ବୈଶିଙ୍ଗା–୬/୧୨–ବାତ୍ୟା ଜୱାଦର ପ୍ରଭାବରେ ପବନର କ୍ରୁରତା ଭୟାବହ ହୋଇ ନ ଥିବା ଯୋଗୁଁ ଗଛପତ୍ର ଭାଙ୍ଗି ନଥିଲା କି ବିଦ୍ୟୁତ ସରବରାହ ବ୍ୟାଘାତ ସୃଷ୍ଟି ହୋଇନଥିଲା, କିନ୍ତୁ ଲଗାତାର ତିନିଦିନ ଧରି ଝିପି ଝିପି ବର୍ଷା ଲାଗି ରହିବା ଯୋଗୁଁ ବିଲ କିଆରିରେ କଟା ହୋଇ ରହିଥିବା ଧାନ ଫସଲ ବୁଡି ରହିବା ଯୋଗୁଁ ଚାଷୀର ବର୍ଷକର ଖାଦ୍ୟ ଉଜୁଡି ଯାଇଛି। ବୈଶିଙ୍ଗା , ବର୍ତ୍ତନା, ମେରଦା, ଯୁଗୋଳ, ଚାଞ୍ଝିପଦା,ରଘୁପୁର,ପୁରୁଣିଆ, ପାଟଳୀପୁରା, ନଡପୁର, କେନ୍ଦୁଆ ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତରେ ପାଖାପାଖି ୫୦ପ୍ରତିଶତ ଧାନ ଫସଲ ଅମଳ ହୋଇସାରିଥିବା ବେଳେ ଅନ୍ୟ ୫୦ ପ୍ରତିଶତ ଚାଷ ମଧ୍ୟରୁ କିଛି ଗଛ କଟା ହୋଇ ପାରି ନ ଥିବା ବେଳେ କଟା ହୋଇଥିବା ଅନ୍ୟ ଧାନ ଗଛ ଗୁଡ଼ିକୁ କୁଢ କୁଢ ହୋଇ ଭାସୁଥିବାର ଦେଖାଯାଇଛି।
ତୁରନ୍ତ ପାଗର ପରିବର୍ତ୍ତନ ନ ହେଲେ ବିଲରେ ଥିବା ଧାନ ଗୁଡିକ ଗଜା ହେବାର ସମ୍ଭାବନା ଯଥେଷ୍ଟ। କ୍ଷୁଦ୍ର ଚାଷୀ ମାନେ ସମବାୟ ସଂସ୍ଥାରୁ ୠଣ ନେଇ ଚାଷ କାର୍ଯ୍ୟ କରିଥିବା ବେଳେ ଏପରି କ୍ଷେତି ହେବା ଯୋଗୁଁ ଋଣ ପରିଶୋଧ କରିବା କଷ୍ଟକର ହୋଇ ପଡିବ, ସେଥିପାଇଁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଚାଷୀ ମାନଙ୍କ ମଧ୍ୟରେ ଶଂକର୍ଷଣ ମହାନ୍ତି, ଯୋଗେନ୍ଦ୍ର ମହାରଣା, ରସାନନ୍ଦ ସାହୁ, ତପନ କୁମାର ସେଠୀ, ରବୀନ୍ଦ୍ର ସାହୁ, ସୁଧାକର ବିଶ୍ଵାଳ,ସତ୍ୟଜିତ ରାଉତ, ନକୁଳ ଚନ୍ଦ୍ର ଦାସ, ଡମ୍ବରୁଧର ଦାସ, ଶ୍ରୀଧର ଦାସ, ବସନ୍ତ ସିଂ, ବଳରାମ ଆଚାର୍ଯ୍ୟ, ଗୌରହରି ପ୍ରଧାନ,ରଘୁଚରଣ ରାଉତ , ରତିକାନ୍ତ ପ୍ରଧାନ, ପରେଶ ଚନ୍ଦ୍ର ରାଉତ, ଭିକାରୀ ଦାସ, କାର୍ତ୍ତିକ ଭୋଇ ଓ ଅନ୍ୟ ଶତାଧିକ ଚାଷୀ ଅଭିଯୋଗ କରିବା ସହିତ ସରକାରଙ୍କ ଠାରୁ ଉଚିତ ମୂଲ୍ୟର କ୍ଷତିପୂରଣ ଦାବି କରିଛନ୍ତି।