Odisha news

ପୁଣି ବିଦ୍ୟାଳୟ ମୁହାଁ ହେବେ ବିଦ୍ୟାର୍ଥୀ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଗତ ବର୍ଷ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ।ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଥିଲା । ବିଶେଷକରି ଶିକ୍ଷାବ୍ୟବସ୍ଥାକୁ ଏହା ଠପ୍ କରିଦେଇଥିଲା । ସ୍କୁଲ କଲେଜ କେବେ ଖୋଲିବ ସେନେଇ ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀମାନେ ଚିନ୍ତିତ ଥିଲେ । ଏବେ ୨୦୨୧ ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଖବର ଆଣିଛି । ସ୍କୁଲ ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିବା ସହିତ ଗାଇଡ ଲାଇନ ଜାରିକରିଛନ୍ତି । ଜାନୁଆରୀ ୮ରୁ ସ୍କୁଲ ଖୋଲିବ ।

ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଏସ୍ଓପିରେ ଜାରି ହୋଇଛି । କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଛି । ସ୍କୁଲ ପରିସରର ସାଧାରଣ ସ୍ଥାନଗୁଡିକୁ ବାରମ୍ବାର ସାନିଟାଇଜର କରିବା ସହ ଶୈାଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁସôାହିତ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପହଞ୍ଚାଇବା ଦାୟିତ୍ୱ ଅଭିଭାବକଙ୍କ ଉପରେ ନ୍ୟସ୍ତ କରାଯାଇଛି । ରୋଲ ନମ୍ବର ଅନୁସାରେ କ୍ଲାସ ରୁମ୍ରେ ବସିବା ସ୍ଥାନ ନିର୍ଦ୍ଧାରଣ କରାଯିବ ।

ଗୋଟିଏ କ୍ଲାସ ରୁମ୍ରେ ୨୦ରୁ୨୫ ଜଣ ପିଲା ବସିପାରିବେ । ସ୍କୁଲ ସମୟରେ କୈାଣସି ପରିବର୍ତ୍ତନ ହୋଇନାହିଁ । ଏବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ମଇ ୩ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସରକାର ଘୋଷଣା ଅନୁଯାଇ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ପାଇଁ ୧୦୦ଦିନ ପାଠ ପଢା ହେବ । ଶିନିବାର ଓ ରବିବାର ସ୍କୁଲ ବନ୍ଦ ହେବ ନାହିଁ । ଏସବୁ ଦିନରେ ମଧ୍ୟ କ୍ଲାସ ଚାଲୁ ରହିବ ।

ସେହିପରି କମନ୍ ରୁମ୍ ଓ ଷ୍ଟାଫ୍ ରୁମ୍ରେ ଦୂରତା ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସାନିଟାଇଜ୍ ପାଇଁ ସମସ୍ତ ଶୈାଚାଳୟରେ ସାବୁନ ରଖିବାକୁ ପରାମର୍ଶ ଦିଆଯାଇଛି । କ୍ଲାସରୁମ୍ ଭିତରକୁ ପଶିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ଶିକ୍ଷକ ପରାମର୍ଶ ଦେବେ । ଜରୁରୀକାଳୀନ ପରିସ୍ଥିତ ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟ କୋଭିଡ ହେଲ୍ପଲାଇନ୍ ନମ୍ବର ଲେଖା ରହିବ । ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ୍ ରୁମ୍ ରହିବ ।

ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଆଇସୋଲେଟ କାରାଯିବ । ଘରୁ ଉଷୁମ ଓ ପୁଷ୍ଟିକର ଖାଦ୍ୟ ଆଣିବା ସହ ଏହାକୁ କାହା ସହ ନବାଣ୍ଟିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯ, ସିବିଏସ୍ଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ରାଜ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ପରୀକ୍ଷାକୁ ନେଇ ଥିବା ଅନେକ ଦ୍ୱନ୍ଦ ଥିବାବେଳେ ବୁଧୁବାର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକରେ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମ ପୂରଣ ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ଜାନୁଆରୀ ୧୦ରୁ ଫେବୃଆରୀ ୨ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ ।

ତେବେ ଏହି ତାରିଖ ମଧ୍ୟରେ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅନ୍ଲାଇନରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିସର ଅଧୀନରେ ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ୮୦ ମାର୍କ ପରୀକ୍ଷା ଦେବେ । ପ୍ରଶ୍ନପତ୍ରରେ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ । ତେବେ ଫଳାଫଳ ପ୍ରକାଶ ସମୟରେ ୧୦୦ ମାର୍କକୁ ହିସାବକୁ ନିଆଯିବ । ପରୀକ୍ଷା ଦେଇଥିବା ୮୦ ମାର୍କ ମଧ୍ୟରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ ତାହାକୁ ଆଧାରକରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ କରାଯିବ । ତେବେ ଦ୍ୱାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କମିବନି । ସେମାନେ ୧୦୦ମାର୍କର ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ତେବେ ଆସନ୍ତା ୧୧ ତାରିଖ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍ ପାଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ । ସେମିଷ୍ଟର ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଞ୍ଚମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁଆରୀ ୧୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ଉଭୟ ସେମିଷ୍ଟରର ପରୀକ୍ଷା କରାଯିବ ଏବଂ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ୟୁଜିର ଷଷ୍ଠ ଓ ପିଜିର ଚତୁର୍ଥ ସେମିଷ୍ଟର ପାଠପଢା ଏପ୍ରିଲ ୨ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୧୬ରୁ ୩୦ ତାରିଖ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ।

ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ଜାନୁଆରୀ ୧୧ ରୁ ଜୁନ୍ ୧୦ ମଧ୍ୟରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ହେବ । ଜୁନ୍ ୧୧ରୁ ୩୦ ମଧ୍ୟରେ ପରୀକ୍ଷା ହେବା ସହ ଜୁଲାଇ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ଅନ୍ଲାଇନରେ ପାଠପଢା ହୋଇଥିଲେ ମଧ୍ୟ ପାଠ୍ୟକ୍ରମର ସମସ୍ତ ବିଷୟକୁ ଏହି ପାଠପଢା ମଧ୍ୟରେ ସାମିଲ କାରଯିବ । ଏପରିକି କ୍ଲାସରୁମ୍ ପାଠପଢାର ରେକଡିଂ କରାଯାଇ ତାହାକୁ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରାଯିବ ସହ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ଭଲଭାବରେ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି ।

ଦୀର୍ଘ ଦିନପରେ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି । କରୋନା ପ୍ରକୋପ କମି ଆସୁଥିବା ବେଳେ ଓ ଟୀକାକରଣର ଦିନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିଦ୍ୟାର୍ଥୀମାନଙ୍କୁ ଉସôାହିତ କରିଛି । ତେବେ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକମାନଙ୍କର ଏବେ ଗୁରୁଦାୟିତ୍ୱ । ବିଶେଷକରି ଶିକ୍ଷକମାନଙ୍କର ଦାୟିତ୍ୱ ବେଶି । ଶିକ୍ଷାନୁଷ୍ଠାନ ପରିସରରେ ଯେପରି ଅଧିକ ଗହଳି ନହୁଏ ତାହା ତଦାରଖ କରିବା ଦାୟିତ୍ୱ ସେମାନଙ୍କର । ସେହିପରି ଛାତ୍ରଛାତ୍ରୀମାନେ ମାସ୍କ ପରିଧାନ କରିବା ଉପରେ ସେମାନଙ୍କୁ ଦୃଷ୍ଟି ଦେବାକୁ ପଡିବ ।

ଏଥିସହିତ କ୍ଲାସ ରୁମ୍ ୃରେ ସେମାନଙ୍କୁ ପାଠପଢିବା ପାଇଁ ପୂର୍ବାପେକ୍ଷା ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । ଏହାକୁ କେବଳ ସେମାନଙ୍କର କର୍ତ୍ତବ୍ୟ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଆଉଟିକେ ଅଧିକ ଜୋସ୍ରେ ଶ୍ରେଣୀ ଗୃହରେ ସକ୍ରିୟ ହେବାକୁ ପଡିବ । କାରଣ ସେମାନେ ମନେରଖିବା ଉଚିତ ଯେ, ଶିକ୍ଷାନୁଷ୍ଠାନ ଭଳି ମଣିଷ ତିଆରି କାରଖାନାରେ ସେମାନେ ପ୍ରକୃତ କାରିଗର । ସେମାନଙ୍କର ପ୍ରତିବଦ୍ଧତା କରୋନା ଜନିତ ପାଠପଢା କ୍ଷତିକୁ ଭରଣା କରିପାରିବ । ସେହିପରି ଅଭିଭାବକ ଅଭିଭାବିକାମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ସ୍କୁଲ କଲେଜ ପଠେଇବା ପିଲାଙ୍କୁ କୋଭିଡ କଟକଣା ଭିତରେ ପଠାଇବା ଉଚିତ । ଏଦିଗପ୍ରତି ଅବହେଳା କଲେ ଚଳିବ ନାହିଁ । ଏଥିସହିତ ସବୁଠୁ ଅଧିକ ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କର । ସେମାନଙ୍କ କ୍ଲାସକୁ ନିୟମିତ ଆସିବା ଦରକାର ।

କୁହାଯାଏ- ସଫଳତା ହାସଲ ପାଇଁ ସଂକ୍ଷିପ୍ତ ବାଟ କିଛି ନାହିଁ । କଠିନ ପରିଶ୍ରମ ହିଁ ସଫଳତାର ଆଧାର । ଆଜିଠାରୁ ଅର୍ଥାତ ଜାନୁଆରୀ ୮ରୁ ବାଜିବ ସ୍କୁଲ ଘଣ୍ଟା । ତା ସହିତ ଚଳଚଞ୍ଚଳ ହେବ ଶିକ୍ଷାନୁଷ୍ଠାନ ପରିସର । ଦୃଢ ଇଚ୍ଛାଶକ୍ତି ଓ ଗଭୀର ଆତ୍ମ ବିଶ୍ୱାସ ଆମ ବିଦ୍ୟାର୍ଥୀଙ୍କୁ ପାଠପଢା ପ୍ରତି ସେମାନଙ୍କର ପୂର୍ବଲୟ ପୁଣି ଫେରାଇ ଆଣିବ ବୋଲି ଆଶା ଓ ବିଶ୍ୱାସ ।ତେବେ ରବିବାର ଦିନ ପାଠପଢା ଯିବାର ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି ସେଥିରେ ପରିବର୍ତ୍ତନ କରି ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ଏହି ଗୋଟିଏ ଦିନ ଛୁଟି ଦେବା ଜରୁରୀ ମନେହୁଏ । ଏକଥା ଓଷ୍ଟାର ରାଜ୍ୟ ସମ୍ପାଦକ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Leave A Reply