ଭୂବନେଶ୍ବର, ୨୨/୬ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ବାଗତ କରିଛନ୍ତି। ଶ୍ରୀ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା କେବଳ ସାଢେ ଚାରିକୋଟି ଓଡିଆଙ୍କ ମନରୁ ନୁହେଁ, ପୃଥିବୀ ସାରା କୋଟି କୋଟି ଅନ୍ୟ ଭକ୍ତ ମାନଙ୍କ ମନରୁ ମଧ୍ୟ ଆଶଙ୍କା ଦୂର କରିଦେଲା ଏବଂ ଏବେ ଖୁସିର ବାତାବରଣ ସୃଷ୍ଟି କରିଦେଇଛି । ରଥଯାତ୍ରା ଆମର ସବୁଠାରୁ ବଡ ପର୍ବ, ଏବଂ ଇତିହାସରେ ଯୋଉ ଅଳ୍ପ କିଛିଥର ବନ୍ଦ କରାଯାଇଛି, କେବଳ ଯୁଦ୍ଧ ସମୟରେ, ଯେତେବେଳେ ମନ୍ଦିର ଉପରେ ଆକ୍ରମଣ ହବାର ସମ୍ଭାବନା ଥିଲା ।
ଏହା ପୂର୍ବ ରାୟ ବେଳକୁ ରାଜ୍ୟ ସରକାର ଯେଉଁ ଷ୍ଟାଣ୍ଡ ନେଇଥିଲେ କୋର୍ଟରେ, ଯେ ଦୂରତା ସହିତ ରଥଯାତ୍ରା ପାଳନ କରିହେବ ନାହିଁ ତାହା କେବେ ଗ୍ରହଣୀୟ ନଥିଲା, କାରଣ କେବଳ କିଛି ସପ୍ତାହ ତଳେ ଠିକ୍ ସେହି ଜାଗାରେ ବଡ ଦାଣ୍ଡରେ, ହଜାର ହଜାର ଲୋକ ଉପସ୍ଥିତ ହେଇକି ଦୂରତା ସହିତ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ଆଜିର ସୁପ୍ରିମକୋର୍ଟଙ୍କ ରାୟରେ ଯୋଉ ଗାଇଡଲାଇନ୍ସ ଦିଆଯାଇଛି ସେଇ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗୁଡିକ ନେଇକି ପୁରୀରେ ରଥଯାତ୍ରା ହବ ଏବଂ ଏହା ଅତ୍ୟନ୍ତ ଖୁସିର ଦିନ ।