ବୁଢାବଳଙ୍ଗ ନଦୀର ଦକ୍ଷିଣ ପାଶ୍ୱର୍ ବନ୍ଧର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ୫କୋଟି ୮୩ ଲକ୍ଷର ପ୍ରସ୍ତାବ : ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ସାଂସଦ ତଥା ବିଜେଡି ଜିଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଏହି ଅଞ୍ଚଳ ସର୍ଭେ
ବାଲେଶ୍ୱର : ବଳଙ୍ଗ ନଦୀ କୂଳେ କୂଳେ ବସବାସ କରୁଥିବା ପ୍ରାୟ ୨୫୦୦ ପରିବାର ପାଇଁ ଏବେ ଭଲ ଖବର । ଖୁବ ଶୀଘ୍ର ବଳଙ୍ଗ ନଦୀ କୂଳେ କୂଳେ, ନଦୀର ଦକ୍ଷିଣ ପାଶ୍ୱର୍ରେ ପ୍ରାୟ ୭୪୦ ମିଟର ଧରି ପଥର ବିଛାଯିବ ଓ ତିନୋଟି ହାଇଲେବଲ ସ୍ପର ନିର୍ମାଣ କରାଯିବ । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୫କୋଟି ୮୩ ଲକ୍ଷ ୩୧ ହଜାର ଟଙ୍କାର ଏକ ପ୍ରସ୍ତାବ ପ୍ରଦାନ କରାଯାଇଛି ।
ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ସାଂସଦ ତଥା ବିଜେଡି ଜିଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଏହି ଅଞ୍ଚଳ ସର୍ଭେ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନା ଯୋଗ୍ୟ ଯେ ପୁରୁଣା ବାଲେଶ୍ୱର ସହିତ ପାତ୍ରପଡ଼ା ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀକୂଳେ କୂଳେ ଅନେକ ଘର, ଚାଷ ଜମି ରହିଛି । ପ୍ରତିବର୍ଷ ବନ୍ୟା ଓ ପାଣି ଆସିଲେ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଏ । ଚାଷଜମିରେ ପାଣି ମାଡ଼ିବା ସହିତ ଘରଦ୍ୱାର ମଧ୍ୟ ଭାଙ୍ଗିଯାଏ । ବାରମ୍ବାର ନଦୀ କୂଳ ଖାଇବା ସହ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ଏନେଇ ସ୍ଥାନୀୟ ଲୋକେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲେଶ୍ୱର ଗସ୍ତ ଅବସରରେ ଉକ୍ତ ଅଞ୍ଚଳ ଗସ୍ତ କରିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏନେଇ ପୂର୍ବତନ ସାଂସଦ ଶ୍ରୀ ଜେନା କହିଥିଲେ ଯେ ବଳଙ୍ଗ ନଦୀର ପଶ୍ଚିମ ପାଶ୍ୱର୍ର ପୁନରୁଦ୍ଧାର ଓ ରକ୍ଷଣା ବେକ୍ଷଣ ପାଇଁ ଲୋକଙ୍କ ଦାବି ମୁତବକ ଆମେ ପଦକ୍ଷେପ ନେଇଛୁ । ଦୀର୍ଘ ଦିନରୁ ନଦୀକୂଳବାସୀଙ୍କ ସୁରକ୍ଷା ପାଇଁ ରହି ଆସିଥିବା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏବେ ନଦୀ ଭିତରକୁ ୪୦ ମିଟର ପର୍ଯ୍ୟନ୍ତ ପଥର ଡମ୍ପିଂ କରାଯିବ । ଏହା ସହିତ ନଦୀ ଭିତରକୁ ତିନୋଟି ହାଇଲେବଲ ସ୍ପର ନିର୍ମାଣ କରାଯିବ ।
ନଦୀର ପ୍ରଖର ସ୍ରୋତ ଶକ୍ତ କଂକ୍ରିଟ ସ୍ପରରେ ମାଡ଼ ହେଲେ ନଦୀର ସ୍ରୋତ କମ ହେବ । ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡ଼ ସହିତ ପାତ୍ରପଡ଼ା ପଞ୍ଚାୟତର ପ୍ରାୟ ୨୫୦୦ ପରିବାର ଏଥିରେ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ଏତକ ଟଙ୍କା ଆସିବ । ଏହା ହେଲେ ସଦର ବ୍ଲକ, ପୌର ପରିଷଦର ନଦୀ କୂଳେ କୂଳେ ଲୋକେ ଉପକୃତ ହେବେ ବୋଲି ଶ୍ରୀ ଜେନା କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ଟାଉନ ବିଜେଡି ସଭାପତି ସନତ କୁମାର ଦାସ, ୧ ନମ୍ବର ୱାର୍ଡ଼ ବିଜେଡି ସଭାପତି ଦିଲୀପ କୁମାର ବେହେରା ବରିଷ୍ଠ ନେତା ରାମଚନ୍ଦ୍ର ନାଥ, ଅଶୋକ ବିନ୍ଧାଣୀ, ଯଦୁମଣି ନାୟକ, ଯୁଧିଷ୍ଠିର ମାଝୀ, ପୂର୍ବତନ କାଉନସିଲର କୌଶଲ୍ୟାମଣି ଦାସ, ରତନ ମାଝୀ, ସେଚ ବିଭାଜନ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ନିର୍ମଳକାନ୍ତି ଜେନା ଓ ସହ ନିର୍ବାହୀ ଯନ୍ତ୍ରୀ ହୃଷୀକେଶ ଧଳଙ୍କ ସମେତ ବହୁ ଦଳୀୟ ନେତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