Odisha news

ଉପକୂଳରେ ସାଗର କବଚ : ସାମିଲ ହେଲେ ସବୁ ମେରାଇନ୍ ଥାନା

0

ଭୋଗରାଇ : ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦୀଘା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୪୮୨କି.ମି. ବ୍ୟାପୀ ଉପକୂଳ ଇଲାକା ମୁକୁଳା ପଡ଼ିଛି । ୨୦୦୮ମସିହା ନଭେମ୍ବର ମାସ ୧୧ତାରିଖ ଦିନ ମୁମ୍ବାଇ ଠାରେ ଘଟିଥିବା ଆତଙ୍କବାଦୀଙ୍କ ନରସଂହାର ସହ ସମୁଦ୍ର ପଥରେ ମାଦକ ଦ୍ରବ୍ୟର ଚୋରା ଚାଲାଣ ସନେ୍ଦହ ଜନକ ଭାବେ ଆସୁଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ଦେବାଲାଗି ଗତ ୩ବର୍ଷ ଧରି ମୁକୁଳା ଉପକୂଳରେ ମେରାଇନ୍ ଥାନା ପକ୍ଷରୁ ସାଗର କବଚ ନାମକ ସମରାଭ୍ୟାସ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ବାଲେଶ୍ୱର ଜିଲ୍ଲାରେ ୮୪ କିମି. ସମୁଦ୍ର ଉପକୂଳ ରହିଥିବା ବେଳେ ଏହି ଉପକୂଳ ଅସୁରକ୍ଷିତ ଥିବାରୁ ଅନୁପ୍ରବେଶକାରୀମାନେ ସୁବିଧାରେ ଆସିପାରୁଛନ୍ତି । ଉପକୂଳ ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଶୁକ୍ରବାର ସାଗର କବଚ ନାମିତ ସମରାଭ୍ୟାସ କରାଯାଉଛି । ଏଥିପାଇଁ ଓଡ଼ିଶାର ସମସ୍ତ ମେରାଇନ୍ ଥାନା ପକ୍ଷରୁ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ଗୁରୁବାର ଓ ଶୁକ୍ରବାର ୨ଦିନ ନଯିବା ପାଇଁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ଉପକୂଳରେ ୧୮ଟି ମେରାଇନ୍ ଥାନା ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ତାଳସାରୀ,ବାହାବଳପୁର ଓ ବଳରାମଗଡ଼ିରେ ସାମୁଦ୍ରିକ ଥାନା ରହିଛି । ଏହିସବୁ ଥାନାରେ ଆବଶ୍ୟକୀୟ କର୍ମଚାରୀ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସ୍ପିଡ୍ ବୋଟ୍ ନଥିବାରୁ ଉପକୂଳ ଅସୁରକ୍ଷିତ ରହିବା ସହ ବର୍ଷକୁ ଥରେ ଏପରି ସମରାଭ୍ୟାସ କରାଯାଇ କାର୍ଯ୍ୟ ଶେଷ ହେଉଥିବାର ଅଭିଯୋଗ ହେଉଛି ।

ଏହାଦ୍ୱାରା ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆଶଙ୍କାକୁ ଦ୍ୱିଗୁଣିତ କରୁଛି । ମତ୍ସ୍ୟଜୀବୀଙ୍କୁ ନିୟମିତ ଯାଞ୍ଚ କରାଯାଉନଥିବା ବେଳେ ସେମାନଙ୍କ ପରିଚୟ ପତ୍ର, ଡ଼ଙ୍ଗା ଓ ଟ୍ରଲର ଆଦିକୁ ମଧ୍ୟ ଯାଞ୍ଚ କରାଯାଉ ନାହିଁ । ଅଧିକାଂଶ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଆକସ୍ମିକ ଦୁର୍ଘଟଣା ଜନିତ ସୂଚନା ନିମନ୍ତେ ଡାଟା ଟ୍ରାନ୍ସମିଟର ଲାଗିନଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଲାଇଫ୍ ଜାକେଟ୍ ପିନ୍ଧୁ ନାହାଁନ୍ତି । ଏଭଳି ଅବସ୍ଥାସ୍ଥଳେ ଉପକୂଳରେ ସାଗର କବଚ କାର୍ଯ୍ୟକ୍ରମ ହେଉଛି । କୋରନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷାକରି ବାଲେଶ୍ୱର ଜିଲ୍ଲାର ତିନୋଟି ସାମୁଦ୍ରିକ ଥାନାର କର୍ମଚାରୀମାନେ ଏହି ସାମୁଦ୍ରିକ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ତାଳସାରି ମେରାଇନ୍ ଥାନା ଓ ଭୋଗରାଇ ଥାନା ପୁଲିସ କର୍ମଚାରୀମାନେ ଏହି ସମରାଭ୍ୟାସରେ ସାମିଲ ଥିବା ଜଣାପଡ଼ିଛି

Leave A Reply