ବାଲିଗୁଡା, ତା, ୦୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳର ପୋଲିସ ଅଧିକ୍ଷକ ହରିଶ ବିଶିଙ୍କ ସକ୍ରିୟ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାନୁୟାରୀ ଠାରୁ ଏପ୍ରିଲ ୪ ମାସ ମଧ୍ୟରେ ଜିଲ୍ଲା ପୋଲିସ ସଫଳତାର ସହ ୬୮ ଟନ ଗଞ୍ଜେଇ ଜବତ କରିଛି l କନ୍ଧମାଳକୁ ଏକ ନିଶାମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟରେ ବିଭିନ୍ନ ଥାନାର ଦଳଗୁଡ଼ିକୁ ସାମିଲ କରି ଏହି ଜିଲ୍ଲାସ୍ତରୀୟ ଅଭିଯାନ ଗଞ୍ଜେଇ କୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଚାଲିଥିବା ମିଶନର ଏକ ଅଂଶ। ଗତ ୪ମାସ ମଧ୍ୟରେ ଗଞ୍ଜେଇ ପଞ୍ଜିକୃତ ମାମଲା ୯୦ ଟି କରାଯାଇଥିବା ବେଳେ ୬୮ ହଜାର ୭୨୩ କିଲୋ ୨୬୦ ଗ୍ରାମ ଜବତ କରି ୯୩ ଜଣ ପୁରୁଷ ଓ ୧୧ ମହିଳା ଏପରି ମୋଟ ୧୦୪ ଜଣଙ୍କୁ ଗିରଫ କରି ୧୨ଟି ଦୁଇ ଚକିଆ, ୫ଟି ତିନି ଚକିଆ, ୨୧ଟି ଚାରି ଚକିଆ ଗାଡି ଏପରି ୩୮ ଟି ଗାଡି ଜବତ କରାଯାଇଥିବା ବିଷୟ ପୋଲିସ ରେକର୍ଡ ରୁ ଜଣାପଡିଛି l ଏହା ସବୁ ଜବତ ସହିତ ସମାନ୍ତରାଳ ଭାବରେ, କନ୍ଧମାଳ ପୋଲିସ କୁଖ୍ୟାତ ଚାଲାଣକାରୀଙ୍କ ସମ୍ପତ୍ତିକୁ ଫ୍ରିଜ୍ କରିବାକୁ ଆରମ୍ଭ କରିଛି l ବେଆଇନ ବ୍ୟବସାୟ ଆଉ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ନୁହେଁ ଏବଂ ଆଇନର ଊର୍ଦ୍ଧ୍ୱରେ କେହି ନୁହଁନ୍ତି ବୋଲି ପୋଲିସ କହିଛି । କନ୍ଧମାଳ ପୋଲିସର ଲକ୍ଷ୍ୟ ରହିଛି ଯେ, ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ପୋଲିସ ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ପାଇଁ ପ୍ରତିବଦ୍ଧ, ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରିବା ଏବଂ ସମ୍ପୃକ୍ତ ବୃହତ ସିଣ୍ଡିକେଟ୍ଗୁଡ଼ିକୁ ଭାଙ୍ଗିବା ପାଇଁ ସମର୍ପିତ ଦଳଗୁଡ଼ିକ ଦୁର୍ଗମ ଅଞ୍ଚଳ ଏବଂ ଜଙ୍ଗଲରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି l ଏବଂ “ନଶା ମୁକ୍ତ ଭାରତ” ପାଇଁ ସକ୍ରିୟ ଭାବରେ ଯୋଗଦାନ ଦେଉଛନ୍ତି। ଏଣୁ କନ୍ଧମାଳ ପୋଲିସ ସାଧାରଣ ଲୋକଙ୍କୁ ଏନଡିପିଏସ ସାମଗ୍ରୀର ବେଆଇନ ଚାଷ କିମ୍ବା ଚୋରା ଚାଲାଣ ସମ୍ପର୍କରେ ଯେକୌଣସି ସୂଚନା ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି । ସୂଚନାଦାତାଙ୍କ ପରିଚୟ କଡ଼ା ଗୋପନୀୟ ରଖାଯିବ ବୋଲି ମଧ୍ୟ ପୋଲିସ କହିଛି ।