ଭୁବନେଶ୍ୱର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରାଜ୍ୟର ସମୁଦ୍ର ଏବଂ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ରାତି ୧୧ଟା ସୁଦ୍ଧା ୧ ଲକ୍ଷ ୬ ହଜାର ୪୭୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୩ଟି ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।ସବୁଠୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦ ହଜାର ୯୭୦ ଜଣଙ୍କୁ ୮୨ଟି ସୁରକ୍ଷିତ ସେଲ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଭଦ୍ରକ ଜିଲ୍ଲାରୁ ୨୦ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।
ବାଲେଶ୍ୱରରୁ ୧୯ ହଜାର ଶହେ, ଜଗତସିଂହପୁରରେ ୯ ହଜାର ୭୬, ପୁରୀରେ ୭ ହଜାର ୯୭୨, ଯାଜପୁରରେ ୭ ହଜାର ୧୪୦, ମୟୂରଭଞ୍ଜରେ ୫ ହଜାର ଦୁଇ ଶହ, ଗଜପତିରେ ହଜାରେ ୪୯୫ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ତେବେ ଏସଆରସିଙ୍କ କାର୍ଯ୍ୟାଳୟରେ ବିଳମ୍ବିତ ରାତିରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ଅମ୍ପନ୍ ମୁକାବିଲା ଓ ଏନେଇ ପ୍ରସ୍ତୁତି ସମ୍ପର୍କରେ ଏସଆରସିଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ପୂର୍ବରୁ କିପରି ଲୋକେ ସୁରକ୍ଷିତ ରହିପାରିବେ ଓ ସ୍ଥାନାନ୍ତର ହୋଇପାରିବ, ସେନେଇ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଥିଲେ।