ଆଗରପଡ଼ା : ବିଜେଡି କର୍ମୀ ସମ୍ମିଳନୀରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ଭଣ୍ଡାରିପୋଖରୀ ବିଧାୟକ ତଥା ବର୍ତ୍ତମାନ ଭଦ୍ରକ ବିଧାନସଭା ପ୍ରାର୍ଥୀ ହୋଇଥିବା ପ୍ରଫୁଲ୍ଲ ସାମଲ . ବନ୍ତ ଠାରେ ଆୟୋଜିତ ହୋଇଥିଲା କର୍ମୀ ସମ୍ମିଳନୀ, ଏଥିରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ, ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ,ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନାଙ୍କ ସମେତ ବରିଷ୍ଠ ଦଳୀୟ ନେତାମାନେ ଏହି ମଞ୍ଚରେ ମଧ୍ୟ ଉପସ୍ଥିତ ଥିଲେ . ଏହି ନିର୍ବାଚନମଣ୍ଡଳୀରୁ ଶ୍ରୀ ସାମଲ ଲଗାତରଭାବେ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ . ସେ ଦଳ ଓ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ବକ୍ତବ୍ୟ ଦେବାକୁ ଉଠିଥିବାବେଳେ ନିଜର କୋହକୁ ଚାପି ନ ପାରି ହଠାତ କାନ୍ଦିପକାଇ ବସିପଡ଼ିଥିଲେ . ଅବଶ୍ୟ କିଛି ସମୟ ପରେ ତାଙ୍କ ଚିରାଚରିତ ଢଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ . ଶ୍ରୀ ସାମଲ ଏହି ନିର୍ବାଚନମଣ୍ଡଳୀ ର ପ୍ରତି କୋଣଅନୁକୋଣରେ ଥିବା ଲୋକଙ୍କ ନିକଟରେ ପରିଚିତ ଥିଲେ ଓ ଏଥର ଏଠାରୁ ପ୍ରାର୍ଥୀ ହୋଇ ନ ଥିବାରୁ ପୂର୍ବ କଥା ମନେପକାଇ କାନ୍ଦି ପକାଇଲେ ବୋଲି କର୍ମୀମାନେ କୁହାକୁହି ହେଉଥିବାର ଶୁଣିବାକୁ ମିଳିଥିଲା .
