। ଚଳିତ ବର୍ଷ ମଧ୍ଯ ମୌସୁମୀ ବର୍ଷା ବିଳମ୍ବିତ ହେବାର ଆଭାସ ମିଳୁଛି । ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସାଧାରଣତଃ ରଜ ପର୍ବ ସମୟରେ ଜିଲ୍ଲାରେ ବର୍ଷାକୁ ଲକ୍ଷ୍ୟ କରି ଚାଷୀମାନେ ଧାନ ବୁଣିବା କାମରେ ବ୍ୟସ୍ତ ରହନ୍ତି। ହେଲେ ଏବେ ବର୍ଷାର କୌଣସି ନିଶ୍ଚିତତା ନଥିବାରୁ ଅନେକ ଚାଷୀ ଧାନ ବୁଣା ଆରମ୍ଭ କରିବେ କି ନାହିଁ ସେନେଇ ଦ୍ୱନ୍ଦରେ ରହିଛନ୍ତି। ଉଚିତ ସମୟରେ ବର୍ଷା ନ ହେଲେ ଧାନତଳି ନଷ୍ଟ ହେବା ସହ ଧାନରୁଆ ମଧ୍ୟ ବିଳମ୍ବିତ ହେବ। ଏହାର ପ୍ରଭାବ ଅମଳ ଉପରେ ପଡ଼ିବ । ଏହି କନ୍ଧମାଳ ଜିଲ୍ଲାର ଖରିଫ ଋତୁରେ ହଜାରେ ଏକ,ହଜାରେ ନଅ, ଶ୍ୟାମ ମାଣୁରୀ, ସନ, ସ୍ପର୍ଶ ମସୁରୀ ଭଳି ବିଭିନ୍ନ କିସମର ଧାନ ଚାଷ କରାଯାଏ। ଏହି ଧାନ ପ୍ରଜାତିଗୁଡିକ ସମୟାନୁକୂଳ ବର୍ଷା ଉପରେ ଅଧିକ ନିର୍ଭରଶୀଳ ବର୍ଷା ବିଳମ୍ବିତ ହେଲେ ଚାରାର ବୃଦ୍ଧି ଓ ଉତ୍ପାଦନ ଉଭୟ ପ୍ରଭାବିତ ହୋଇଥାଏ। ଏଥିପାଇଁ ଚାଷୀମାନେ ବର୍ଷାର ପ୍ରତୀକ୍ଷାରେ ରହିଥ‌ିବା ବେଳେ ଜଳବାୟୁର ଅନିଶ୍ଚିତତା ସେମାନଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। କୃଷି ବିଶେଷଜ୍ଞଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ପ୍ରକୃତିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ପୂର୍ବରୁ ନିର୍ଦ୍ଦିଷ୍ଟ ସମୟରେ ଏବଂ ସମାନ ଭାବେ ବର୍ଷା ହେଉଥିଲା। ଏବେ କେତେବେଳେ ଅତ୍ୟଧିକ ବର୍ଷା ହେଉଛି ତ ଆଉ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ହେଉନି। ଏହି ଅସ୍ଵାଭାବିକ ପାଣିପାଗ ବୃଷିକୁ ଅଧିକ ଦିପଦଗାମୀ କରିଦେଇଛି। ତେଣୁ ଚାଷୀମାନେ ଜଳ ସଂରକ୍ଷଣ, ବିକଳ୍ପ ଫସଲ ଓ ଖରା ସହନଶୀଳ ଧାନ ପ୍ରଜାତି ଉପରେ ଗୁରୁତ୍ବ ଦେବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି। ଅନ୍ୟପଟେ ଗତ କିଛିବର୍ଷ ହେବ ଜିଲ୍ଲାରେ ଧାନ ସହ ତୈଳବୀଳ ଚାଷର କ୍ଷେତ୍ରଫଳ ମଧ୍ୟ କମିବାରେ ଲାଗିଛି। ଜଳସେଚନର ବ୍ୟବସ୍ଥା ନଥୁବା ଚାଷ ଖର୍ଚ୍ଚ ବୃଦ୍ଧି, ଶ୍ରମିକ ଅଭାବ ଏବଂ ଅନିଶ୍ଚିତ ପାଣିପାଗ ଏଥିପାଇଁ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହାସହ ବର୍ଷା ନ ହେଲେ ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ଡ୍ୟାମ ଗୁଡ଼ିକରେ ଜଳ ସଂରକ୍ଷଣ ମଧ୍ୟ ପ୍ରଭାବିତ ହେବ। ଫଳରେ କେବଳ ଖରିଫ ନୁହେଁ, ରବି ଚାଷ ମଧ୍ୟ ସଙ୍କଟରେ ପଡ଼ିପାରେ ।  ହଜାର ହଜାର ପରିବାର ସିଧାସଳଖ ଭାବେ ଏହା ଉପରେ ନିର୍ଭର କରୁଛନ୍ତି । ତେଣୁ ସମୟୋପଯୋଗୀ ବର୍ଷା ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଚାଷୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ମୌସୁମୀ ବର୍ଷାର ବିଳମ୍ବ ଯଦି ଦୀର୍ଘ ସ୍ଥାୟୀ ହୁଏ, ତେବେ ଏହା କେବଳ ଚାଷୀଙ୍କ ଜୀବିକା ନୁହେଁ, ଜିଲ୍ଲାର ଖାଦ୍ୟ ଉତ୍ପାଦନ ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ଏବେ ସମସ୍ତଙ୍କ ନଜର ଆକାଶ ଉପରେ । ଚାଷୀ ଆଶା କରୁଛି, ଠିକ୍ ସମୟରେ ବର୍ଷା ଆସିବ ଏବଂ କନ୍ଧମାଳ ଜିଲ୍ଲାର ସବୁଜ ଧାନ କ୍ଷେତ ପୁଣିଥରେ ସମୃଦ୍ଧି ର କାହାଣୀ ଲେଖିବ ।
Nalco
Leave A Reply