ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ , ମା’ ହିଙ୍ଗୁଳା ସନାତନ ସଭ୍ୟତାର ଆଧ୍ୟାତ୍ମିକ ଚେତନାର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ
• ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ମନ୍ଦିର ଓ ପବିତ୍ର ଉଭା ସ୍ଥଳୀରେ ଦର୍ଶନ କରିବା ସହ କଲେ ପୂଜାର୍ଚ୍ଚନା
• ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହେଲେ
• ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବିତରଣ ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ନିୟୋଜିତ
• ଓଡ଼ିଶା ସମେତ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ପାଖରେ କଲେ ପ୍ରାର୍ଥନା
ତାଳଚେର/ଅନୁଗୋଳ, ମାର୍ଚ୍ଚ ୩୧, ୨୦୨୬ – ତାଳଚେରର ଅଧିଷ୍ଠାତ୍ରୀ ଦେବୀ, ଶକ୍ତିସ୍ୱରୂପିଣୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସପରିବାର ମାଆଙ୍କ ମନ୍ଦିରରେ ଦର୍ଶନ କରିବା ସହ ଉଭା ସ୍ଥଳୀରେ ପୂଜାର୍ଚ୍ଚନା କରିଛନ୍ତି ।
ମାଆଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରି ଶ୍ରୀ ପ୍ରଧାନ ନିଜକୁ କୃତାର୍ଥ ମନେ କରିବା ସହ ମା’ ହିଙ୍ଗୁଳାଙ୍କୁ ଆମ ସନାତନ ସଭ୍ୟତାର ଅନନ୍ୟ ସାଂସ୍କୃତିକ, ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି । ସୃଷ୍ଟିର ପ୍ରାରମ୍ଭରୁ ଅଗ୍ନିରୂପେ ଅଧିଷ୍ଠିତ ହୋଇ ମାଆ ତାଳଚେରବାସୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଶ୍ରୀମନ୍ଦିର ରୋଷଘରର ଠାକୁରାଣୀ ଭାବେ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ମାଆଙ୍କ ଶ୍ରୀଚରଣରେ ଅନୁଗୋଳ ମାଟିର ଶ୍ରୀବୃଦ୍ଧି ସହ ମାଆଙ୍କ କରୁଣାରୁ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସଂକଳ୍ପ ସାକାର ହେଉ ବୋଲି ପ୍ରାର୍ଥନା କରିଛନ୍ତି ।
ଏହି ଗସ୍ତ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ସ୍ୱଚ୍ଛତା ହିଁ ସେବା” ଆହ୍ୱାନକୁ ପାଥେୟ କରି କେନ୍ଦ୍ରମନ୍ତ୍ରୀ ମା’ଙ୍କ ପୀଠରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ । ପରିବେଶକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ସପରିବାର ମାଆଙ୍କ ଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରିବା ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ମାଆଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ସର୍ବଦା ରହିଥାଉ ଏବଂ ସମସ୍ତଙ୍କର ମଙ୍ଗଳ ହେଉ ବୋଲି ସେ କାମନା କରିଛନ୍ତି ।