Odisha news

ଭାରତର ମୁକ୍ତି ସଂଗ୍ରାମରେ ଜାତୀୟ କବି ବୀର କିଶୋର : ଭାରତର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ……

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସ୍ୱାଧୀନତା ଆନେ୍ଦାଳନ ସମୟରେ ଯେଉଁମାନେ ସାହିତ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ମୁକ୍ତି ସଂଗ୍ରାମକୁ ଜୀବନ୍ତ କରିଥିଲେ,ସେମାନଙ୍କ ମଧ୍ୟରୁ ଜାତୀୟ କବି ବୀର କିଶୋର ଦାସ ଥିଲେ ଅନ୍ୟତମ । “କଲମର ଶକ୍ତି ତରବାରି ଠାରୁ ଅଧିକ” – ଏହି କଥାକୁ ଯଥାର୍ଥରେ କାର୍ଯ୍ୟରେ ପରିଣତ କରିଥିଲେ ସେ । ତାଙ୍କ ହାତରେ ତରବାରି ନଥିଲା, ଥିଲା ଖାଲି ଲେଖନୀ । ସେହି ଲେଖନୀରୁ ସୃଷ୍ଟି ହେଉଥିଲା ଦେଶାତ୍ମବୋଧ ସଂଗ୍ରାମୀ କବିତା । ଆଉ ସେହି କବିତା ଆବାଳ – ବୃଦ୍ଧ- ବନିତାଙ୍କୁ ପାଗଳ କରିଦେଉଥିଲା । ତାକୁ ଗାଇଗାଇ ସେମାନେ ଗୁଳି ବନ୍ଧୁକ ଆଗରେ ଛାତି ପାତି ଦେଉଥିଲେ, ହସିହସି ହାତରେ ହାତକଡି ପିନ୍ଧି କାରାବରଣ କରୁଥିଲେ । ସେଥିପାଇଁ ସେ ଲେଖିଥିଲେ –
“ଆମ ହାତରେ ନଥିଲା ତରବାରି
ଅବା ହୋଇତ ନଥିଲୁ ଦରବାରୀ
ଭାରତମାତାର ନାମକୁ ସୁମରି
ବଢିଲା ନଈକୁ ହେଲୁ ପାରି ।”

ଖାଲି ସେତିକି ନୁହେଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନରେ ଦୃଢ ଆତ୍ମବଳ ସହ ମୁକ୍ତି ଆନେ୍ଦାଳନରେ ସାମିଲ୍ ହେବା ପାଇଁ ସେ କ୍ରାନ୍ତିକାରୀ ଆହ୍ୱାନ ଦେଇ ପୁଣି ଲେଖିଥିଲେ-
“ଅରି ଫେରିନାହିଁ, ଯୁଦ୍ଧ ସରି ନାହିଁ
ଆସ ମୋ ଶିବିରେ ଆସ ଭାଇ
ହିମାଚଳ ଶିରେ ଶବଦ ଶୁଭଇ
ଡରନାହିଁ ଆଉ ଡେରି ନାହିଁ ।”

୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ଡାକରାରେ ଆରମ୍ଭ ହୋଇଥାଏ ଅସହଯୋଗ ଆନେ୍ଦାଳନ ବୀରକିଶୋର ଇଂରେଜ ସରକାରଙ୍କ ଅଧୀନରେ କରିଥିବା ଚାକିରିକୁ ପଛରେ ପକାଇ ଏହି ସଂଗ୍ରାମରେ ଝାସ ଦେଲେ । ଏହି ସମୟରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା ଅନେକ ସଂଗ୍ରାମୀ କବିତା । ଯାହାକି ସଂଗ୍ରାମୀମାନଙ୍କ ମନରେ ଦେଶପ୍ରେମ ଭାବ ସୃଷ୍ଟି କରିବା ପାଇଁ ଅଭିପ୍ରେତ ଥିଲା । ସେଥିପାଇଁ ସେ ଲେଖିଥିଲେ –

“ଭାଇ, ମରିବା ତ ଦିନେ ମରିବା
ଛେଳି ମେଣ୍ଢାପରି ପାଞ୍ଚଣକୁ ଡରି
(ଏଠି )ଘୁଷୁରି ପରି କେ ଚରିବା
ମରିବା ତ ଦିନେ ମରିବା ।”

ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ରଚିତ କବିତା ପୁସ୍ତକ ମୋହନ ବଂଶୀ. ବିଦ୍ରୋହୀ ବୀଣା, ମୋହନ ବେଣୁ,ରଣଭେରୀ ଆଦି ପୁସ୍ତକ କେବଳ ସ୍ୱଦେଶ ପ୍ରେମର ବାର୍ତ୍ତା ପ୍ରଚାର କରିନଥିଲା ବରଂ ଆଜିବି ଆମ ମାତୃଭାଷାକୁ ରୁଦ୍ଧିମନ୍ତ କରିଛି । ଚରମ ତ୍ୟାଗ ଓ କଷଣ ଭିତରେ ସେ ଏସବୁ ଜାତୀୟ କବିତା ରଚନା କରିଥିଲେ । ଯାହା ଫଳସ୍ୱରୂପ ସେ ହୋଇପାରିଥିଲେ ଏ ମାଟିର ଜାତୀୟ କବି ।
୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା । କିନ୍ତୁ ସଂଗ୍ରାମୀ ବୀରକିଶୋରଙ୍କ ସଂଗ୍ରାମ ସରିଲା ନାହିଁ । କେବଳ ଦେଶ ଓ ଜାତିକୁ ଉଦବୋଧନ ଦେବା ପାଇଁ ସେ ଖାଲି କଲମ ଧରିନଥିଲେ । ସେ ମର୍ମେ ମର୍ମେ ଅନୁଭବ କରିପାରିଥିଲେ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ । ଶିଶୁମାନଙ୍କ ପାଇଁ ତାଙ୍କ ଲେଖନୀରୁ ସୃଷ୍ଟି ହୋଇଥିଲା-

“ଆମେ ନବଯୁବା ନବ ତରୁଣ,

ଆମେ ନବୋଦିତ ଦେବ ଅରୁଣ
ଏ ବିଶ୍ୱ ଅନ୍ଧାର ବିନାଶିବା ଲାଗି
ଆମ ଜନ୍ମ ଆମ ମରଣ ।”

ସେହିପରି ଶିଶୁମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଭାତୃତ୍ୱଭାବ ଜାଗ୍ରତ କରିବା ପାଇଁ ସେ ଅନେକ ଦେଶାତ୍ମବୋଧ କବିତା ଲେଖିଥିଲେ । ଓଡିଶାର ଶିଶୁ ଯେତେବେଳେ ପତ୍ରିକା ଖଣ୍ଡେ ଦେଖିବାର ସୁଯୋଗ ପାଉନଥିଲେ ଠିକ ସେତିକିବେଳେ ବୀରକିଶୋର ତା ହାତରେ ଧରାଇଦେଲେ “ମୋ ଦେଶ ଶିଶୁ ପତ୍ରିକା” । ଏ ପତ୍ରିକା ମାଧ୍ୟମରେ ସେ କେବଳ ଶିଶୁ ସାହିତ୍ୟ ସୃଷ୍ଟି କଲେ ତାହା ନୁହେଁ, ଅନେକ ଶିଶୁ ସାହିତ୍ୟ ଶ୍ରଷ୍ଟାଙ୍କୁ ସେ ମଧ୍ୟ ସୃଷ୍ଟି କରିଗଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ଦ୍ୱାରା ପ୍ରକାଶ ପାଉଥିବା ଶିଶୁଲେଖା ପତ୍ରିକା ମଧ୍ୟ ତାଙ୍କ ସାଧନାର ଫଳଶ୍ରୁତି ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।

କ୍ଷମତା ଓ ଅର୍ଥପ୍ରତି ବିରକିଶୋରଙ୍କର ସାମାନ୍ୟତମ ଦୁର୍ବଳତା ନଥିଲା । ପରାଧୀନ ଭାରତରେ ସେ ଗାଇଥିଲେ- “(ବନ୍ଧୁ) ଦିନରାତି ମୋର ସେହି ଚିନ୍ତାଏ ସରକାର ଶବ ଦାହ ହେବ କେବେ ଦେଖିବି ମୁଁ ତା’ର ଶେଷ ଚିତା (ବନ୍ଧୁ) ଦିନରାତି ମୋର ସେହି ଚିନ୍ତା ।”

ସ୍ୱାଧୀନତା ପରେ କିନ୍ତୁ ତାଙ୍କ ଚିନ୍ତା ଆହୁରି ଅଧିକ ବଢିଯାଇଥିଲା । ସେହି ଚିନ୍ତା ଥିଲା ଗାନ୍ଧିଜୀଙ୍କ କଳ୍ପିତ ସୁନାର ଭାରତ ଚିନ୍ତା । ସ୍ୱାଧୀନତା ପରେ ସେ ନିରାଶ ହୋଇ ପଡିଥିଲେ ଦେଶର ଚିତ୍ର ଦେଖି । ସେଥିପାଇଁ ସେ ଲେଖିଥିଲେ-
“କାମିନୀ କାଞ୍ଚନ କାଦମ୍ବରୀ
ଶାସନ କଳକୁ ଦେଲା ସାରି ।”

