ଝାଡ଼ୁ ମାରିଦେଲା ଆପ୍: ବିଜେପିର ଦିଲ୍ଲୀ ଦଖଲ ଆଶା ଧୂଳିସାତ୍, ଏଥର ବି କଂଗ୍ରେସ ‘ଶୂନ’ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀେର ପୁଣି ଚାଲିଲା କେଜ୍ରିୱାଲଙ୍କ ଯାଦୁ। ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି (ଆପ୍) ବିଶାଳ ବିଜୟ ସହ ହ୍ୟାଟ୍ରିକ୍ କରିଛି। ୭୦ ଆସନ ବିଶିଷ୍ଠ ବିଧାନସଭାରେ ପାର୍ଟିକୁ ୬୨ଟି ଆସନ ମିଳିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ମିଳିଛି ୮ଟି ଆସନ। କଂଗ୍ରେସ ଗୋଟିଏ ହେଲେ ଆସନ ପାଇବାକୁ ସମର୍ଥ ହୋଇନାହିଁ। ୨୦୧୫ ତୁଳନାରେ ଏଥର ଆପ୍କୁ ୫ଟି ଆସନ କମ୍ ମିଳିଥିଲେ ମଧ୍ୟ ଏଭଳି ସଫଳତା ଯେ ସେମାନଙ୍କର କଳ୍ପନାର ବାହାରେ, ଏହା ସ୍ବୀକାର କରିବାକୁ ପଛାଇ ନାହାନ୍ତି ବିଜେପି ଏବଂ କଂଗ୍ରେସ ଭଳି ବିରୋଧୀ ଦଳ। ଏଥିପାଇଁ ସେମାନେ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରଣୟନ ହେବାପରେ ଯେଉଁ ଦୁଇଟି ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହୋଇଛି ସେଥିରେ ବିଜେପି ନେତୃତ୍ବାଧୀନ ଏନଡିଏ ପରାଜୟର ସମ୍ମୁଖୀନ ହୋଇଛି। ଗତ ଡିସେମ୍ବର ମାସରେ ବିଜେପି ହାତରୁ ଝାଡ଼ଖଣ୍ଡ ଖସିଥିଲା ବେଳେ ଆଜି ଦିଲ୍ଲୀରେ ମଧ୍ୟ ଶୋଚନୀୟ ପରାଜିତ ହୋଇଛି। ଦିଲ୍ଲୀର ସାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ଟାର୍ଗେଟ କରି ପ୍ରଚାର ଆରମ୍ଭ କରିଥିଲା ବିଜେପି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଇଜ୍ଜତର ପ୍ରଶ୍ନ ବୋଲି ଧରିନେଇଥିଲା। ବିଜେପି ପକ୍ଷରୁ ଏଭଳି ଆକ୍ରମଣାତ୍ମକ ପ୍ରଚାର କରାଯାଇଥିଲା ଯେ ପାର୍ଟିର ଅନେକ ନେତା ଲଗାମଛଡ଼ା ହୋଇପଡ଼ିଥିଲେ। ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ପାର୍ଟିର କେତେକ ନେତା ‘ଗୋଲି ମାରୋ’ ଆହ୍ବାନ ଦେବା ସହ ଦେଶଦ୍ରୋହୀ କହିବାକୁ ପଛାଇ ନଥିଲେ। ଏପରିକି ବିଜେପିର ଜଣେ କେନ୍ଦ୍ର ମନ୍ତ୍ରୀ କେଜ୍ରିୱାଲଙ୍କୁ ‘ଆତଙ୍କବାଦୀ’ ବୋଲି ମଧ୍ୟ କହିଦେଇଥିଲେ। ଏହି କାରଣରୁ ସମସ୍ତଙ୍କର ନଜର ରହିଥିଲା ଦିଲ୍ଲୀ ନିର୍ବାଚନ ଉପରେ।
ଏଭଳି ଉତ୍ତେଜନାମୂଳକ ପ୍ରଚାର ଅଭିଯାନ ପରେ ଗତ ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ଆଜି ଗଣତି ଆରମ୍ଭରୁ ମଧ୍ୟ ଉତ୍କଣ୍ଠା ଓ ଉତ୍ତେଜନା ଲାଗି ରହିଥିଲା। ଆପ୍ ଓ ବିଜେପି ମଧ୍ୟରେ ଟକ୍କର ଚାଲିଥିଲେ ମଧ୍ୟ ଆପ୍ ବହୁତ ଆଗରେ ରହିଥିଲା। ଆଜି ସନ୍ଧ୍ୟା ବେଳେ ଚୂଡାନ୍ତ ଫଳାଫଳ ଘୋଷିତ ହୋଇଛି। ଆପକୁ ୨୦୧୫ ତୁଳନାରେ ୫ଟି କମ୍ ଆସନ ମିଳିଥିଲା ବେଳେ ବିଜେପିକୁ ୫ଟି ଅଧିକ ଆସନ ମିଳିଛି। ଦୀର୍ଘ ଦିନ ଧରି ଦିଲ୍ଲୀ ଶାସନ କରିଥିବା କଂଗ୍ରେସ ଏଥର ମଧ୍ୟ ଖାତା ଖୋଲି ପାରିନାହିଁ। ଆପ୍କୁ ୫୩.୭% ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୦% ଏବଂ କଂଗ୍ରେସକୁ ୪.୪% ଭୋଟ୍ ମିଳିଛି। ହ୍ୟାଟ୍ରିକ୍ ବିଜୟ ପରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘ଦିଲ୍ଲୀ ୱାଲୋ, ଗଜବ କରଦିଆ ଆପ୍ ନେ’ (ଚମତ୍କାର କରିଦେଲେ ଦିଲ୍ଳୀବାସୀ)। ଦିଲ୍ଲୀବାସୀଙ୍କର ଏହି ବିଜୟ ହେଉଛି ବିକାଶର ବିଜୟ। ଦିଲ୍ଲୀ ଏକ ନୂଆ ରାଜନୀତିକୁ ଜନ୍ମ ଦେଇଛି, ତାହା ହେଉଛି ଲୋକଙ୍କ କଲ୍ୟାଣ ଓ ନିରନ୍ତର ବିକାଶର ରାଜନୀତି। ଏହା ସମଗ୍ର ଦେଶ ପାଇଁ ଏକ ବଡ଼ ବାର୍ତ୍ତା ବୋଲି କେଜ୍ରିୱାଲ କହିଛନ୍ତି। ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ଏବଂ ଦିଲ୍ଲୀ ପ୍ରଦେଶ ବିଜେପି ସଭାପତି ମନୋଜ ତିୱାରୀ ଦଳର ପରାଜୟ ସ୍ବୀକାର କରିବା ସହ ସରକାରକୁ ଗଠନମୂଳକ ସହଯୋଗ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ ଆମେ ପରିଣାମକୁ ସ୍ବୀକାର କରୁଛୁ, ପରାଜୟକୁ ନୁହେଁ। ଦିଲ୍ଲୀରେ ହିନ୍ଦୁ-ମୁସ୍ଲିମ ଭୋଟ୍ ଧ୍ରୁବୀକରଣ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଆପ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀବାସୀଙ୍କ ଆକାଂକ୍ଷା ପୂରା କରିବା ପାଇଁ ଆପ୍କୁ ବହୁତ ଶୁଭକାମନା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପ୍ ଏବଂ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇ ଟ୍ବିଟ୍ କରିଛନ୍ତି।