ବାଲିଗୁଡା, ତା, ୨୦/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ମଙ୍ଗଳବାର ୧୫ ଦିନରେ ବନ୍ଧସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଆଦିବାସୀ ଡାକୁଲ ନୃତ୍ୟ, ଦୁଲଦୁଲି, ସାହିଯାତ ମେଢ଼, ଅଘୋରୀ ନୃତ୍ୟ, ଓ ସଂକୀର୍ତ୍ତନ ଦଳର ବାଜା ବାଜଣା ରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ହାଇସ୍କୁଲ ଛକ, ବନ୍ଧସାହି ଛକ ରାସ୍ତାରେ ପ୍ରବେଶ କରି ସାହି ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପହଞ୍ଚି ଥିଲେ l ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ଏଥିରେ ସାହି ପୂଜା କମିଟି ର କର୍ତ୍ତା ଭାବେ ଶରତ ଚନ୍ଦ୍ର ପାଢ଼ୀ ଦାୟିତ୍ୱ ତୁଲାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜୟାନନ୍ଦ ପ୍ରଧାନ, ମନୋରଞ୍ଜନ ରାୟ, ଗୋପାଳ ଚନ୍ଦ୍ର ବେହେରା, ସାଗର ବେହେରା, ମାନସ ଦଳପତି, ପ୍ରଫୁଲ୍ଲ କୁମାର ଗୌଡ଼, ଶିବ ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ l ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ l ବୁଧବାର ଦିନ ମା ‘ମାନଙ୍କ ଘଟ ନୂଆସାହି ସ୍ଥିତ ଭାର୍ଟିପଦା ଅଞ୍ଚଳ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗୁରୁବାର ଦିନ ମା’ମାନେ ଅସ୍ଥାୟୀ ମଣ୍ଡପ ରେ ସମ୍ପୂର୍ଣ୍ଣ ବିଶ୍ରାମ ନେଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ l ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଠାକୁରାଣୀ ଯାତ୍ରା ଉପଲକ୍ଷେ ସ୍ଥାନୀୟ ସି.ଟି.କଲେଜ ରୋଡ଼ ରେ ଥିବା ନୀଳଗିରି ଫାର୍ମ ନିକଟ ଯାତ୍ରା ପଡିଆ ରେ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ୧୫ ଦିନରେ ପହଞ୍ଚି ଥିବା ବେଳେ ମଙ୍ଗଳବାର ନଗର ଭ୍ରମଣ କାର୍ଯ୍ୟକ୍ରମ ଏକାଦଶ ଦିନରେ ପହଞ୍ଚିଛି l ଏହା ଜୁନ ୫ ତାରିଖ ରେ ଶେଷ ହେବ l ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଦିନକୁ ଦିନ ଉତ୍ସବମୁଖର ହେବାରେ ଲାଗିଛି।