Odisha news

ନିୟମ ଭଙ୍ଗ କରି ଶତାଧିକ ସମର୍ଥକଙ୍କ ସହ ପଦଯାତ୍ରାରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଦର୍ଶନ କଲେ : ଅପରାଜିତା

0
ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ  ଜାରି କରାଯାଇ ଥିବା କଡ଼ା କଟକଣା ଓ ବାରଣ ସତ୍ତ୍ୱେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିୟମ ଭଙ୍ଗ କରି ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ମେଡ଼ିକାଲ ଛକ ନିକଟରୁ ପଦ ଯାତ୍ରାରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।
ଅପରାଜିତାଙ୍କ ପଦ ଯାତ୍ରାକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇ ଥିବା ସବୁ ଯୋଜନା ଫେଲ ମାରିଛି । ଜୟ ଜଗନ୍ନାଥ ଧ୍ବନିରେ ଶତାଧିକ ସମର୍ଥକଙ୍କ ସହ ପାଦରେ ଚାଲି ଚାଲି ସିଂହଦ୍ଵାର ନିକଟକୁ ଯାଇ ଥିଲେ ଅପରାଜିତା। ବଡ଼ଦାଣ୍ଡରେ ତଳେ ଶୋଇ ମହାପ୍ରଭୁଙ୍କୁ ପ୍ରଣିପାତ କରିଥିଲେ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିକାଶ କାର୍ଯ୍ୟକୁ ମୁ ବିରୋଧ କରୁନି।
ବିକାଶ ନାମରେ ଏଠି ଚାଲିଛି ବିନାଶ। ଏସଆଇର ଅନୁମତି ନ ଥାଇ ଏଠାରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ବିଶେଷଜ୍ଞ ଟିମ୍ ଏହାକୁ ଅନୁମୋଦନ କରି ନାହାନ୍ତି ବୋଲି ଏହା କହିଛନ୍ତି ପୁରୀ ଗସ୍ତରେ ଆସିଥିବା ସାଂସଦ ଷଡ଼ଙ୍ଗୀ।
ବୁଧବାର ପୂର୍ବାହ୍ନରେ ସାଂସଦ ଷଡ଼ଙ୍ଗୀ ଭୁବନେଶ୍ୱର ନିଜ ସମର୍ଥକଙ୍କ ସହ ୨୨ ଖଣ୍ଡ ଚାରିଚକିଆ ଗାଡ଼ିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ପୁରୀ ଗସ୍ତରେ ଆସିଥିଲେ। ଚନ୍ଦନପୁର କାଠପୋଲ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ତାଙ୍କ ଗାଡ଼ିକୁ ଅଟକାଇ ଥିଲା। ସେଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ସାଂସଦ ଷଡ଼ଙ୍ଗୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦଯାତ୍ରା ପାଇଁ ଅନୁମତି ଦିଆ ଯାଇ ନାହିଁ ବୋଲି କହି ଥିଲେ। ଆପଣ ଏକା ଯିବା ପାଇଁ ଅନୁମତି ଅଛି ବୋଲି ଜଣାଇ ଥିଲେ । ଫଳରେ ଅପରାଜିତା ଗାଡିରୁ ଓଲାହି କାଠ ପୋଲ ନିକଟରୁ ପାଦରେ ଚାଲି ଚାଲି ମାଳତୀ ପାଟପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ଥିଲେ। ପରେ ପ୍ରଶାସନ ପକ୍ଷରୁ ତାଙ୍କ ଗାଡ଼ି ସହ ଚାରି ପାଞ୍ଚଟି ଗାଡ଼ିରେ ଯିବା ପାଇଁ ଅନୁମତି ଦିଆ ଯାଇଥିଲା। ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ତାଙ୍କ ସାଙ୍ଗରେ ଆସିଥିବା ସମର୍ଥକ ମାନେ ମେଡ଼ିକାଲ ଛକ ନିକଟରେ ପହଂଚି ଥିଲେ। ସେଠାରୁ ଗାଡିରୁ ଓଲ୍ହାହି ପାଦରେ ଚାଲି ଚାଲି ସିଧା ମନ୍ଦିର ନିକଟରେ ପହଂଚି ଥିଲେ। ବାଟରେ ଶ୍ରୀକୃଷ୍ଣ ସିନେମା ଟକିଜ ନିକଟରେ ଛାତ୍ର ଯୁବ କଂଗ୍ରେସ ପକ୍ଷରୁ ଜଣେ କର୍ମୀ ସାଂସଦଙ୍କୁ ଲକ୍ଷ୍ୟ କରି ଟମାଟୋ ମାଡ଼ କରି ଥିଲା। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉଷ୍ମତା ଦେଖା ଦେଇ ଥିଲା। ପରେ ସେଠାରୁ ମନ୍ଦିର ନିକଟକୁ ଯାଇ ଥିଲେ।
