ଉର୍ଦ୍ଦୁ ପାଠାଗାର ପାଶ୍ୱର୍ରେ ଥିବା ମାଂସ ବିକାଳିଙ୍କ କ୍ୟାବିନ ଉଠାଇ ନେବାକୁ ପୈାରସଂସ୍ଥାର ନୋଟିସ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରର ସ୍ଥାନୀୟ ଚଉଁରୀବରହମପୁର ମୈାଜାର ଉର୍ଦ୍ଦୁ ପାଠାଗାର ପାର୍ଶ୍ୱରେ କ୍ୟାବିନ ପକାଇ ମାଂସ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ସେମାନଙ୍କ କ୍ୟାବିନ ଉଠାଇ ନେବାକୁ ପୈାରସଂସ୍ଥା ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ନୋଟିସ ବିରୋଧରେ ସଂପୃକ୍ତ ବ୍ୟବସାୟୀମାନେ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଦରଖାସ୍ତକାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଗରୀବ ଓ ଭୂମିହୀନ ଦିନମଜୁରିଆ ଥାଇ ପୂର୍ବରୁ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆ ପାଶ୍ୱର୍ରେ କ୍ୟାବିନ ପକାଇ କୁକୁଡା ମାଂସ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ସେହି ରାସ୍ତାରେ ଚଳାଚଳର ସୁବିଧା ନିମନ୍ତେ ପୂର୍ବତନ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସେମାନଙ୍କୁ ସେଠାରୁ ବିସ୍ତାପିତ କରାଯାଇ ଉର୍ଦ୍ଦୁ ପାଠାଗାର ପାଶ୍ୱର୍ରେ ଥିବା ଖାଲି ସ୍ଥାନରେ ଅବସ୍ଥାପିତ କରାଯାଇଥିଲା ।
ସେମାନେ ପୈାରସଂସ୍ଥାକୁୁ ଆବଶ୍ୟକ ଲାଇସେନ୍ସ ଫିସ ପ୍ରଦାନ କରି ରସିଦ ହାସଲକରି ସେଠାରେ ବ୍ୟବସାୟ କରିଆସୁଛନ୍ତି । ମାତ୍ର ଏବେ ପୈାରସଂସ୍ଥା ପକ୍ଷରୁ ସେମାନଙ୍କୁ ନୋଟିସ ଦିଆଯାଇ ସେହିସ୍ଥାନକୁ ଆସନ୍ତା ୧୧ତାରିଖ ସୁଦ୍ଧା ସେମାନଙ୍କ କ୍ୟାବିନ ଉଠାଇନେବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ଏହା ଦ୍ୱାରା ସେମାନେ ସେମାନଙ୍କ ଜୀବିକା ହରାଇବା ସହ ସେମାନଙ୍କ ପରିବାର ଭୋକଉପାସରେ ଜୀବନ ନିର୍ବାହ କରିବ ଓ ସେମାନଙ୍କର ଅପୁରଣୀୟ କ୍ଷତି ହେବ ବୋଲି ଅଭିଯୋଗ କରିଛନ୍ତି । ଏଣୁ ସେମାନଙ୍କ ଠାରୁ ପୂର୍ବପରି ଲାଇସେନ୍ସ ଫିସ ଓ ମାହାସୁଲ ନିଆଯାଇ ସେଠାରେ ବ୍ୟବସାୟ କରିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ସେକ ରିୟାଜ, ସେଖ ରିୟାଜୁଦ୍ଦିନ, ମୀର ଓବେଦୁର ରହେମାନ, ସେକ ହାସାନ, ସେକ ଫାରୁକଅଲ୍ଲୀ, ସେକ ସଲାଉଦ୍ଦିନ, ସେକ ଗୁଲାମ ମହମ୍ମଦ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।