ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ : ନଭେମ୍ବର ୧୧ ତାରିଖ ମୈାଲାନା ଅବୁଲ କଲାମ ଆଜାଦ୍ ଙ୍କ ୧୩୨ ତମ ଜୟନ୍ତୀ ଉପଲକ୍ଷେ……
ହିମାଂଶୁ ଶେଖର ଆଚାର୍ଯ୍ୟ : ଭାରତ ସ୍ୱାଧୀନତା ଲାଭକଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ଦୀର୍ଘ ଦେଢଶହ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଇଂରେଜ ପତାକା ‘ୟୁନିଅନ୍ ଜ୍ୟାକ୍’କୁ ଅପସାରଣ କରାଯାଇ ସ୍ୱାଧୀନ ଭାରତର ଗୈାରବର ପ୍ରତୀକ ଅଶୋକ ଚକ୍ର ଚିହ୍ନିତ ତିରଙ୍ଗା ପତାକା ଉଡାଇ ଦିଆଗଲା । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ପଣ୍ଡିତ ଜବାହାରଲାଲ୍ ନେହେରୁ ଦାୟିତ୍ୱ ନେଇଥିବା ବେଳେ ଏତେ ବଡ ଦେଶର ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱ ପଡିଥିଲା ତାଙ୍କ ଉପରେ । ସେ ଅନ୍ୟ କେହି ନୁହଁନ୍ତି, ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୈାଲାନା ଅବୁଲ କଲାମ ଆଜାଦ୍ ।
ମୈାଲାନା ଆଜାଦ୍ ୧୮୮୮ ମସିହା ନଭେମ୍ବର ମାସ ୧୧ ତାରିଖରେ ସାଉଦିଆରବର ମକ୍କା ନଗରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହମ୍ମଦ ଖଇରୁଉଦ୍ଦିନ୍ ଓ ମାତାଙ୍କ ନାମ ଥିଲା ଏଲିଆ ।
ଖୁବ୍ କମ୍ ବୟସରେ ତାଙ୍କ ପିତାଙ୍କ ମୃତୁ୍ୟ ହୋଇଥିଲା । ୧୮୯୭ ମସିହାରେ ସେ ଯେତେବେଳେ ଭାରତକୁ ଫେରନ୍ତି ସେତେବେଳେ ଆଜାଦ୍ଙ୍କ ବୟସ ୧୦ ବର୍ଷ । ସେହି ୧୦ବର୍ଷ ବୟସରୁ ଆଜାଦ୍ ଉର୍ଦ୍ଦୁ, ହିନ୍ଦୀ, ପାର୍ସି, ବଙ୍ଗଳା ଓ ଇଂରାଜୀ ଭାଷାକୁ ଆୟତ୍ତ କରିପାରିଥିଲେ । ମାତ୍ର ୧୪ ବର୍ଷ ବୟସରେ ମାଗାଜିନ୍ରେ ତାଙ୍କର ଶିକ୍ଷଣୀୟ ଲେଖାମାନ ପ୍ରକାଶ ପାଉଥିଲା । ତାଙ୍କ ଠାରୁ ବୟସରେ ଯଥେଷ୍ଟ ବଡ ଛାତ୍ରଛାତ୍ରୀ ମାନଙ୍କୁ ସେ ଶିକ୍ଷା ଦାନ କରୁଥିଲେ । ନିଜର ଆଗାଧ ଜ୍ଞାନ ବଳରେ ସେ ଏକ ସାପ୍ତାହିକ ପ୍ରତିକାର ସମ୍ପାଦକ ହୋଇପାରିଥିଲେ । ଉର୍ଦ୍ଦୁ ଭାଷାରେ ସେ ଜଣେ ଶ୍ରେଷ୍ଠ ଲେଖକ ଭାବରେ ଗଣା ହୁଅନ୍ତି । ସେ ଅନେକ ଗୁଡିଏ ପୁସ୍ତକ ରଚନା କରିଛନ୍ତି । ତନ୍ମଧ୍ୟରୁ ଇଣ୍ଡିଆ ଉଇନ୍ସ ଫ୍ରିଡମ୍, ଘୁବାର-ଇ-ଖତିର, ତାଜ୍କିରା ଆଦି ଅନ୍ୟତମ । ଘୁବାର-ଇ-ଖାତିର୍ ତାଙ୍କର ଏକ ଅନନ୍ୟ ସୃଷ୍ଟି ।
ଭାରତର ସ୍ୱାଧୀନତା ସଂଗ୍ରାମରେ ମୈାଲାନା ଆଜଦ୍ଙ୍କ ଅବଦାନ କିଛି କମ୍ ନଥିଲା । ଭାରତଛାଡ ଆନେ୍ଦାଳନ, ଅସହଯୋଗ ଆନେ୍ଦାଳନରେ ସେ ନିଜକୁ ସାମିଲ କରି ନିଜ ନିଃସ୍ୱାର୍ଥପର ଦେଶପ୍ରେମର ପରିଚୟ ପ୍ରଦାନ କରିଛନ୍ତି । ୧୯୨୩ ମସିହାରେ ସେ ଭାରତର ଜାତୀୟ କଂଗ୍ରେସର ସଭାପତି ହେଲେ । ସଭାପତି ହିସାବରେ ସେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକତା ବଜାୟ ରଖିବାପାଇଁ ଚେଷ୍ଟା କରିଥିଲେ । ଗୋଟିଏ ପଟେ ସେ ପ୍ରଫେଟ୍ ମହମ୍ମଦଙ୍କ ଅଦର୍ଶ ଜୀବନଧାରା ଦ୍ୱାରା ପ୍ରଭାବିତ ହୋଇ ସୁଖସ୍ୱାଚ୍ଛନ୍ଦ୍ୟଠାରୁ ନିଜକୁ ଦୂରେଇ ରଖୁଥିଲେ । ଅନ୍ୟପଟେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଶ୍ରମ ଜୀବନ ଅତିବାହିତ କରିଥିଲେ ।
