କେନ୍ଦ୍ରାପଡା, ୨୪/୧୧(Rabindra Dash) – କେନ୍ଦ୍ରାପଡା ଜିଲ୍ଲାରେ ଇ-ଶିକ୍ଷା ସମ୍ପର୍କ -୨୦୨୦ର ସୋମବାର ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ବ୍ଲକ ପାଇଁ ଅନୁଷ୍ଠିତ ଇ-ଶିକ୍ଷା ସମ୍ପର୍କ -୨୦୨୦କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଆଣ୍ଡୋ୍ରଏଡ ମୋବାଇଲ ନଥିବା ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଛୋଟ ଛୋଟ ମୋବାଇଲ ଦ୍ୱାରା ବ୍ଲକ ସଂଯୋଜକଙ୍କୁ ଯୋଗାଯୋଗ କରି ସେମାନେ ବୁଝି ପାରୁନଥିବା ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ପାରିବେ ।
ପ୍ରତି ବ୍ଲକ ସ୍ତରରେ ସଂଯୋଜକଙ୍କ ଅଧିନରେ ୯ ଜଣ ଅଭିଜ୍ଞ ଶିକ୍ଷକଙ୍କୁ ଏଭଳି ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ରଖାଯାଇଥିବା ସୂଚନା ଦିଆଯାଇଛି । ସପ୍ତାହରେ ୬ଦିନ ସକାଳ ୮ଟାରୁ ଅପରାହ୍ନ ଗୋଟାଏ ଓ ଅପରାହ୍ନ ଗୋଟାଏ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବ୍ଲକ ସ୍ତରରେ ଜାରି ରହିବ ।
ଏହି କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ନୋଡାଲ ପ୍ରଧାନ ଶିକ୍ଷକମାନେ ତଦାରଖ କରିବାକୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ, କେନ୍ଦ୍ରାପଡା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳେଇ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା, କେନ୍ଦ୍ରାପଡା ବ୍ଲକ ସଂଯୋଜକ ଜାନକୀ ବେହେରାଙ୍କ ସମେତ ସବଜେକ୍ଟ ଏକ୍ସପୋର୍ଟ ଶିକ୍ଷକମାନେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ବ୍ଲକ ସମେତ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।