Odisha news

ସମବାୟ ସମିତି ନିର୍ବାଚନରେ ଉଷ୍ମତା : କୋଠାର ସମିତିରେ ୩୦ ପ୍ରାର୍ଥୀ, ଦ୍ୱିମୁଖୀ ଲଢ଼େଇ

0

ଅସୁରାଳି,ତା୨୧/୬ : ଧାମନଗର ବ୍ଲକରେ ପ୍ରଥମ ପର୍ଯ୍ୟାୟର ସମବାୟ ସମିତି ନିର୍ବାଚନ ଶେଷ ହୋଇଛି । ଏଥିରେ ଶାସକ ବିଜେଡି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଏବଂ କଂଗ୍ରେସ ଠାରୁ ଅଧିକ ସଫଳତା ହାସଲ କରିଛି । ଆସନ୍ତା ୨୬ ତାରିଖରେ ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ସମିତି ନିର୍ବାଚନ ଅନୁଷ୍ଠିତ ହେବ । ଧାମନଗର ବ୍ଲକର ଅନ୍ୟତମ ବୃହତ୍ତମ କୋଠାର ସମବାୟ ସମିତି ନିର୍ବାଚନକୁ ନେଇ ଏବେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି । କୋଠାର ସମେତ ଅସୁରାଳି, ଫତେପୁର, ବୟାଙ୍ଗଡ଼ିହ ଏବଂ ଗଢିଆଳି ପଂଚାୟତକୁ ନେଇ ଗଠିତ ଏହି ସମିତିରେ ସମୁଦାୟ ୧୫ ଗୋଟି ନିଦେ୍ର୍ଦଶକ ଆସନ ରହିଛି । ଏଥର ଏହି ସମିତିରେ ୨୬୦୦ ମତଦାତା ମତଦାନ କରିବେ ବୋଲି ଜଣାପଡିଛି । ୧୫ ନିଦେ୍ର୍ଦଶକ ପଦ ପାଇଁ ମୋଟ ୩୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ପ୍ରତିଦ୍ୱନ୍ଦିତା ମଇଦାନରେ ଅଛନ୍ତି । ସମବାୟ ନିର୍ବାଚନରେ ରାଜନୈତିକ ଦଳର ପ୍ରତ୍ୟେକ୍ଷ ସମ୍ପୃକ୍ତି ନଥିଲେ ମଧ୍ୟ ପରୋକ୍ଷରେ ଏହା ରାଜନୈତିକ ଦଳ ପାଇଁ ଅନେକାଂଶରେ ମାନସମ୍ମାନର ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କୋଠାର ସମବାୟ ସମିତିରେ ଏଥର ବିଜେପି ଏବଂ ବିଜେଡି-କଂଗ୍ରେସ ଆଘୋଷିତ ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି । ବିଜେଡି ସମର୍ଥକ ମାନେ ପନ୍ଦର ଆସନ ମଧ୍ୟରୁ ୧୨ ଏବଂ କଂଗ୍ରେସ ସମର୍ଥକ ମାନେ ୩ ଆସନରେ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇଛନ୍ତି । ବିଜେଡ଼ି ଯେଉଁ ତିନି ଆସନରେ ପ୍ରାର୍ଥୀ ଦେଇନି ସେଠାରେ କଂଗ୍ରେସ ପ୍ରାର୍ଥୀ ଦେଇଛି । ଅନୁରୂପ କଂଗ୍ରେସ ବି ୧୨ ଆସନରେ ପ୍ରାର୍ଥୀ ନଦେଇ ବିଜେଡ଼ିକୁ ପରୋକ୍ଷ ଭାବେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି ।ଅନ୍ୟ ପକ୍ଷରେ ପନ୍ଦର ଜୋନରେ ପ୍ରାର୍ଥୀ ଦେଇ ପ୍ରତିଦ୍ୱନ୍ଦିତାକୁ ତୀବ୍ର କରିଛି ବିଜେପି । ସମିତି ନିର୍ବାଚନରେ ବିଜେପିର ପୂର୍ବ ସରପଂଚ ରାଜେନ୍ଦ୍ର ସାହୁ, କ୍ଷୀରୋଦ ସ୍ୱାଇଁ, ପିତାମ୍ବର ଦାସ, ସୁଶାନ୍ତ ସ୍ୱାଇଁ, ଅଜିତ ଦାସ ବିଜେଡ଼ିର ପୂର୍ବ ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀ, ପୂର୍ବ ସରପଂଚ ସୁବାସ ନନ୍ଦୀ, ପ୍ରକାଶ ବେହେରା, ଜଳଧର ମଳିକ ଏବଂ କଂଗ୍ରେସର ନଳିନୀ ରଞ୍ଜନ ବେହେରା ପ୍ରମୁଖ ପରିଚିତ ଚେହେରା ପ୍ରାର୍ଥୀ ହୋଇ ଭାଗ୍ୟ ପରୀକ୍ଷା କରୁଥିବା ଜଣାଯାଇଛି ।

Nalco
Leave A Reply