ଚରଖାରେ ସୁତା କାଟି ବି ଲୁଗା ପିନ୍ଧୁଥିଲେ । ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାମାର୍ଗକୁ ସେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଥିଲେ । ସାରା ଭାରତ ବର୍ଷ ଭ୍ରମଣ କରି ଗାନ୍ଧୀଜିଙ୍କ ନୀତି ଆଦର୍ଶ ପ୍ରଚାର କରିବା ସଙ୍ଗେସଙ୍ଗେ ସମାଜରେ ସଂସ୍କାର ଆଣିବା ପାଇଁ ପ୍ରୟାସ କରିଥିଲେ । ଯେତେବେଳେ ବ୍ରିଟଶ୍ ସରକାର ଭାରତୀୟ ମାନଙ୍କ ମଧ୍ୟରେ ଥିବା ଏକତା ନଷ୍ଟ କରିବା ପାଇଁ ଚକ୍ରାନ୍ତ କରିଚାଲିଥିଲେ ଠିକ୍ ଏହି ସମୟରେ ମୈାଲାନା ଆଜାଦ୍ ‘ଆଲ୍ ହିଲାଲ୍’ ନାମକ ଏକ ସାପ୍ତାହିକ ଖବରକାଗଜ ଛାପି ମୁସଲମାନ ସମ୍ପ୍ରଦାୟ ଲୋକମାନଙ୍କ ମନବୃତ୍ତିରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରୁଥିଲେ । ଏପରିକି ଭାରତ ଭାଗ ଭାଗ ହେବା ପରେ ମଧ୍ୟ ମୁସଲମାନଙ୍କୁ ଭାରତ ଛାଡି ନଜିବା ପାଇଁ ସେ ପ୍ରବର୍ତ୍ତାଉଥିଲେ ।
ଆଜାଦ୍ ଜବାହରଲାଲ୍ ନେହେରୁଙ୍କର ଜଣେ ଦୃଢ ସମର୍ଥକ ଥିଲେ । ନୀତି ନିୟମ ପ୍ରଣୟନ ସମୟରେ ସେ ନେହେରୁଙ୍କୁ ସହାୟତା କରିଛନ୍ତି । ଜଣେ ଜନନେତା ଭାବେ ୧୯୫୨ ଓ ପରେ ୧୯୫୭ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଭାରତର ଶିକ୍ଷାମନ୍ତ୍ରୀ ଥିବା ସମୟରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତା ମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ସେ ଚେଷ୍ଟା କରିଥିଲେ । ପୈାଢଶିକ୍ଷା ଓ କର୍ମାନୁଭୂତି ଶିକ୍ଷା ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଥିଲେ । କେବଳ ସେତିକି ନୁହେଁ, ଭାରତରେ ଶିକ୍ଷାର ପ୍ରଗତି ନିମନ୍ତେ ସେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଗଢିଚାଲିଲେ । ୧୯୫୧ ମସିହାରେ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ ଅଫ୍ ଟେକ୍ନୋଲୋଜି ଓ ୧୯୫୩ରେ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି)ସେ ଗଠନ କରିଥିଲେ । ଭାରତରେ ବୈଷୟିକ ଜ୍ଞାନର ବିକାଶ ପାଇଁ ବାଙ୍ଗାଲୋରରେ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ ଅଫ୍ ସାଇନସ୍ ପ୍ରତିଷ୍ଠା ତାଙ୍କ ଦ୍ୱାରା ସମ୍ଭବ ହୋଇଥିଲା ।
