ବାଲିଗୁଡା, ତା, ୦୬/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ପାଟ୍ଟଖଣ୍ଡା ମନ୍ଦିର ପରିସରରେ ଦ୍ଵିବାର୍ଷିକ ବିଶ୍ଵଶାନ୍ତି ଚବିଶି ପ୍ରହରୀ ନାମ ଯଜ୍ଞ ପାଞ୍ଚ ଦିନ ଧରି ମହା ଆଡମ୍ବରରେ ପାଳନ କରାଯାଇ ଉଦଯାପନ ହୋଇ ଯାଇଛି। ମହାସିଙ୍ଗି ଗ୍ରାମ୍ୟ କମିଟିର ତତ୍ତ୍ୱାବଧାନରେ ଖଡଗ ନଦୀ ଓ ଗମ୍ଭାରୀ ନଦୀ ସଙ୍ଗମ ସ୍ଥଳରୁ ପ୍ରଥମ ଦିନ କଳସ ଯାତ୍ରା କରାଯାଇ ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ପୂଜା, ସୂର୍ଯ୍ୟ ପୂଜା ଭଳି ବିଭିନ୍ନ କାର୍ଯ୍ୟକ୍ରମ ରିତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ମହାସିଙ୍ଗି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ପାଟ୍ଟଖଣ୍ଡାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନାମ ଆରମ୍ଭ ହୋଇଥିଲା। ଏଥିରେ ଆଖପାଖ ଗ୍ରାମର ନାମ ଦଳ, ମହିଳା ନାମ ଦଳ ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ହେମନ୍ତ କୁମାର ପାତ୍ର ଦମ୍ପତି କାର୍ଯ୍ୟ ନିର୍ବାହ କରିଥିବା ବେଳେ ସ୍ଥାନୀୟ ପୁରୋହିତ ଉମାଚରଣ ଦାସ ଯଜ୍ଞାଦି କର୍ମକାଣ୍ଡ କାର୍ଯ୍ୟ ସମାପନ କରିଥିଲେ। ଏଥିରେ ମହାସିଙ୍ଗି ଗ୍ରାମ୍ୟ କମିଟି ତଥା ଯଜ୍ଞ କମିଟି ସଭାପତି ପରମେଶ୍ୱର ପାତ୍ର, ସଂପାଦକ ରଣସିଂ ପାତ୍ର, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତ୍ତା ରାଜିବ ଲୋଚନ ପାତ୍ର, ଅଚ୍ୟୁତାନନ୍ଦ ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା, ସଦସ୍ୟ, ମିଶନ ଶକ୍ତି ମହିଳା, ଯୁବକ ସଂଘ ଓ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।