ଆଠଗଡ଼ ତା ୨୨-୦୪–୨୪ ଆଠଗଡ଼ ବ୍ଲକ ପାଲଟିଛି ଦୁର୍ନୀତି ର ଗନ୍ତାଘର। ଏଠାରେ ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ। ପ୍ରଶାସନ ଜାଣତରେ ଆଠଗଡ଼ ବ୍ଲକ ର ମହାକାଳବସ୍ତ ପଞ୍ଚାୟତ ଦହିସରା ଗ୍ରାମ ର ବରିଷ୍ଠ ନାଗରିକ ଙ୍କ ବର୍ଦ୍ଧିତ ଭତ୍ତା ଟଙ୍କା ଭୁତ ଉଠାଇଛି। ଘଟଣା ଜଣାପଡ଼ିବା ପରେ ଆଠଗଡ଼ ବ୍ଲକ ପ୍ରଶାସନ କିଛି ନ ଜାଣିବାର ଅଭିନୟ କରୁଛି।ଦହିସରା ଗ୍ରାମ ର ଦୁଇ ଜଣ ବରିଷ୍ଠ ନାଗରିକ ରବିନ୍ଦ୍ର ଦାସ (୭୮) ଏବଂ ତାଙ୍କର ସ୍ତ୍ରୀ ରମ୍ଭା ଦାସ (୭୨) ଙ୍କ ର ଗତ ଦୁଇ ମାସର ବର୍ଦ୍ଧିତ ଭତ୍ତା ଟଙ୍କା ଭୁତ ଉଠାଇ ନେଇଥିବା ଜଣାପଡିଛି। ବୃଦ୍ଧ ଦମ୍ପତି ରାଉରକେଲା ରେ ରହୁଥିବା ବେଳେ ଗତ ଦେଢ଼ମାସ ହେଲା ଗାଁ କୁ ଆସି ଭତ୍ତା ଟଙ୍କା ବାବଦରେ ବ୍ଲକ ସହିତ ଏବଂ ବ୍ୟାଙ୍କରେ ବୁଝିବା ବେଳକୁ ତାଙ୍କର ପ୍ରାପ୍ୟ ବର୍ଦ୍ଧିତ ଭତ୍ତା ଟଙ୍କା ଭୁତ ଖାଇ ଯାଇଥିବା ଜଣା ପଡ଼ିଥିଲା। ଘଟଣା ସାମ୍ନା କୁ ଆସିବା ପରେ ଉକ୍ତ ଦୁଇ ମାସ ର ବର୍ଦ୍ଧିତ ଭତ୍ତା ଟଙ୍କା କୁ ମହାକାଳବସ୍ତ ପଞ୍ଚାୟତ ସମିତି ସଭ୍ୟ ତଥା ଆଠଗଡ଼ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ ଓରଫ୍ ଟୁଲୁ ହଡ଼ପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୃଦ୍ଧ ଦମ୍ପତି।ଏ ବାବଦରେ ଆଠଗଡ଼ ବିଡ଼ିଓ ପ୍ରଦୀପ କୁମାର ସାହୁ ଙ୍କୁ ଯୋଗାଯୋଗ କରିଵା ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନ ଥିଲା। ଏପରି କି ପଞ୍ଚାୟତ ଦାଇତ୍ୱ ରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଚୌଧୁରୀ ମଧ୍ୟ ଫୋନ ଉଠାଇ ନ ଥିଲେ। ଆଠଗଡ଼ ବ୍ଲକ ର ଏହି ଗୋଟିଏ କାଣ୍ଡ ଭାତ ହାଣ୍ଡିରୁ ଗୋଟିଏ ବୋଲି ସାଧାରଣରେ ଆଲୋଚନା ହେଉଛି। ପୂର୍ବ ରୁ ଆଠଗଡ଼ ବିଡ଼ିଓ ଙ୍କ ନିର୍ଦ୍ଦେଶ ରେ କନ୍ଦରପୁର ପଞ୍ଚାୟତ ର ଜନୈକ ଅନ୍ତର୍ଯ୍ୟାମୀ ରାଉତ ଙ୍କୁ ମୃତ ଘୋଷଣା କରି ତାଙ୍କର ଭତ୍ତା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ବ୍ଲକ ପ୍ରଶାସନ ର ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ବେଳେ ଆଜିର ଘଟଣା ପାଇଁ ଏଥିରେ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।