ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଦେଶବ୍ୟାପୀ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । କିନ୍ତୁ ଟିକାକରଣ ଦୌଡ଼ରେ ଓଡ଼ିଶା ଆଗରେ ଅଛି । ରାଜ୍ୟରେ ଟାର୍ଗେଟର ୮୩% ଟିକାକରଣ କରାଯାଇଛି । ଅର୍ଥାତ୍ ୧୦୦ରୁ ୮୩ ଜଣ ଟିକା ନେଉଥିବା ବେଳେ ୧୭ଜଣ କୌଣସି କାରଣବଶତଃ ଟିକା ନେଇ ପାରୁନାହାଁନ୍ତି । ଟିକା ଦୌଡ଼ରେ ପଞ୍ଜାବ ସବୁଠାରୁ ପଛରେ ପଡ଼ିଯାଇଛି । ଏଠାରେ ଟାର୍ଗେଟ ତୁଳନାରେ ମାତ୍ର ୨୮% କରୋନା ଯୋଦ୍ଧା ଟିକା ନେଇଛନ୍ତି । ଓଡିଶା ପରେ ତେଲଙ୍ଗାନାରେ ୮୧%, ଉତ୍ତରପ୍ରଦେଶରେ ୭୧% ଏବଂ ରାଜସ୍ଥାନରେ ୭୧% ଟିକାକରଣ ଟାର୍ଗେଟ ପୂରଣ ହୋଇଛି । ତାମିଲନାଡୁ ଏବଂ ପୁଡୁଚେରୀରେ ମଧ୍ୟ ଟାର୍ଗେଟର ମାତ୍ର ୩୫% ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, କର୍ଣ୍ଣାଟକରେ ସର୍ବାଧିକ ୧,୮୨,୫୦୩ ଜଣଙ୍କୁ ଟିକା ଦିଆଯାଇଛି ।
ପରେ ଆନ୍ଧ୍ରପ୍ରଦେଶରେ ୧,୨୭,୭୨୬, ଓଡ଼ିଶାରେ ୧,୨୧,୦୦୪ ଏବଂ ତେଲଙ୍ଗାନାରେ ୧,୦୨,୭୨୪ ଜଣ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ମିଳିଛି । ଏହି ଚାରି ରାଜ୍ୟରେ କେବଳ ଲକ୍ଷାଧିକ ଲୋକଙ୍କୁ ଟିକା ଦିଆଯାଇଛି । ଦେଶରେ ମାତ୍ର ଛଅ ଦିନରେ ୧୦,୪୩,୫୩୪ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆ ସରିଲାଣି । ଗତ ୨୪ ଘଣ୍ଟାରେ ୨,୩୭,୦୫୦ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ଟିକା ଲଗାଯାଇଛି । ଦିନକରେ ଦେଶବ୍ୟାପୀ ୪୦୪୯ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଛି । ଶୁକ୍ରବାର ସୁଦ୍ଧା ୧୮,୧୬୭ଟି ଟିକାକରଣ ଅଧିବେଶନ କରାଗଲାଣି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ଲକ୍ଷାଧିକ କରୋନା ଯୋଦ୍ଧାଙ୍କୁ ଟିକା ମିଳିଛି । ସୂଚନାଥାଉକି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମହାମାରୀ କରୋନାକୁ ମୁକାବିଲା ନିମିତ୍ତ ଏକ ପ୍ରକାର ଯୁଦ୍ଧକାଳୀନ କ୍ଷମତା ରଖି ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟ ସହାୟତା ପହଞ୍ଚାଇବାରେ ସମର୍ଥ ହୋଇପାରିଛି । ଏ କ୍ଷେତ୍ରରେ ପ୍ରତ୍ୟେକ କରୋନା ଯୋଦ୍ଧାଙ୍କ ଅଗ୍ରଣୀ ଓ ନିଃସ୍ୱାର୍ଥପର ଭୂମିକା ଯେତିକି ପ୍ରଶଂସନୀୟ ସେତିକି ପ୍ରେରଣାଦାୟକ ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୪,୫୪୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୨୫,୪୨୮ରେ ପହଞ୍ଚôଛି । ୧,୦୨,୮୩,୭୦୮ ସୁସ୍ଥ ହେଲେଣି । ଗୋଟିଏ ଦିନରେ ୧୮,୦୦୨ ସୁସ୍ଥ ହୋଇଛନ୍ତି । ସୁସ୍ଥହାର ୯୬.୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ଦିନକରେ ୧୬୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଯାବତ୍ କରୋନା ମହାମାରୀ ୧,୫୩,୦୩୨ ଜୀବନ ନେଲାଣି । ଏବେ ଲଗାତର ତୃତୀୟ ଦିନରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ତଳେ ଅଛି । ଏବେ ୧,୮୮,୬୮୮ ଚିକିତ୍ସାଧୀନ କରୋନା ସଂକ୍ରମିତ ଅଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କର ୧.୭୮ ପ୍ରତିଶତ । ଗତ ୨୧ ଦିନ ମଧ୍ୟରେ ତଥା ଏ ମାସରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭ ହଜାର ହ୍ରାସ ପାଇଛି ।