 ଅପରପକ୍ଷରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କାଠପୋଲ ନିକଟରେ ଗାଡିରୁ ଓହ୍ଲାଇ  ପ୍ରତିକ୍ରିୟାରେ କହିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମୁଁ ଆସିଛି, ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି, ମହାପ୍ରଭୁଙ୍କୁ ଦର୍ଶନ କରିବି ।
ସେହିଭଳି ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଅପରାଜିତା କହିଛନ୍ତି, ଯଦି ସବୁ କିଛି ସତ ମାର୍ଗରେ ଚାଲିଛି ତେବେ ଏତେ ଭୟ କାହିଁକି? ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷା କଥା କହୁଛି, ମୋ ସହିତ କୌଣସି ଦଳର ନୁହେଁ ବରଂ ମହାପ୍ରଭୁଙ୍କୁ ଭଲପାଉଥିବା ଭକ୍ତ ଆସିଛନ୍ତି । ପ୍ରଶାସନ ତାହାର କାର୍ଯ୍ୟ କରୁଛି । ମୁଁ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଏଠାରୁ ସୃଷ୍ଟି କରିବାକୁ ଆସିନାହିଁ । ଲୋକସଭାରେ ସବୁ କଥା କହିଛି, ଏହାସତ୍ତେ୍ୱ ମଧ୍ୟ ଏତେ ଡର କାହିଁକି? ସଂସଦରେ ସାଂସଦ ପିନାକୀ ମିଶ୍ର ଶୌଚାଳୟ କଥା କହିଲେ । କିନ୍ତୁ ଲୋକ ପ୍ରତିନିଧି ଭାବେ ଏ ବାବଦରେ ଅବଗତ ନହେବା ଦୁଃଖର ବିଷୟ ।
ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଉପରେ କୌଣସି ବିମାନ ଉଡିବାକୁ ଦିଆଯାଉନଥିଲା । କିନ୍ତୁ ଏବେ ଜେସିବି ଲଗାଇ ୩୦ ଫୁଟର ଗାତ ଖୋଳାଯାଉଛି । ଏଥିପାଇଁ କିଏ ଅନୁମତି ଦେଇଛି । ଏଏସଆଇ ଅନୁମତି ବିନା ଏତେ ବଡ ବଡ ଗାତ କାହିଁକି ଖୋଳାଯାଉଛି? ଜଗନ୍ନାଥ ମନ୍ଦିରର ସୁରକ୍ଷା ରାଜନୀତିର ଉଦ୍ଧ୍ୱର୍ରେ । ଜଗନ୍ନାଥ ମହାପ୍ରଭୁ ଓଡ଼ିଆଙ୍କ ଆସ୍ଥାର କେନ୍ଦ୍ର । ତାଙ୍କ ମନ୍ଦିରର ସୁରକ୍ଷା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ତେଣୁ ଏହି ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ ।
ଅନ୍ୟପକ୍ଷରେ ପ୍ରଶାସନିକ କଟକଣା ଉଲଂଘନ କରି ବଡ଼ଦାଣ୍ଡରେ ପଦଯାତ୍ରା କରି ଥିବାରୁ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଙ୍କ ବିରୋଧରେ ଟାଉନ ଥାନାରେ ଏକ ଏତଲା ଦାଏର କରା ଯାଇଛି। ସେହିପରି ଯୁବ ବିଜେଡି ତରଫରୁ ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଙ୍କ ବିରୋଧରେ ସିଂହ ଦ୍ଵାର ଥାନାରେ ଏକ ଏତଲା ଦାଏର ହୋଇଛି।
Leave A Reply