ମୈାଲାନା ଆଜାଦ୍ ଥିଲେ ନିଷ୍ଠାପର, ନିଃସ୍ୱାର୍ଥପର ଓ ନିରାଡମ୍ବର ଦେଶ ସେବକ ।ସେ ଥିଲେ ସମସ୍ତଙ୍କର ପ୍ରିୟ ଓ ଆଦର ପାତ୍ର । ନିଜ ଧର୍ମ ପ୍ରତି ତାଙ୍କର ଦୁର୍ବଳତା ନଥିଲା । କୈାଣସି ପ୍ରକାର ମାନସମ୍ମାନ ଓ କ୍ଷମତା ପ୍ରତି ସେ କେବେ ଲାଳାୟିତ ନଥିଲେ । ତାଙ୍କର ଅଗାଧ ଜ୍ଞାନ ଓ ଦେଶ ସେବାରେ ମୁଗ୍ଧହୋଇ ମୁସଲମାନ ସମ୍ପ୍ରଦାୟର ଧର୍ମ ଗୁରୁ ମାନେ ସ୍ଥିର କଲେଯେ ତାଙ୍କୁ ‘ଇମାମ୍’ ବା ସର୍ବଶ୍ରେଷ୍ଠ ଧର୍ମଗୁରୁ ପଦରେ ବରଣ କରାଯିବ । ମାତ୍ର ମୈାଲାନା ଏଥିରେ ଆଦୈା ସମ୍ମତ ହେଲେ ନାହିଁ । ବାରମ୍ବାର ଭାରତର ସବୁ ଅଞ୍ଚଳରୁ ଏହି ଅନୁରୋଧ କରାଗଲେ ମଧ୍ୟ ସେ ଏହାକୁ ବିନୟର ସହିତ ପ୍ରତ୍ୟାଖାନ କଲେ । ଧର୍ମ-ମତ-ସମ୍ପ୍ରଦାୟ ନିର୍ବିଶେଷରେ ଧନୀ ଦରିଦ୍ର ସମସ୍ତଙ୍କର ଆଦରଣୀୟ ନେତା, ସେ ଗୋଟିଏ ସମ୍ପ୍ରଦାୟର ନେତା ରୂପରେ ନିଜକୁ ସୀମାବଦ୍ଧ ରଖନ୍ତେ କିପରି?ସେଇଥିପାଇଁତ ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଧାନ ପୀଠ ଜାତୀୟ କଂଗ୍ରେସର ସଭାପତି ପଦରେ ଭାରତବାସୀ ଆଗ୍ରହର ସହିତ ଆଜାଦ୍ଙ୍କୁ ଗ୍ରହଣ କରିଥିଲେ । ସ୍ୱୟଂ ଗାନ୍ଧିଜୀ ଓ ଅନ୍ୟ ତୁଙ୍ଗ ନେତାମାନେ ନିଶ୍ଚିତ ଭାବେ ଜାଣିଥିଲେ ଯେ ବିପଦ ଓ ସଂକଟ ସମୟରେ କଂଗ୍ରେସର ମଙ୍ଗ ସମ୍ଭାଳିବା ପାଇଁ ଯୋଗ୍ୟବ୍ୟକ୍ତି ହେଉଛନ୍ତି ମୈାଲାନା ଆଜାଦ୍ ।
ଭାରତ ଯେତେବେଳେ ଇଂରେଜ ମାନଙ୍କ ଅଧୀନରୁ ମୁକ୍ତ ହେଲା ସେତେବେଳେ ଇଂରେଜ ଶାସକ ମାନେ ଏ ଦେଶ ଛାଡିଚାଲିଗଲେ ସତ, ମାତ୍ର ସରକାରୀ ଦପ୍ତରକୁ ଇଂରାଜୀ ଭାଷା ପୁରାପୁରି ଦଖଲ କରି ବସିଥିଲା । ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଠାରୁ ଆରମ୍ଭ କରି ସମସ୍ତେ ଇଂରାଜୀରେ ଶପଥପାଠ କରିଥିଲେ ଓ ଅଫିସ କାଗଜ ପତ୍ରରେ ସେହି ଭାଷାରେ ମତାମତ ଉଲ୍ଲେଖ କରୁଥିଲେ ।ଏକମାତ୍ର ମୈାଲାନା ଆଜାଦ୍ଙ୍କ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।
ସେ ଶପଥପାଠ ଠାରୁ ଆରମ୍ଭ କରି ଅଫିସ କାର୍ଯ୍ୟରେ ଏପରିକି ସରକାରୀ ଚିଠି ପତ୍ରରେ କେବେ ଇଂରାଜୀ ଭାଷାରେ ଦସ୍ତଖତ କରିନାହାନ୍ତି । କାରଣ ସିଏ ଭଲ ରୂପେ ବୁଝିଥିଲେ ଯେ, ମାତୃଭାଷାର ବିକାଶ ନହେଲେ କୈାଣସି ଜାତି ଉନ୍ନତି କରିପାରିବ ନାହିଁ ।
୧୯୫୮ ମସିହା ଫେବୃୟାରୀ ୨୨ ତାରିଖରେ ଏହି ମହାନ ବ୍ୟକ୍ତିଙ୍କ ମହାପ୍ରୟାଣ ଘଟିଲା । ତାଙ୍କ ଅସାଧାରଣ କାର୍ଯ୍ୟଧାରା ପାଇଁ ୧୯୯୨ ମସିହାରେ ତାଙ୍କୁ ଭାରତ ରତ୍ନ (ମରଣୋତ୍ତର) ସମ୍ମାନରେ ସମ୍ମାନିତ କରାଯାଇଥରଲା । ତାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧୧ ତାରିଖକୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଉଛି । ତାଙ୍କ ପରି ଏକ ମଣିଷଙ୍କ ପାଇଁ ସମଗ୍ର ଦେଶବାସୀ ଗର୍ବିତ ।