ପ୍ରତ୍ୟେକ ଦିନ ହାରାହାରି ୩୧୮୪ ସକ୍ରିୟ ମାମଲା କମିଛି । ବିଶେଷଜ୍ଞଙ୍କ ମୁତାବକ, ସକ୍ରିୟ ମାମଲା ଯଦି ଏହି ଭଳି ହ୍ରାସ ହୋଇଚାଲେ ତେବେ ୫୮ ଦିନରେ ତଥା ମାର୍ଚ୍ଚ ମାସ ସୁଦ୍ଧା ସ୍ଥିତି ସାମାନ୍ୟ ହୋଇଯିବ । ଦୈନିକ ମାତ୍ର ଗୋଟିଏରୁ ଦୁଇଟି ମାମଲା ଆସିବ । ଅନ୍ୟପକ୍ଷରେ ଭାରତର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବୀ ବୋଲି ଖ୍ୟାତନାମା ବି୍ରଟିଶ ମେଡ଼ିକାଲ ଜର୍ଣ୍ଣାଲ ଲାନ୍ସେଟରେ ପ୍ରକାଶିତ ହୋଇଛି । କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ଟିକା ଦ୍ୱାରା ଶରୀରରେ ସେଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଉ ନଥିବା ଏବଂ ଏହା କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି କରି ପାରୁଥିବା କୁହାଯାଇଛି । ବର୍ତ୍ତମାନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।
ରାଜ୍ୟରେ ୧ଲକ୍ଷ ୩୦ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ମହାକବଚ ଭାବେ ଟିକା ଗ୍ରହଣ କରିସାରିଲେଣି । ଏହି ଲେଖା ପ୍ରସ୍ତୁତି ବେଳକୁ ସପ୍ତମ ଦିନରେ ରାଜ୍ୟରେ ୧୨୪ ପ୍ରତିଶତ ଟିକାକରଣ ହୋଇଛି । ସୂଚନାଥାଉକି ସମୁଦାୟ ୧୫୨ ଅଧିବେଶନରେ ୧୩ ହଜାର ୧୯୫ଜଣଙ୍କୁ ଟିକା ଦେବାଲାଗି ଲକ୍ଷ୍ୟ ରଖାଯାଇଥିବାବେଳେ ୧୬,୩୮୪ ଜଣଙ୍କୁ ଟିକା ଦିଆହୋଇଛି । ରାଜ୍ୟରେ ଉପଲବ୍ଧ ହେଉଥିବା ଦୁଇ ପ୍ରକାର ଟିକା ମଧ୍ୟରୁ ଏହି ଲେଖା ପ୍ରସ୍ତୁତି ବେଳକୁ ୧୫୨୪୭ଜଣଙ୍କୁ କୋଭିସିଲ୍ଡ ଓ ୧୧୩୭ଜଣଙ୍କୁ କୋଭାସ୍କିନ ଟିକା ଦିଆଯାଇଛି । ଆସନ୍ତା ପର୍ଯ୍ୟାୟର ୨୨୧ ଅଧିବେଶନରେ ସମୁଦାୟ ୨୦,୩୩୦ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ଯେଉଁ ସିଏଚ୍ସି ଗୁଡ଼ିକରେ ନିୟମିତ ଟିକା ଦାନ ହେଉଛି ସେଠାରେ ସପ୍ତାହକୁ ତିନିଦିନ ଟିକାକରଣ କରାଯିବ ।
କିନ୍ତୁ ମେଡ଼ିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାରେ ସପ୍ତାହକୁ ଛଅଦିନ ଟିକାଦାନ ଦିଆଯିବ । ଆସନ୍ତା ୨୫ ତାରିଖ ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟ ରଖିଛି ।
ଦେଶର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ ନିରାପଦ ଓ ଏହାର ପ୍ରାଶ୍ୱପ୍ରତିକ୍ରିୟା ନାହିଁ ବୋଲି ସ୍ୱାସ୍ଥ୍ୟ ପତ୍ରିକା “ଲାନ୍ସେଟ୍’ ଜଣାଇଛି । କେତେକ କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇନଥିବାରୁ ଏହାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ନେଇ କିଛି ବିଶେଷଜ୍ଞ ଚିନ୍ତା ପ୍ରକଟ କରିଥିଲେ । ସେହିପରି ଏଯାବତ୍ ଦେଶରେ ୧୦ଲକ୍ଷରୁ ଅଧିକ କୋଭିଡ ଟିକା ନେଲେଣି ।
ଏକ ପରିସଂଖ୍ୟନର ତଥ୍ୟ କହୁଛି ଅନ୍ୟ ଦେଶ ତୁଳନାରେ ଭାରତୀୟମାନେ ଏହି କରୋନା ଟିକାକୁ ସବୁଠୁ ଅଧିକ ବିଶ୍ୱାସ ରଖୁଛନ୍ତି । ଭାରତରେ ପ୍ରତି ୧୦ଜଣରେ ୮ଜଣ ଟିକା ଚାହୁଁଥିବାବେଳେ ରୁଷ, ଆମେରିକା, ବ୍ରିଟେନ, ଜର୍ମାନ, ଭାରତ ସମେତ ୨୮ରାଷ୍ଟ୍ର ମଧ୍ୟରୁ ଭାରତରେ ସବୁଠୁ ଅଧିକ ଲୋକ କୋଭିଡ଼ ଟିକା ନେଉଛନ୍ତି ।
ଯେଉଁଠି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ୫୯ ପ୍ରତିଶତ ଓ ଚୀନରେ ୭୪ ପ୍ରତିଶତ ଲୋକ କରୋନା ଟିକା ନେବାକୁ ଇଛା କରୁଛନ୍ତି । ତେବେ କରୋନାକୁ ନେଇ କୌଣସି ଆତଙ୍କ ବା ଗୁଜବ ସୃଷ୍ଟି ହେବା ଅତ୍ୟନ୍ତ କ୍ଷତିଦାୟକ ହୋଇଯିବ ।