Odisha news

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲା : ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି

0

ନୟାଗଡ଼: ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତର ଗିରଫଦାରୀ ପରେ ନୟାଗଡ଼ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ଥରେ ନୁହେଁ, ଗତ ୧୦ ଦିନ ମଧ୍ୟରେ ବହୁବାର ପଚରାଉଚରା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ତାକୁ ଜେରା କରାଯାଇଥିବା ଶ୍ରୀ ବୋଥ୍ରା ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆମେ ତଦନ୍ତର ଦ୍ବିତୀୟ ପାହାଚରେ ରହିଛୁ। ପ୍ରଥମେ ଆମେ ଅନୁସନ୍ଧାନ କରିଥିଲୁ କାହିଁ ଘଟଣା ଘଟିଲା? ତା’ପଛର କାରଣ କ’ଣ ରହିଛି? ଆମେ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହେଲୁ ଯେ ଯୌନ ନିର୍ଯାତନା ଅପରାଧର ମୁଖ୍ୟ କାରଣ। ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍ କମ୍ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ। ଆଜି ପୋକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରିବୁ। ଏତିକିରେ ତଦନ୍ତ ସରି ନାହିଁ, ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତାହା ଶେଷ ହେଲେ ଏସଆଇଟି ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯିବ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଲାଗିଥିବା ବିଭିନ୍ନ ଅଭିଯୋଗ ସଂପର୍କରେ ପଚରା ଯିବାରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ, ମ‌ୋ ବିରୋଧରେ ବ୍ୟକ୍ତିଗତ ଅଭିଯୋଗ ଆସିଛି ଓ ତଦନ୍ତକାରଙ୍କ ବିରୋଧରେ ମଧ୍ୟ  ଅଭିଯୋଗ ରହିଛି। ଆମେ ଅଦାଲତଙ୍କ ନିକଟରେ ଉତ୍ତରଦାୟୀ, ତେଣୁ ଅଦାଲତରେ ଏ ବାବତରେ ନିଜର ପକ୍ଷ ରଖିବୁ। ଉଲ୍ଲେଖଯୋଗ୍ୟ, ଦୋଷ ମାନିଗଲେ  ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ବୋଥ୍ରା ଅଭିଯୁକ୍ତକୁ ପ୍ରଲୋଭିତ କରିଥିଲେ ଏବଂ  ଥାର୍ଡ ଡିଗ୍ରି ବ୍ୟବହାର କରିଥିଲେ ବୋଲି ଅଭିଯୁକ୍ତ ପରିବାର ପକ୍ଷରୁ କୁହାଯାଇଛି। ତାର ମା’ କହିଛନ୍ତି ଯେ ପୁଅ ନିର୍ଦ୍ଦୋଷ ପୁଲିସ ମିଛରେ ଦୋଷ ଲଦୁଛି।  ‌

Nalco
Leave A Reply