ମୋହନ ଚରଣ ବିଷି : ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ କହିଥିଲେ ଗଣତନ୍ତ୍ର ସରକାର ଲୋକଙ୍କର,ଲୋକଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଶାସନ।ଏଠାରେ ଗଣତନ୍ତ୍ର କୁ ଲୋକ ଶାସନ ପ୍ରତିରୂପ ବୋଲି କୁହାଯାଇଛି।ଗଣତନ୍ତ୍ର ଶାସନରେ ଲୋକମାନେ ହିଁ କ୍ଷମତାର ଅଧିକାରୀ। ସେମାନେ ସରକାର ଗଢନ୍ତି,ସରକାରୀ ଆଇନରେ ଶାସିତ ମଧ୍ୟ ହୋଇଥାନ୍ତି।ଗଣତନ୍ତ୍ର ଏକ ଲୋକ ଶାସନ,ଏହା କେବଳ ଏକ ପ୍ରକାର ଶାସନ ବ୍ୟବସ୍ଥା ନହୋଇ ଏକ ପ୍ରକାର ଜୀବନ ପ୍ରଣାଳୀ।ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସମସ୍ତ ଗଣଙ୍କର ଭାଗ ଥାଏ।ସେମାନେ ରାଜନୈତିକ କ୍ଷମତାକୁ ନିୟନ୍ତ୍ରଣ କରନ୍ତି।ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତି ଶାସନରେ ସିଧାସଳଖ ଅଂଶ ଗ୍ରହଣ କରିଥାନ୍ତି।ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ରେ ମତଦାନ ବା ବହୁମତରେ ଚୟନ ବ୍ୟବସ୍ଥା ରହିଛି।ଏହି ସଂଖ୍ୟାଗରିଷ୍ଠ ମତକୁ ଲୋକମତ ବା ଗଣମତ ବୋଲି ଧରାଯାଏ। ବହୁମତ ମାଧ୍ୟମରେ ନିର୍ବାଚିତ ବ୍ୟକ୍ତି ରାଜନୈତିକ କ୍ଷମତା ହାସଲ କରେ।ନିର୍ବାଚିତ ଗଣନେତା ରାଷ୍ଟ୍ର ପାଇଁ କାର୍ଯ୍ୟ କରେ।ରାଜନୈତିକ କ୍ଷମତା ହାସଲ କରି ସମାଜ ପ୍ରତି ଉତ୍ତରଦାୟୀ ହୁଏ ଓ ସରକାର ଉପରେ ସମାଜର ନିୟନ୍ତ୍ରଣ କ୍ଷମତା ଥାଏ।
ଗଣତନ୍ତ୍ର ରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନୂତନ ରାଜନୈତିକ ଚିନ୍ତାଧାରା ପ୍ରକାଶ ହୋଇଥାଏ। ଗଣତନ୍ତ୍ର ଶାସନରେ ଗଣ ଅଧିକାର ଥିବାରୁ ଅନେକ ଗଣନେତା ହେବା ପାଇଁ ରାଜନୈତିକ ଦଳଗଢି ଥାନ୍ତି।ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ଆଦର୍ଶ ବା ଚିନ୍ତାଧାରା ରାଜନୈତିକ ଦଳ ମାନଙ୍କ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ।ଗଣଙ୍କର ଦୃଷ୍ଟିରେ ରଖି ଆଇନ ତିଆରି କରନ୍ତି।ଗଣତନ୍ତ୍ର ଶାସନ ସାଧାରଣତଃ ଲୋକମାନଙ୍କ ସାମାଜିକ ଚେତନା,ସ୍ବାଧୀନ ଆଲୋଚନା, ସାର୍ବଜନୀନ ସାବାଲୋକ ଭୋଟ,ନିର୍ବାଚନ,ଅଧିକାର, କର୍ତ୍ତବ୍ୟ, ଚତୁର୍ଥ ସ୍ତମ୍ଭର ସ୍ବାଧୀନତା ଉପରେ ନିର୍ଭରଶୀଳ।ସ୍ବାଧୀନ ଚିନ୍ତା ଓ ଅଧିକାର ବିଭିନ୍ନ ଗୋଷ୍ଠୀ ସୃଷ୍ଟି କରିଥାଏ।