Odisha news

ଶୁଣ୍ଢରେ ମୋଡି ଫିଙ୍ଗିଦେଲା ହାତୀ – ଗୁରୁତର ଚାଷୀ ମେଡିକାଲରେ ଭର୍ତ୍ତି

0

ଭଞ୍ଜନଗର,୨୯/୧୨ – ଶୁଣ୍ଢରେ ମୋଡି ଚାଷୀଙ୍କୁ ଫିଙ୍ଗିଲା ହାତୀ । ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଭୋରରୁ ହରିପୁର ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୁଚନା ପ୍ରକାରେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନଖଣ୍ଡର ଗେରେଡା ସେକସନ୍ ଅନ୍ତର୍ଗତ ସମରବନ୍ଧ ବିଟ୍ର ହରିପୁର ଗ୍ରାମର ସୁରେନ୍ଦ୍ର ନାୟକ ନାମକ ଜଣେ ୬୦ବର୍ଷର ବୃଦ୍ଧ ଗ୍ରାମ ପାଖ ଚାଷଖଳାକୁ ନିଜର ଧାନ ଜଗିବାକୁ ଭୋର ୪ଟାରେ ଯାଇଥିଲେ । ସେ ଖଳାରେ ଧାନ ଜଗିଥିବାବେଳେ ଅତର୍କିତ ଗୋଟିଏ ହାତୀ ସୁରେନ୍ଦ୍ରଙ୍କୁ ପଛରୁ ଶୁଣ୍ଢରେ ଟାଣି ନେଇ ଫୋପାଡି ଦେଇଥିଲେ । ଫଳରେ ସୁରେନ୍ଦ୍ର ଗୁରୁତର ଆହାତ ହୋଇଥିଲେ ।

ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଜଖମ ଲାଗିଥିଲା । ଏସଂପର୍କରେ ସୁରେନ୍ଦ୍ରଙ୍କ ପରିବାର ପକ୍ଷରୁ ବନ ବିଭାଗକୁ ଖବର ଦିଆଯିବାପରେ ବେଲଗୁଣ୍ଠା ବନପାଳ ବବୁଲ୍ ସେଠୀ ଓ ଗେରେଡା ବନପାଳ କଳାବଦନ ଦାଶ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରଙ୍କୁ ଉଦ୍ଧାର କରିବାସହ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଏମାନଙ୍କ ଠାରୁ ଡିଏଫଓ ଅଭୟ ଦଳାଇଙ୍କୁ ସୁଚନା ଦିଆଯିବାପରେ ଡିଏଫଓଙ୍କ ନିଦେ୍ର୍ଦଶକ୍ରମେ ଏସିଏଫ ସୁଦର୍ଶନ ବାଦୀ ତୁରନ୍ତ ମେଡିକାଲରେ ପହଞ୍ଚି ଆହାତ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସୁରେନ୍ଦ୍ରଙ୍କ ଚିକିତ୍ସାଖର୍ଚ୍ଚ ବନ ବିଭାଗ ପକ୍ଷରୁ ଦି ଆଯିବାନେଇ ସେ ଘୋଷଣା କରିଥିଲେ । ସୁଚନାଯୋଗ୍ୟଯେ ୨ ଦିନ ପୂର୍ବେ ଏହି ବନଖଣ୍ଡର ନୂଆଁପଲ୍ଲୀ ଠାରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା । ଏକଥା ମନରୁ ନଲିଭୁଣୁ ଏବେ ଧାନ ଖଳାରେ ପଶି ହାତୀ ଜଣେ ଚାଷୀଙ୍କୁ ଶୁଣ୍ଢରେ କଚାଡି ଫୋପାଡି ଦେବା ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।

Leave A Reply