Odisha news

ଭୁସ୍ଖଳନ ଆଶଙ୍କାରେ ପାହାଡ଼ ରାସ୍ତା ସିଲ୍‌ : କୁମ୍ଭାରୀପଦର ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା

0
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ପୁଣି ଭୂସ୍ଖଳନ ହେବା ଆଶଙ୍କା କରି ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ଗାଁଠାରୁ ପାହାଡ଼ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ମଧ୍ୟ ଘୋଷଣା କରାଯାଇଛି। ଏବେ ଲଘୁଚାପ ଜନିତ ବର୍ଷା ଚାଲିଛି। ତେବେ ଅଞ୍ଚଳରେ ସେମିତି କିଛି ବଡ଼ ଧରଣର ବର୍ଷା ହେଉ ନ ଥିବା ବେଳେ ପ୍ରତିଦିନ ଝିପି ଝିପି ବର୍ଷା ହେଉଛି। କିନ୍ତୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ବଡ଼ ବର୍ଷା ହେବା ଆଶଙ୍କା କରାଯାଇଛି । ଫଳରେ କୁମ୍ଭାରିପଦର ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଏ ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ପ୍ରମୁଖ କୁମ୍ଭାରିପଦର ଗ୍ରାମରେ ପହଞ୍ଚି ଆଲୋଚନା କରିବା ସହ ପୂର୍ବରୁ ବାରମ୍ବାର ଭୂସ୍ଖଳନ ହୋଇଥିବା ପାହାଡ଼ ଉପରକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଥିଲା ଲୋକଙ୍କ ସେଠାରେ ଚାଷଜମି ରହିଥିବା ବେଳେ ଯେଉଁ ସବୁ ଅଞ୍ଚଳରେ ଲୋକଙ୍କ ଜୀବନ ଜୀବିକା ରହିଛି। ସେହି ଅଞ୍ଚଳରେ ବାରମ୍ବାର ଭୂସ୍ଖଳନ ହୋଇଆସୁଛି। ଗତ ବର୍ଷ ଟେକ୍ନିକାଲ ଟିମ୍‌ ଆସି ଉକ୍ତ ସ୍ଥାନରୁ ମାଟି ବାଲି, ପଥର ପରୀକ୍ଷା କରିବା ପରେ ସେହି ସ୍ଥାନ ଲୋକଙ୍କ ପାଇଁ ବିପଦ ରହିଥିବା ଓ ପାହାଡ଼ ତଳେ ଜଳସ୍ତର ପ୍ରଭାହିତ ହେଉଥିବା ପ୍ରକାଶ କରିବା ପରେ ସେହିସ୍ଥାନକୁ ଯିବାକୁ ଲୋକଙ୍କୁ ବାରଣ କରାଯାଉଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁମ୍ଭାରିପଦର ଗ୍ରାମବାସୀଙ୍କୁ ସେଠାରୁ ଅନ୍ୟତ୍ର ଥଇଥାନ ପାଇଁ ଜମି ଚି଼ହ୍ନଟ କରାଯାଇ ସ୍ବତନ୍ତ୍ର ନୂତନ ଗୃହ ନିର୍ମାଣର ବ୍ୟବସ୍ଥା କରାଯାଉଛି। ତେବେ କିଛି ପରିବାର ସରକାରଙ୍କ ଏହି ଘୋଷଣାକୁ ସ୍ବାଗତ କରୁଥିବା ବେଳେ  ଆଉ କିଛି ପରିବାର ଏହାକୁ ଅନିଚ୍ଛା ପ୍ରକାଶ କରି ଗୃହ ନିର୍ମାଣକୁ ଅନ୍ୟ କିଛି ସର୍ତ୍ତ ରଖି ଥିବାରୁ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏନେଇ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ପ୍ରମୁଖ ଲୋକଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା କୌଣସି ପ୍ରକାରେ ସୁଫଳ ମିଳି ନ ଥିବା ଜଣାପଡ଼ିଛି।
IEC 2 years
Leave A Reply