Odisha news

ମା’ ଓ ଶିଶୁ ମୃତ୍ୟୁହାର ଯୋଜନା ବିଫଳ : ଅଲଟ୍ରାସାଉଣ୍ଡ କରି ନ ପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ 

0
ବାଲିଗୁଡା, ତା, ୧୬/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଉଥିବା ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଥିବା ଘଟଣା ସାରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ପତ୍ନୀ ବନିଆ ପ୍ରଧାନ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଓ ଜନ୍ମ ପୂର୍ବରୁ ଛୁଆର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ, ରବିବାର ବନିଆଙ୍କ ପେଟ ପ୍ରବଳ ବ୍ୟଥା ହେବା ସହ ରକ୍ତସ୍ରାବ ବୃଦ୍ଧି ପାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଆଲଟ୍ରା ସାଉଣ୍ଡ ବ୍ୟବସ୍ଥା ନ ଥିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଆଶା ଏବଂ ସ୍ବାମୀ ବନିଆଙ୍କୁ ଗାଁକୁ ଫେରେଇ ଆଣିଥିଲେ। ତେବେ ଘରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଗୁରୁତର ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ର ଓ ପରେ ସେଠାରୁ ସୋମବାର ଦିନ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ୧୦ଟାରେ ମୃତ୍ୟୁ ହୋଇଥିବା ମୃତ ବନିଆଙ୍କ ସ୍ବାମୀ ସଞ୍ଜୀବ କହିଛନ୍ତି। ବନିଆଙ୍କ ପୂର୍ବରୁ ୩ଟି ଛୁଆ ରହିଥିବା ବେଳେ ଏହା ଚତୁର୍ଥ ଗର୍ଭ ଥିଲା। ଦାରିଙ୍ଗବାଡିରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଏବଂ ମହିଳା ଓ ଶିଶୁ ବିଶେଷଜ୍ଞ ରହିଥିଲେ ହୁଏତ ଏଭଳି ଅକାଳରେ ବନିଆଙ୍କ ଜୀବନ ଯାଇ ନ ଥାନ୍ତା ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି।
Leave A Reply