ସ୍ୱାଧୀନତା ପ୍ରାପ୍ତି ପରେ ବି ବୀରକିଶୋର ଲେଖନୀ ଚାଳନାରୁ ବିରତ ହୋଇନଥିଲେ । ସ୍ୱାଧୀନତା ସଂଗ୍ରାମର ଦୀର୍ଘ ଅନୁଭୂତି ସାଙ୍ଗକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନର ରାମ ରାଜ୍ୟକୁ ସାର୍ଥକ ଓ ସଫଳ ରୂପାୟନ ଦେବାପାଇଁ ଏକାନ୍ତ ଭାବେ ବିଳାପ କରିବାକୁ ଯାଇ ସେ ଲେଖିଥିଲେ –
“ଯାହା ଲେଖିବାର ଲେଖିସାରିଛି ମୁଁ ଆଉ ପାରୁନି କିଛି ଲେଖି
ଦେଖିବାର ଯାହା ଦେଖିସାରିଛି ମୁଁ ଆଉ ପାରୁନି କିଛି ଦେଖି ।”

ଏଥିରୁ ସ୍ପଷ୍ଟ ଅନୁମେୟ, ସ୍ୱାଧୀନତାର ପରବର୍ତ୍ତୀ ଅବସ୍ଥାରେ ଗାନ୍ଧିଜୀଙ୍କ ଆଦର୍ଶର ବିଲୋପରେ ସେ ମର୍ମାହତ ହୋଇଥିଲେ ।
ଓଡିଶାର ପାଣି ପବନରେ ଗଢା ଏହି ସଂଗ୍ରାମୀ-କବି ବୀରକିଶୋର ଜନ୍ମ ନେଇଥିଲେ ୧୮୯୬ ମସିହା ନଭେମ୍ବର ୨୩ ତାରିଖରେ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଓ ତାଙ୍କର ଦେହାବସାନ ଘଟିଲା ୧୯୭୩ ମସିହା ଏପ୍ରିଲ ୨୮ ତାରିଖରେ । ସେ ଆଜି ଆମ ଗହଣରେ ନାହାଁନ୍ତି । ହେଲେ ତାଙ୍କ ନାମରେ ନାମିତ କଟକର ଜାତୀୟ କବି ବୀର କିଶୋର ସରକାରୀ ମହାବିଦ୍ୟାଳୟ ଓ ତାଙ୍କ ଜନ୍ମସ୍ଥାନ ପୁନଙ୍ଗ ଏବଂ ତା’ର ନିକଟବର୍ତ୍ତୀ ଜଗତସିଂହପୁରସ୍ଥ ଚାରିପୋଲିଆଠାରେ ଥିବା ପ୍ରତିମୂର୍ତ୍ତି ତାଙ୍କ ସ୍ମୃତିକୁ କେତେକାଂଶରେ ଉଜ୍ଜିବୀତ କରି ରଖିଛି ।

ଏଥିସହିତ ଜଗତସିଂହପୁର ସାରସ୍ୱତ ପରିଷଦ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଆଲୋଚନା ଚକ୍ର ଓ ସାହିତ୍ୟ ଏକାଡେମୀ ତରଫରୁ ଚାରିପୋଲିଆସ୍ଥିତ ପ୍ରତିମୂର୍ତ୍ତିି ନିକଟରେ ଜୟନ୍ତୀ ପାଳନ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଉଛି । କିନ୍ତୁ କ୍ଷୋଭର କଥା, ଅଦ୍ୟାବଧି ତାଙ୍କ ଗ୍ରନ୍ଥାବଳୀଟି ସମ୍ପୂର୍ଣ୍ଣ ଭାବେ ମୁଦ୍ରିତ ହୋଇପାରିଲାନାହିଁ । ଜନନେତା ଦୋଳଗୋବିନ୍ଦ ପ୍ରଧାନ ଗ୍ରନ୍ଥାବଳୀକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାପାଇଁ ପ୍ରଶଂସନୀୟ ପଦକ୍ଷେପ ନେଇଥିଲେ ବି ଏବେବି କେତେକ ପୃଷ୍ଠା ସେଥିରେ ହାତଲେଖା ହୋଇ ରହିଛି । ଏ ଦିଗରେ ଆଉ କେହି ଆଖିଦୃଶିଆ ପଦକ୍ଷେପ ଏପର୍ଯ୍ୟନ୍ତ ନେଇନାହାଁନ୍ତି । ଏବେ ଚିନ୍ତା କରିବାର ବେଳ ଆସିଛି । ପୁଷ୍ପମାଲ୍ୟ ଦେଇ ବା ସଭାସମିତି କରି ପୂଜ୍ୟପୂଜାର ପରମ୍ପରାକୁ ବଞ୍ଚାଇ ରଖିବା ସହିତ ତାଙ୍କ ଗ୍ରନ୍ଥାବଳୀକୁ ସମ୍ପୂର୍ଣ୍ଣଭାବେ ମୁଦ୍ରିତ କରାଇପାରିଲେ ତାହାହିଁ ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।

Leave A Reply