ଏହିସବୁ ଗୋଷ୍ଠୀ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ୱାରୋପ କରିଥାଏ।ଏହା ମାଧ୍ୟମରେ ବ୍ୟକ୍ତିଗତ ଆବଶ୍ୟକତା ପୂରଣ ହୋଇଥାଏ।ଗଣତନ୍ତ୍ର ଶାସନ ବ୍ୟକ୍ତିବାଦ, ସମାଜବାଦ, ଜାତୀୟତା ବାଦ ଓ ଉଦାରବାଦର ଉପଯୁକ୍ତ ସମନ୍ୱୟ। ଏମାନଙ୍କ ମଧ୍ୟରେ ଉପଯୁକ୍ତ ଅନୁପାତର ମିଶ୍ରଣ ଆବଶ୍ୟକ।ଯଦି କେଉଁ କାରଣରୁ କମ ଅଧିକ ହେଲେ ଗଣତନ୍ତ୍ର ଶାସନ ଜଂଜାଳଗ୍ରସ୍ତ ହୋଇଯାଏ।ଗଣତନ୍ତ୍ର ଶାସନ ରାଜନୈତିକ ସାର୍ବଭୌମତା ଓ କ୍ଷମତଧାରୀର ସଂପର୍କ ଉପରେ ନିର୍ଭରଶୀଳ।ବର୍ତ୍ତମାନ କେବଳ ସୁଇଜରଳ୍ୟାଣ୍ଡର କିଛି କ୍ୟାଟନରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ପୂର୍ବରୁ ପୁରାତନ ଗ୍ରୀସରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା।ଆଧୁନିକ ରାଷ୍ଟ୍ରରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ।ପ୍ରତ୍ୟକ୍ଷ ଗଣତନ୍ତ୍ର ରେ ନାଗରିକ ମାନେ ସିଧାସଳଖ ଅଂଶଗ୍ରହଣ କରୁଥିବାରୁ ରାଜନୈତିକ ଚେତନା ବୃଦ୍ଧି ପାଏ।ନାଗରିକ ମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରନ୍ତି।ଶାସକ ଯଦି ଉତ୍ତମ ଶାସନ ବ୍ୟବସ୍ଥା ପ୍ରଦାନ କରିପାରେ ନାହିଁ ତାହେଲେ ପ୍ରତ୍ୟାହାର କରିନିଅନ୍ତି।ଏହି ଭୟରେ ଶାସକ ପ୍ରକୃତ ଗଣନେତା ହିସାବରେ କାର୍ଯ୍ୟ କରିଥାଏ।
ପରୋକ୍ଷ ଗଣତନ୍ତ୍ର ରେ ଦଳୀୟ ବ୍ୟବସ୍ଥା ଜନ୍ମ ନିଏ।ଦଳର କାର୍ଯ୍ୟ ଦକ୍ଷତା ଉପରେ ଗଣଙ୍କର ଆସ୍ଥା ଭାଜନ ହୁଅନ୍ତି।ଥରେ କ୍ଷମତାକୁ ଆସିଲେ ସଂପୂର୍ଣ୍ଣ ଅବଧି ଯାଏ ଶାସନ କରନ୍ତି।ଶାସକ ଯଦି ଗଣନେତା ନହୋଇ ଦଳୀୟ ନେତା କିମ୍ବା ବ୍ୟକ୍ତିବାଦ ଶାସନ କରିଥାଏ ତାହେଲ ମଧ୍ୟ ନାଗରିକ ମାନଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ତେଣୁ ପରୋକ୍ଷ ବା ବର୍ତ୍ତମାନ ଅନେକ ରାଷ୍ଟ୍ର ରେ ପରିଚାଳିତ ଗଣତାନ୍ତ୍ରିକ ବ୍ୟବସ୍ଥା ରେ ଶାସକ ଗଣତାନ୍ତ୍ରିକ ଏକଛତ୍ରବାଦୀ ହେବାର ଦେଖାଯାଏ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରେ ସଂଖ୍ୟାଗରିଷ୍ଠ ମତକୁ ଗ୍ରହଣ କରାଯାଏ।ଯଦି ରାଜନୈତିକ ଦଳ ଯେ କୌଣସି ପ୍ରକାରେ ସଂଖ୍ୟାଗରିଷ୍ଠତା ପ୍ରାପ୍ତ ହୁଏ ନିରଙ୍କୁଶ ଶାସନ କରିଥାଏ।ଯଦିଓ ସଂଖ୍ୟାଲଘୁ ମାନଙ୍କ ମତକୁ ଉପେକ୍ଷା କରିବା ଅନୁଚିତ ବାସ୍ତବରେ ତାହା ହୋଇନଥାଏ।