ଭଞ୍ଜନଗର : କାର୍ତ୍ତିକ ଆରମ୍ଭରୁ ମହଙ୍ଗା ମାଡ । ପନିପରିବା ଦର ଆକାଶଛୁଆଁ । ଫଳରେ ଏହାଦ୍ୱାରା ଏବେ ଗୃହିଣୀମାନଙ୍କ ହାଣ୍ଡିଶାଳ ବିଶେଷ ପ୍ରଭାବିତ ହୋଇଛି । ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିଛି ବର୍ତ୍ତମାନର ପରିବା ଦର । ସବୁଠାରୁ ପରିତାପର ବିଷୟ ହେଲା ଏବେ ବଜାରରେ ଆଳୁ କିଲୋ ୪୫ ଟଙ୍କାରେ ପହଞ୍ଚିଥିବାବେଳେ ପିଆଜ କିଲୋ ସାମାନ୍ୟ ଖସି ଏବେ ୭୫ ଟଙ୍କାରେ ରହିଛି । ପୂର୍ବରୁ ପିଆଜ କିଲୋ ସେଞ୍ଚୁରୀ ମାରିଥିଲା । ତେବେ ଅନ୍ୟ ପନିପରିବା ଦରରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି । ତେବେ ଆଳୁ ପିଆଜ ଦରର ଅହେତୁକ ମୂଲ୍ୟବୃଦ୍ଧି ଏବେ ସାଧାରଣ ଗରୀବ ପରିବାରକୁ ବ୍ୟତିବ୍ୟସ୍ତ କରିପକାଉଛି ।
ଗରୀବଙ୍କ ହାଣ୍ଡିଶାଳ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏବେ ଗରୀବ ଲୋକମାନଙ୍କ ପଖାଳ କଂସାରୁ ପିଆଜ ଗାଏବ ହୋଇଯାଇଛି । ଆଳୁ ମଧ୍ୟ ସାତସପନ ପାଲଟିଛି । ଏବେ କେବଳ ଲୁଣ ଲଙ୍କାରେ ପଖାଳ ଚାଲୁଛବୋଲି ଅଧିକାଂଶ ଗରୀବ ପରିବାର ସେମାନଙ୍କ କ୍ଷୋଭ ବ୍ୟକ୍ତ କରିଛନ୍ତି । ତେବେ କି ଗରୀବ କି ଧନୀ ଏବେକାର ପନିପରିବା ଦର ସମସ୍ତଙ୍କୁ ବେଶ ପ୍ରଭାବିତ କରୁଛି । ୫ଶହ ଟଙ୍କାରେ ମଧ୍ୟ ବ୍ୟାଗ ପୁରୁନି । ପୂର୍ବରୁ ଏଭଳି ଅହେତୁକ ମୂଲ୍ୟବୃଦ୍ଧି କେବେ ଦେଖିବାକୁ ମିଳିନଥିଲା । କେବେ ଏହି ମୂଲ୍ୟବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ମୁକ୍ତିମିଳିବ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ସବୁବର୍ଗର ପରିବାର ।
ଏବେ ଭଞ୍ଜନଗର ବଜାରରେ ଆଳୁ କିଲୋ ୪୫ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ କିଲୋ ୭୫ରୁ ୮୦ ଟଙ୍କା, ବିନିଶ କିଲୋ ଶହେ ଟଙ୍କା, ଫୁଲକୋବି କିଲୋ ୭୦ ଟଙ୍କା, ବନ୍ଧାକୋବି କିଲୋ ୫୦ ଟଙ୍କା, ତୋରଡା(କୁନ୍ଦୁରୁ) କିଲୋ ୫୦ ଟଙ୍କା, ଭେଣ୍ଡି କିଲୋ ୭୦ ଟଙ୍କା,ବାଇଗଣ କିଲୋ ୫୦ଟଙ୍କା, ଗୁହାର କିଲୋ ୫୦ ଟଙ୍କା, ସାରୁ କିଲୋ ୩୦ ଟଙ୍କା, ଦେଶୀ ଆଳୁ କିଲୋ ୬୦ଟଙ୍କା, ଟମାଟ କିଲୋ ୫୦ଟଙ୍କା, କନ୍ଦମୂଳ ୫୦ଟଙ୍କା, କଞ୍ଚା କଦଳୀ କିଲୋ ୪୦ ଟଙ୍କା, କଞ୍ଚା ଲଙ୍କା କିଲୋ ୮୦ଟଙ୍କା, ଅଦା ୮୦ ଟଙ୍କା, ରସୁଣ ଶହେ ଟଙ୍କା, କାକୁଡି କିଲୋ ୫୦ଟଙ୍କା, ଶିମ୍ବ କିଲୋ ୮୦ଟଙ୍କା, ମୂଳା କିଲୋ ୬୦ ଟଙ୍କା ଆଦିରେ ବିକ୍ରି କରାଯାଉଛି । ଏପରିକି ସାଧାରଣ ଶାଗ ବିଡା ମଧ୍ୟ ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ସାଧାରଣ ଗରୀବ ପରିବାର ଠାରୁ ଆରମ୍ଭ କରି ଥିଲାବାଲାଙ୍କ ଯାଏଁ ସଭିଙ୍କ ଅକଲ ଗୁଡୁମ ପାଲଟିଯାଇଛି ।