Odisha news

ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ : ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ 

0
ବାଲିଗୁଡା, ତା, ୨୩/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜମିଜମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସହ ହାତାହାତି ହୋଇଥିବା ଓ ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ରାମ୍ବୁଲି ଅଞ୍ଚଳର କିଛି ଉପଭୋକ୍ତାଙ୍କୁ ସରକାର ଦୀର୍ଘ ୨୦ ବର୍ଷ ପୂର୍ବରୁ ଜମିପଟ୍ଟା ଯୋଗାଇଦେଇଥିଲେ ମଧ୍ୟ ତାଙ୍କୁ ଜମି ଚି଼ହ୍ନଟ କରି ଦିଆଯାଇ ନ ଥିଲା। ଏ ନେଇ ଅସନ୍ତୋଷ ଦେଖାଯିବା ପରେ କାଟିଙ୍ଗିଆ ରାଜସ୍ବ ନିରୀକ୍ଷକ ସେହି ଜମିପଟ୍ଟା ପାଇଥିବା ଲୋକଙ୍କୁ ଜମି ଚି଼ହ୍ନଟ କରି ଦେଖାଇଥିଲେ। ତେବେ ରାଜସ୍ବ ନିରୀକ୍ଷକ ଦେଖାଇଥିବା ଜମିରେ ଘର ତିଆରି ପାଇଁ ଜମିପଟ୍ଟା ପାଇଥିବା ଲୋକମାନେ କାଠ ଖୁଣ୍ଟି ପୋତିବା ପରେ ପୂର୍ବରୁ ଏହା ଆମ ଜମି ବୋଲି ଦାବି କରୁଥିବା ମିଞ୍ଜାପାଙ୍କା ଲୋକମାନେ ଦାବି କରିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତା ହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ତଥା ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରୁଥିବା ଜଣାପଡ଼ିଛି। ତେବେ ଦୀର୍ଘବର୍ଷ ଧରି ଜମି ପଟ୍ଟା ପାଇଥିବା ଲୋକଙ୍କୁ ଜମି ଚି଼ହ୍ନଟରେ ବିଳମ୍ବ କରାଯିବା ଓ ଉଭୟ ଗ୍ରାମରେ ରହିଥିବା ଜମି ବିବାଦକୁ ସମାଧାନ କରିବାରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅହେତୁକ ବିଳମ୍ବ ଯୋଗୁ ଏବେ ଉକ୍ତ ଅଞ୍ଚଳରେ ଜମି ବିବାଦ ମୁଣ୍ଡ ଟେକିଛି। ଦାୟିତ୍ୱରେ ରହିଥିବା ରାଜସ୍ବ ନିରୀକ୍ଷକଙ୍କୁ ଅଞ୍ଚଳବାସୀ ଦାୟୀ କରିଥିବା ବେଳେ ଅଞ୍ଚଳବାସୀ ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡ଼ିଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l
Leave A Reply