ବୈଶିଙ୍ଗା -୨୫/୧-ଆଗାମୀ ସାଧାରଣ ନିର୍ବାଚନ ପାଇଁ କେବଳ ଘୋଷଣା ବାକି ଥିବାବେଳେ ସମସ୍ତ ରାଜନୈତିକ ଦଳ ଭିତରେ ଏକପ୍ରକାର ଆଲୋଡନ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି। ନିଜ ନିଜର ପତିଆରା ଦେଖାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି। ଶାସକ ବିଜେଡି ଦଳରୁ ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର ଏକ ପ୍ରକାର ଟିକେଟ ପାଉଛନ୍ତି ବୋଲି ସବୁଆଡେ ଚର୍ଚ୍ଚା ହେଉଥିଲା ବେଳେ ଶହ ଶହ ଅସନ୍ତୁଷ୍ଟ କର୍ମୀ ଦୁଇଦିନ ତଳେ ଏକାଠି ହୋଇ ଦଳ ହାଇକମାଣ୍ତ ଙ୍କୁ ଏକ ପ୍ରକାର ଚେତାବନୀ ଦେଇଥିବାର ଶୁଣିବାକୁ ମିଳୁଛି। ଏଥିପାଇଁ ନୂତନ ଆଶାୟୀଙ୍କ ମନରେ ଆଶ୍ୱାସନାର ଦାନା ଧିରେ ଧିରେ ଦୃଢିଭୁତ ହେବାକୁ ଲାଗିଛି। ତେବେ ଦେଢ ଡଜନ୍ ଆଶାୟୀଙ୍କ ମଧ୍ୟରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ନା ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବ ତାହା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ। ସେହିପରି ଭାରତୀୟ ଜନତା ପାର୍ଟି ଭିତରେ ମଧ୍ୟ ଟିକେଟ ଆଶାୟୀଙ୍କ ମଧ୍ୟରେ ଚୁକାପଞ୍ଜା ଚାଲି ଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନର ବିଧାୟକ ସନାତନ ବିଜୁଳି ଙ୍କ ପ୍ରତି କର୍ମୀମାନଙ୍କ ମଧ୍ୟରେ ବିତସ୍ପୃହ ମନୋଭାବ ସୃଷ୍ଟି ହୋଇଥିବା ଯୋଗୁଁ ୨୪ ନଂ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ମଲ୍ଲିକଙ୍କୁ ଦଳରେ ସାମିଲ କରାଯାଇଥିଲା। ଶ୍ରୀ ମଲ୍ଲିକ ଜଣେ ର୍ନିବିବାଦୀୟ , ମେଳାପୀ , ସଚ୍ଚୋଟ ତଥା ଦୃଢ ସଙ୍ଗଠକ ବ୍ୟକ୍ତିତ୍ଵ ଥିବାରୁ ବିଜେପିର ଟିକେଟ ପାଇଲେ ସର୍ବସମ୍ମତ ଭାବେ ଅଞ୍ଚଳ ବାସୀଙ୍କ ସମର୍ଥନ ହାସଲ କରିବ ବୋଲି ଆଶା କରାଯାଏ। ତେବେ ଦଳ ହାଇ କମାଣ୍ଡ କାହାକୁ ଟିକେଟ ଦବ ସେ ନେଇ ଆଶଙ୍କା ରହିଥିବା ବେଳେ ଆଜି ବିଜେପି ଦଳ ପକ୍ଷରୁ ଶ୍ରୀ ବିଜୁଳିଙ୍କ ନେତୃତ୍ୱରେ ବେତନଟୀ ବ୍ଳକର ବୈଶିଙ୍ଗା ଆରଏମସି ଏବଂ ମାଣତ୍ରୀ ଡାକ ବଙ୍ଗଳା ଠାରେ ଦୁଇ ଦୁଇଟି ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ହଜାର ହଜାର କର୍ମୀ , କଲେଜ ଛାତ୍ରଛାତ୍ରୀ ତଥା ବିଜେପିକୁ ଭଲ ପାଉଥିବା ସର୍ବସାଧାରଣ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ସମ୍ପର୍କରେ ମତ ପ୍ରଦାନ କରିଥିଲେ ।