ମାହାଙ୍ଗା ୧୧ା୫ : ମାହାଙ୍ଗା ବ୍ଲକ୍ର ଭଦ୍ରେଶ୍ୱର ପଂଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଅଞ୍ଜଳୀ ପ୍ରଧାନ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ନା ଅଛି ରହିବାକୁ ବାସଗୃହ ନା ତାଙ୍କ ପାଖରେ ଅଛି ବାସ ଗୃହ ନିର୍ମାଣ କରିବାକୁ ଅର୍ଥ । ରୋଗ୍ରାସ୍ତ ଅବସ୍ଥାରେ ସ୍ଥାନୀୟ ଭଗବତୀ ଠାକୁରାଣୀ ପୀଠର ବାରଣ୍ଡାରେ ରାତ୍ରୀ ଯାପନ କରୁଛନ୍ତି ।
ଗତ ଫନି ବାତ୍ୟାରେ ତାଙ୍କର ଚାଳ ଛପର ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନନ୍ତ ତାଙ୍କୁ ଘରଭଙ୍ଗା ସହାୟତା ୯୫ ହଜାର ଟଙ୍କା ଦିଆଯାଇ ନାହିଁ । ଏ ସମ୍ପର୍କରେ ଅଞ୍ଜଳୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଘରଭଙ୍ଗା ସହାୟତା ମୋତେ ୧୦ ହଜାର ଟଙ୍କା ମିଳିଛି । ଅବଶିଷ୍ଟ ୮୫ ହଜାର ଟଙ୍କା ତହସିଲ ପ୍ରଶାସନ ମୋତେ ଦେଉ ନାହିଁ ।
ଯେଉଁମାନେ ତହସିଲ କାର୍ଯ୍ୟଳୟରେ ୫ହଜାର ଟଙ୍କା ହାତଗୁଞ୍ଜା ଦେଉଛନ୍ତି ତାଙ୍କୁ ଶିଘ୍ର ଘରଭଙ୍ଗା ପ୍ରଦାନ କରାଯାଉଛି । ମୋ ପାଖରେ ଅର୍ଥ ନଥିବାରୁ ମୁଁ ହାତ ଗୁଂଜା ନଦେବାରୁ ମୋତେ ତହସିଲ ପ୍ରଶାସନ ଅବଶିଷ୍ଟ ଘରଭଙ୍ଗା ସହାୟତା ପ୍ରଦାନ କରୁନାହିଁ । ଆମ୍ଭ ପଂଚାୟତରେ ଯେଉଁମାନଙ୍କର ଦୁଇତାଲା କୋଠାଘର ରହିଛି, ସେମାନଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ କରାଯାଉଛି । ମୋ ଭଳି ଦରିଦ୍ର ନିସହାୟ ମହିଳାଙ୍କୁ କେହି ବି ସହାୟତାର ହାତ ବଢାଉ ନାହାନ୍ତି ।
ଆଗକୁ ବର୍ଷାଦିନ ଆସୁଛି ମୋର ସ୍ଥାୟୀ ଘର ନଥିବାରୁ ମୁଁ କିଭଳି ରହିବି ସେ ଚିନ୍ତାରେ ମୁଁ ଏବେ ରୋଗାଗ୍ରସ୍ତ ହେଲିଣି । ପଶାସନ ତୁରନ୍ତ ମୋ ସମସ୍ୟାକୁ ଦୃଷ୍ଟି ଦେଇ ଘର ଖଣ୍ଡେ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବା ପାଇଁ ଅଞ୍ଜଳୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ ସର୍ବସାଧାରଣରେ ଜଣାଇଛନ୍ତି ।