ତିହିଡି (jadumani Panigrahi) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଲକରେ ଆଜି ଯାଏଁ ସରକାରୀ ଧାନ ବିକ୍ରୟ କେନ୍ଦ୍ର ଖୋଲି ପାରିନାହିଁ । ଯାହା ଫଳରେ ଚାଷୀମାନେ ଧାନ ବେପାରୀ ମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଧାନ ବେପାରୀଙ୍କ ପୁଷ ମାସ ହୋଇଥିବା ବେଳେ ଚାଷୀମାନେ କମ୍ ମୂଲ୍ୟରେ ଧାନ ବିକି ଶୋଷଣର ଶିକାର ହେଉଛନ୍ତି । ପ୍ରକାଶ ଯେ, ତିହିଡି ବ୍ଲକରେ ଚଳିତ ଖରିଫ ଋତୁରେ ସରକାରୀ ଭାବେ ଧାନ ସଂଗ୍ରହ କରାଯିବ । ବ୍ଲକରେ ଥିବା ୧୬ଟି ସମବାୟ ସମିତି ଜରିୟାରେ ଚାଷୀଙ୍କ ଠାରୁ ଏହି ଧାନ କ୍ରୟ କରାଯିବ ।
ତେବେ କୌଣସି ସମବାୟ ସମିତିରେ ଏ ଯାଏଁ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ । ଚଳିତ ଖରିଫ ଋତୁରେ ବ୍ଲକରେ ଥିବା ୨୨ହଜାର ହେକ୍ଟର ଚାଷୀ ଜମିରୁ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଚଳିତ ବର୍ଷ ବନ୍ୟା ହେବା ଯୋଗୁଁ ତିହିଡି ବ୍ଲକର ୫ଟି ପଞ୍ଚାୟତରେ ସଂପୂର୍ଣ୍ଣ ଭାବେ ଓ ୩ଟି ପଞ୍ଚାୟତରେ ଆଂଶିକ ଭାବେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଅବଶିଷ୍ଟ ୨୩ଟି ପଞ୍ଚାୟତରେ ଧାନ ଭଲ ଅମଳ ହେବାର ସମ୍ଭାବନା ରହିଛି ।
ଅଧିକାଂଶ ପଞ୍ଚାୟତରେ ପ୍ରାୟ ୫୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବା ବେଳେ ଅନ୍ୟ କିଛି ପଞ୍ଚାୟତରେ ଧାନ ଅମଳ ଚାଲୁ ରହିଛି । ସରକାରୀ ନିୟମ ଅନୁଯାୟୀ ଚାଷୀମାନେ ଧାନ ବିକିବାକୁ ନିଜ ନାମ ପଞ୍ଜିକୃତ କରାଇଛନ୍ତି । ତେବେ ଭାଗଚାଷୀ ଏବଂ ନାମମାତ୍ର ଚାଷୀମାନେ ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ ହୋଇପାରି ନାହାନ୍ତି । ପଞ୍ଜିକୃତ ହୋଇଥିବା ଚାଷୀମାନେ ସରକାରୀ ଭାବେ ଧାନ ବିକିବାକୁ ଅପେକ୍ଷା କରିଥିବା ବେଳେ ଧାନ ବିକ୍ରୟ କେନ୍ଦ୍ର ଖୋଲି ନଥିବାରୁ ଏହା ସମ୍ଭବ ହୋଇ ପାରିନାହିଁ ।
ଏହି ପରିପ୍ରେକ୍ଷୀରେ ଚାଷୀମାନେ ହାତଉଧାରି ଝୁଝିବାକୁ ଧାନ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଭାବେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୮୬୫ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଧାନ ପୋରୀ ମାନେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୧ହଜାର ଟଙ୍କାରେ ଧାନ କ୍ରୟ କରୁଛନ୍ତି । ଅନ୍ୟପକ୍ଷେ ଏହି ବେପାରୀ ମାନଙ୍କ ପ୍ରତି ସରକାରଙ୍କର କୌଣସି କଟକଣା ନଥିବାରୁ ସେମାନେ ଅବାଧରେ ଏଭଳି କାର୍ଯ୍ୟ ଚଳାଇଛନ୍ତି । ଯାହାଦ୍ୱାରା ଚାଷୀ କ୍ଷତି ସହିବାରେ ଲାଗିଛି । ତୁରନ୍ତ ସମବାୟ ସମିତି ଜରିୟାରେ ଧାନ କ୍ରୟ କରିବାକୁ ଚାଷୀ ମହଲରେ ଦାବି ହୋଇଛି