ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗଡପୋଖରୀ ଠାରେ ଥିବା ସରକାରୀ ହୋମିଓପାଥି ଡାକ୍ତରଖାନାରେ ଗତ ୯ମାସ ଧରି ଅଚଳାବସ୍ଥା ଲାଗି ରହିଛି । ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ପିଅନ କାଁଭାଁ କାର୍ଯ୍ୟାଳୟ ଖୋଲି ନିଜର ଉପସ୍ଥାନ ପକାଇ ଘରକୁ ପଳାଉଛନ୍ତି । ଦିନେ ଖଇରା ତଥା ଏହା ସଂଲଗ୍ନ ଔପଦା, ସିମୁଳିଆ,ଆଗରପଡା ଇତ୍ୟାଦି ଅଞ୍ଚଳର ରୋଗୀଙ୍କ ଆସ୍ଥା ଭାଜନ ଲାଭ କରିଥିବା ଏହି ଡାକ୍ତରଖାନା ଏବେ ଭୂତକୋଠୀ ପାଲଟିଲାଣି । ଦେଢ ବର୍ଷ ତଳେ ରୋଗ ଦେଖାଇବାକୁ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡିରେ ଅପେକ୍ଷା କରୁଥିବା ବେଳେ ଏବେ ଡାକ୍ତରଖାନା ପରିସରରେ ଶ୍ମଶାନର ନୀରବତା ।
ତୁରନ୍ତ ଡାକ୍ତରଙ୍କୁ ପୁନଶ୍ଚ ତାଙ୍କ ପଦବୀରେ ଅବସ୍ଥାପିତ କରାନଗଲେ ସମୂହ ଗଡପୋଖରୀ ପଞ୍ଚାୟତବାସୀଙ୍କୁ ନେଇ ଅନଶନରେ ବସିବାକୁ ସମିତିସଭ୍ୟା ସଞ୍ଜୁଶ୍ରୀ ବାରିକ ଚେତାବନୀ ଦେଇଛନ୍ତି । ୧୯୭୫ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଡାକ୍ତରଖାନା ୩ ଜିଲ୍ଲା ବାଲେଶ୍ୱର,ଭଦ୍ରକ,ମୟୁରଭଞ୍ଜ ଓ କେନ୍ଦୁଝରର ମଧ୍ୟସ୍ଥଳରେ ହୋଇଥିବାରୁ ରୋଗୀମାନେ ମୁଖ୍ୟତଃ ଚିକିତ୍ସାପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତିା ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ଡାକ୍ତର ଭାବେ କାର୍ଯ୍ୟରତ ଥିବା ବ୍ରଜେନ୍ଦ୍ର ନାୟକ ୨୦୧୯ ଫେବୃଆରୀରେ ଅବସର ନେବା ପୂର୍ବରୁ ଦୈନିକ ୧ଶହରୁ ଉର୍ଦ୍ଧ ଲୋକ ଦୁରଦୂରାନ୍ତରୁ ରୋଗ ଦେଖାଇବାକୁ ଆସୁଥିଲେ । ହେଲେ ତାପରଠାରୁ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସାଂଘାତିକ ହୋଇପଡିଛି ।
ଡ଼ାକ୍ତର ନାୟକଙ୍କ ଅବସରପରେ ବାହାନଗା ଅଞ୍ଚଳରୁ ଡାକ୍ତର ଶୁଭ୍ରାଂଶୁ ଶେଖର ସେଠୀଙ୍କୁ ଏଠାରେ ୨ଦିନ ପାଇଁ ଡେପୁଟେସନରେ ନିଯୁକ୍ତ କରାଯାଇଥିଲା । ରୋଗୀସଂଖ୍ୟା ଆଶାତୀତ ଭାବେ କମି ଥିଲେ ହେଁ ଆଖପାଖ ଗ୍ରାମବାସୀ ରୋଗ ଦେଖାଇବାକୁ ସକ୍ଷମ ହୋଇ ପାରୁଥିଲେ । ହେଲେ କରୋନା ମହାମାରୀ କାୟା ବିସ୍ତାର କରିବା ବେଳକୁ ଏହା ଏ ଅଞ୍ଚଳବାସୀଙ୍କ ଉପରେ ବୋଝ ଉପରେ ନଳିତାବିଡା ସାଜିଥିଲାା ମାର୍ଚ୍ଚ ମାସରୁ ନିଯୁକ୍ତ ଡାକ୍ତରଙ୍କର ଆସିବା ବନ୍ଦ ହୋଇ ଯାଇଥିବାରୁ ରୋଗୀ ମାନଙ୍କର ରୋଗ ଦେଖାଇବା ଆଶା ଧୂଳିସାତ ହୋଇ ଯାଇଛି ।
କରୋନା ସମୟରେ ଡାକ୍ତରଙ୍କ ଆବଶ୍ୟକତା ସମୟରେ ଡାକ୍ତରଙ୍କୁ କୋଭିଡ ଦାୟିତ୍ୱରେ ଅନ୍ୟତ୍ର ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଗଡପୋଖରୀ ଗ୍ରାମର ବଂଶୀଧର ପଣ୍ଡା,ତପନ ଦଳେଇ,ମଦନ ପଣ୍ଡା,ବିପଦ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ ଅନୁପସ୍ଥିତ ସାଙ୍ଗକୁ ନଳକୂପଟି ମଧ୍ୟ ଅଚଳ ହୋଇ ପଡିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଡାକ୍ତର ସେଠୀଙ୍କ ମତାମତ ନେବାରେ ମାର୍ଚ୍ଚ ମାସରୁ ତାଙ୍କୁ ଗୋପାଳପୁରରେ କୋଭିଡ ଦାୟିତ୍ୱ ରେ ରଖାଯାଇଥିବାରୁ ସେ ଆଉ ଗଡପୋଖରୀ ଯାଇ ନଥିବାର କହିଛନ୍ତି ।