ପରୋକ୍ଷ ଗଣତନ୍ତ୍ର ରେ କେବଳ ନିର୍ବାଚନ ସମୟରେ ସଂପର୍କ ଓ ପ୍ରତିଶୃତି ସୀମିତ ରହିଯାଉଛି।ଶାସନ ସମୟରେ ଗଣ ଓ ଗଣ ନେତା ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ରହିବା ଉଚିତ।ନହେଲେ ଶାସନ ଦୁର୍ନୀତିଗ୍ରସ୍ତ ହୋଇଥାଏ।କ୍ଷମତା ଲୋଭ ସ୍ବେଚ୍ଛାଚାରିତା ବୃଦ୍ଧି କରେ।
ଗଣତନ୍ତ୍ର କେବଳ ଏକ ଶାସନ ସଂସ୍ଥା ନୁହେଁ ଏହା ଏକ ସମାଜର ସଂଗଠନ।ସାମାଜିକ ବ୍ୟବସ୍ଥା ରେ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସମତା ରହିବା ଆବଶ୍ୟକ।ସାମାଜିକ ଗଣତନ୍ତ୍ର ହେଉଛି ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ସୁଯୋଗ ଓ ସୁବିଧା ପାଇବେ।କିନ୍ତୁ ବର୍ତ୍ତମାନ ଗଣତନ୍ତ୍ର ରେ ଏସବୁ ଦୃଷ୍ଟି ଗୋଚର ହେଉନାହିଁ। ବର୍ତ୍ତମାନ ରାଷ୍ଟ୍ରରେ ଶ୍ରେଣୀ ବିଭାଗ ଗଣତନ୍ତ୍ର ର ଆଢୁଆଳରେ ଦେଖାଯାଉଛି।ଧନୀ ଗରିବ, ଉଚ୍ଚନିଚ୍ଚ,ଜାତି ଓ ଧର୍ମ ଭିତ୍ତିକ ମନ୍ତବ୍ୟ, ପାଠୁଆ ଅପାଠୁଆ ପରି ଶ୍ରେଣୀ ବିଭାଗ ଦ୍ୱାରା ଭାତୃଭାବ,ସମଭାବ ଉଦ୍ରେକ ହୋଇପାରୁ ନାହିଁ।ଗଣତନ୍ତ୍ର ରେ ଏହି ମତଭେଦ ଶୁଭଙ୍କର ନୁହେଁ।ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ମତ ବା ଚିନ୍ତାଧାରାକୁ ସ୍ବାଗତ କରି ଉପଯୁକ୍ତ ସମ୍ମାନ ଦିଆଯାଇଥାଏ।ସଂଖ୍ୟାଗରିଷ୍ଠତା ବିଚାର ପରେ ଓ ସଂଖ୍ୟାଲଘୁ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି ମତ ଗ୍ରହଣୀୟ।
ତେବେଯାଇ ଏକ ସର୍ବସାଧାରଣ ମତ ଆସିପାରିବ।ସଂଖ୍ୟାଗରିଷ୍ଠ ମତ ଆପୋଷ ଆଦାନ ପ୍ରଦାନ ନୀତି ଉପରେ ପ୍ରତିଷ୍ଠିତ ହୁଏ।ଫଳରେ ଗଣତନ୍ତ୍ର ରେ ଉଦାର ଭାବ ପରିପ୍ରକାଶ ହୋଇଥାଏ।ଯେଉଁ ରାଷ୍ଟ୍ର ରେ ଉଦାର ଭାବ ଯେତେ ମାତ୍ରାରେ ପ୍ରକାଶିତ ସେ ରାଷ୍ଟ୍ର ରେ ଗଣତନ୍ତ୍ର ଶାସନ ସେତେ ସଫଳ ହୋଇଥାଏ।ସହନଶୀଳତା ଓ ସହଯୋଗୀ ମନୋଭାବ ଗଣତନ୍ତ୍ରର ଅପରିହାର୍ଯ୍ୟ ଉପାଦାନ।ଏବେ କିନ୍ତୁ ଗଣତନ୍ତ୍ର ର ମନ୍ଦିରରେ ମଧ୍ୟ ଅଗାଣତନ୍ତ୍ରିକ ଆଲୋଚନା ଓ ବ୍ୟବହାର।ଆରୋପ ପ୍ରତ୍ୟାରୋପରେ ବିଶୃଙ୍ଖଳିତ ଆଚରଣ।ନୈତିକ ଶିକ୍ଷାର ଘୋର ଅଭାବ ଅନୁଭୂତ ହୋଇଥାଏ।ଗଣନେତା ଙ୍କର ଆଚରଣ ଓ ଉଚ୍ଚାରଣ ରେ ବେଶ ତାରତମ୍ୟ ଦେଖାଯାଏ।ଗଣନେତା ଦଳୀୟ ଓ ବ୍ୟକ୍ତି ଗତ ସ୍ଵାର୍ଥ ରେ ଜଡିତ।ଏପରି ହେଲେ ଗଣତାନ୍ତ୍ରିକ ଶାସନ ଗଣଙ୍କର କିପରି ହେବ।